କ’ଣ ପାଇଁ ବାପା-ମା’ ଓ ଭଉଣୀକୁ ହତ୍ୟା କଲା ପୁଅ ? ଦିଲ୍ଲୀ ଟ୍ରିପଲ ମର୍ଡରର ପର୍ଦ୍ଦାଫାଶ ପରେ ସାମ୍ନାକୁ ଆସିଲା କାରଣ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ଦିଲ୍ଲୀ ଟ୍ରିପଲ ମର୍ଡର ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀ ଅନ୍ୟ କେହି ନୁହେଁ, ବରଂ ନିଜ ପୁଅ। ୨୦ ବର୍ଷୀୟ ପୁଅ ଯୋଜନାବଦ୍ଧ ଭାବେ ନିଜ ବାପା-ମା’ ଓ ଭଉଣୀକୁ ହତ୍ୟା କରିଥିଲା। ସବୁଠୁ ଚାଞ୍ଚଲ୍ୟକର ବିଷୟ ହେଉଛି ହତ୍ୟାର କାରଣ। ବାପା ସବୁବେଳେ ପୁଅକୁ ପାଠ ପଢ଼ିବା ପାଇଁ ତାଗିଦ କରୁଥିଲେ। ଏହି କାରଣରୁ ପୁଅ ସମସ୍ତଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ଵୀକାର କରିଛି। ଅଭିଯୁକ୍ତ ପୁଅ ଅର୍ଜୁନ ତମ୍ବରକୁ ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାର ଶିକାର ହୋଇଥିଲେ ନେଭ ସରାୟ ଅଞ୍ଚଳର ରାଜେଶ କୁମାର(୫୧), ପତ୍ନୀ କୋମଲ(୪୬) ଏବଂ ଭଉଣୀ  କବିତା(୨୩)।

ଗତ ବୁଧବାର ସକାଳେ ପୁଲିସ ନିକଟକୁ ଏକ ଫୋନ ଯାଇଥିଲା। ଅର୍ଜୁନ ହିଁ ପୁଲିସକୁ ଫୋନ କରି ତାଙ୍କ ଭଉଣୀ, ମା’ ଏବଂ ବାପାକୁ କେହି ହତ୍ୟା କରିଥିବା ସୂଚନା ଦେଇଥିଲେ। ସେ ପ୍ରାତଃଭ୍ରମଣରୁ ଫେରିବା ପରେ ଏହା ଦେଖିଥିଲେ ବୋଲି ପୁଲିସକୁ କହିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ସର୍ବପ୍ରଥମେ ପୁଅ ଉପରେ ହିଁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ତା’କୁ ଜେରା କରାଯିବା ପରେ ସେ ସବୁ ସତ ମାନିଯାଇଥିଲା।

ଅର୍ଜୁନ କହିଛି ଯେ, ତା’ର ପାଠ ପଢ଼ିବାକୁ ମନ ଲାଗୁ ନ ଥିଲା। କିନ୍ତୁ ବାପା ତା’କୁ ସବୁବେଳେ ପଢ଼ିବା ଲାଗି ତାଗିଦ କରୁଥିଲେ। ସେ ପଢ଼ୁ ନ ଥିବାରୁ କିଛିଦିନ ତଳେ ବାପା ରାଜେଶ ତା’କୁ ଘର ବାହାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହା ତା’କୁ ବହୁତ ମାନସିକ ଆଘାତ ଦେଇଥିଲା। ସେବେଠାରୁ ପରିବାର ଲୋକଙ୍କ ସହିତ ତା’ର ସମ୍ପର୍କ ଖରାପ ହୋଇଥିଲା। ଭଉଣୀ ବି ତା’କୁ ସମର୍ଥନ କରୁ ନ ଥିଲା। ଏହି କାରଣରୁ ବୁଧବାର ଭୋର ସମୟରେ ସେ ପ୍ରଥମେ ତଳ ମହଲା ଘରେ ନିଜ ଭଉଣୀ କବିତାଙ୍କୁ ହତ୍ୟା କରିଥିଲା। ଏକ ଛୁରିରେ ସେ କବିତାଙ୍କ ତଣ୍ଟି କାଟି ଦେଇଥିଲା। ଏହାପରେ ଉପର ମହଲାକୁ ଯାଇ ବାପା ଏବଂ ମା’ଙ୍କୁ ବି ତଣ୍ଟି କାଟି ହତ୍ୟା କରିଥିଲା। ପରେ ଜିମ୍‌ ବ୍ୟାଗରେ ରକ୍ତାକ୍ତ ଛୁରିକୁ ଭର୍ତ୍ତି କରି ବାହାରେ ଫିଙ୍ଗି ଆସିଥିଲା। ଘରେ ପହଞ୍ଚି ରକ୍ତ ଛିଟା ସଫା କରି ପୁଲିସକୁ ଫୋନ କରିଥିଲା।

ରାଜେଶ ସେନାରେ ଚାକିରି କରୁଥିଲେ। ଅବସର ପରେ ସେ ଜଣେ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ତାଙ୍କର ବିବାହ ବାର୍ଷିକୀ ଥିଲା।

Comments are closed.