ସମ୍ବଲପୁର : ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ କକ୍ଷରେ ପଶ୍ଚିମ ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମ ଆନୁକୂଲ୍ୟରେ ରବିବାର “ପ୍ରଦୂଷଣ ଓ ପରିବେଶ ” ଶୀର୍ଷକ ଏକ ଆଲୋଚନାଚକ୍ର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘର ସଭାପତି ପ୍ରତାପ କର ସଭାପତିତ୍ବ କରିଥିବା ବେଳେ ସାମ୍ବାଦିକ ଚନ୍ଦ୍ର ଚୁଡ ସିଂ ଆଲୋଚନାଚକ୍ରକୁ ସଂଚାଳନ କରିଥିଲେ। ପ୍ରଥମେ ମା ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଆଲୋଚନାଚକ୍ରରେ ସର୍ବପ୍ରଥମେ ସଭାପତି ଶ୍ରୀ କର ଅଂଶ ଗ୍ରହଣ କରି ପ୍ରଦୂଷଣ ଓ ପରିବେଶ ଶୀର୍ଷକ ପ୍ରସଙ୍ଗରେ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିବା ସହ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ପ୍ରଦୂଷଣ ଓ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ଓ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହେବାର ଉପଯୁକ୍ତ ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୈନିକ ଜନମୁଖର ସଂପାଦକ ବୀରେନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଶ୍ରୀ ମନୋରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୂଷଣ ଓ ପରିବେଶ ସଂପର୍କରେ ବିଭିନ୍ନ ଜ୍ବଳନ୍ତ ଦୃଷ୍ଟାନ୍ତ ଦେଇ ଏହାର ନିରାକରଣ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଜନସାଧାରଣ ସଂଗଠିତ ହୋଇ ଦୃଢ ପ୍ରତିବାଦ ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ । ବିଶିଷ୍ଠ ସମାଜସେବୀ ନିହାଲ ସିଂ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ପ୍ରତିନିଧି ସହ ରାଜ୍ୟ ସରକାରଙ୍କ ପ୍ରଶାସନକୁ କଟୂ ସମାଲୋଚନା କରି ସେମାନଙ୍କର ଆଭିମୁଖ୍ୟକୁ ଦୃଢ ଚାଲେଞ୍ଜ କରିଥିଲେ ଓ ସେ ନିର୍ବାଚିତ ପ୍ରତିନିଧିଭାବେ କ୍ଷମତାକୁ ଆସିଲେ କଥାରେ ନୁହେଁ, କାର୍ଯ୍ୟରେ ବାସ୍ତବରେ ରୂପାୟନ କରିବାର ତାଙ୍କର ଦକ୍ଷତା ଓ ପାରଦର୍ଶିତା ରହିଛି ବୋଲି ସ୍ପଷ୍ଟୋକ୍ତି କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୀବନବୀମା ନିଗମର ପ୍ରବନ୍ଧକ ରମେଶ କୁମାର ସାହୁ ଏହି ପ୍ରସଙ୍ଗ ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର କୁମାର ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସମ୍ମିଳନୀରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସଚେତନ ମହିଳା ଯୋଗଦେଇଥିଲେ।
ଏହି ସଭା ପରେ ଦ୍ଵିତୀୟ ପର୍ୟ୍ୟାୟରେ ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଜନମୁଖ ସମ୍ପାଦକ ବୀରେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଫୋରମର ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରା ଯାଇଥିଲା । ଉପସଭାପତି ଭାବେ ରାଜେନ୍ଦ୍ର କୁମାର ହୋତା ଓ ନବୀନ ନନ୍ଦ, ସାଧାରଣ ସମ୍ପାଦକ ଭାବେ ଚନ୍ଦ୍ରଚୁଡ ସିଂହ, ସଂଗଠନ ସମ୍ପାଦକ ଭାବେ ଅଶ୍ଵିନୀ ପଟ୍ଟନାୟକ ଓ ଭୂପେନ ସାହୁ, ସହ ସମ୍ପାଦକ ଭାବେ ଆଶୁତୋଷ ଦେହୁରୀ, କୋଷାଧ୍ୟକ୍ଷ ଭାବେ ବିପିନ ବିହାରୀ ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରମେଶ ପ୍ରଧାନ, ଜୟ ପ୍ରକାଶ ପ୍ରଧାନ, ଧନେଶ୍ଵର ସାହୁ, ସନ୍ତୋଷ ଭୂମିଜ, ଶ୍ରୀକାନ୍ତ ପଣ୍ଡା, ସତ୍ୟ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମନୋରଞ୍ଜନ ପଟ୍ଟନାୟକ ମୁଖ୍ୟ ପରାମର୍ଶଦାତା ରହିଛନ୍ତି ।



