୬ ଆନ୍ତଃଜିଲା ଶିକାରୀ ଗିରଫ, ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଜୀବଜନ୍ତୁଙ୍କ ଚମଡା ଜବତ

ବଣାଇଁ : ଦୀର୍ଘଦିନ ଧରି ବଣାଇଁ ବନଖଣ୍ଡ ଅଞ୍ଚଳରେ ସକ୍ରିୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରି ରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା । ପ୍ରାୟ ଦେଢମାସ ହେବ ବଣାଇଁ ବନଖଣ୍ଡ ଅଞ୍ଚଳରେ ବନ୍ୟ ପ୍ରାଣୀ ଶିକାରୀଙ୍କ ଗତିବିଧି ବୃଦ୍ଧି ପାଇବା କାରଣରୁ ବିଭାଗ ପ୍ରାୟ ଏକ ମାସ ଧରି ଟ୍ରାକିଂ ଚଳାଇଥିଲା ।

ସୁ-ସମନ୍ଵିତ ସନ୍ଧାନ କ୍ରମେ ଗୁରୁବାର ସକାଳ ସମୟରେ ବନଖଣ୍ଡର ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, ଜର୍ଡା ବନାଞ୍ଚଳ ଅଧିକାରୀ କୈଳାସ କିଷାନଙ୍କ ନେତୃତ୍ଵରେ ଏକ ୩୫ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ ସ୍ଥାନରୁ ପାଞ୍ଚଟି ଦେଶୀ ବନ୍ଧୁକ, ଦୁଇଟି ମାଙ୍କଡ଼ ଚମଡା, ଦୁଇଟି କୁଟୁରା ଶିଙ୍ଘ, ଶିକାର ଫାଶ, ଆଠ’ଟି ଧନୁ ତୀର, ବ୍ୟାପକ ବାରୁଦ, ଅଫୁଟା ଗୁଳି, ମୟୁର ପୁଚ୍ଛ, ଝିଙ୍କ କାଠି, ଦୁଇଟି ମୋବାଇଲ, ଓ ଗୋଟିଏ ବାଇକ ଜବତ କରାଯାଇଛି ।

ଏହି ଶିକାରରେ ସମ୍ପୃକ୍ତ ତଥା ପୁଣି ଶିକାର ପାଇଁ ଯୋଜନା ଚଳାଇଥିବା ଥିବା ୬ ଜଣଙ୍କୁ ବନବିଭାଗର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି । ଗିରଫ ଶିକାରୀମାନେ ହେଲେ ରାଜକୁମାର ପ୍ରଧାନ, ରମଣୀ ରଞ୍ଜନ ପାତ୍ର, ଶରତ ନାଏକ, ଭୀମ କିଷାନ, ନାରାୟଣ ହସ୍ତୀ ଓ ବିଶ୍ଵନାଥ ହସ୍ତୀ । ଏମାନଙ୍କ ଘର ସୁନ୍ଦରଗଡ଼ ଜିଲାର ଜର୍ଡା, ସୋଲ ସମେତ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳର ବୋଲି ସୂଚନା ମିଳିଛି । ଗିରଫ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍ ଲଳିତ କୁମାର ପାତ୍ର ସ୍ପଷ୍ଟ କରିଛନ୍ତି ।

Comments are closed.