www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁର ଶୀତଳଷଷ୍ଠୀ; ସଂପନ୍ନ ହେଲା ଶିବ ବିବାହ, ଆଜି ମୁଖ୍ୟ ଶୋଭାଯାତ୍ରା

ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସବୁଠୁ ମହନୀୟ ଅଧ୍ୟାୟ- ଶିବ-ପାର୍ବତୀଙ୍କ ବିବାହ ରବିବାର ବିଳମ୍ବିତ ରାତିରେ ସଂପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ମଙ୍ଗଳବାର ବ୍ରାହ୍ମ ମୁହୂର୍ତ୍ତରେ ଦେବାଧିଦେବ ମହାଦେବ ଜଗଜ୍ଜନନୀ କରୁଣାମୟୀ ମା’ ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି । ସୋମବାର ସକାଳେ କନ୍ୟା ବିଦାୟ ଓ ମଧ୍ୟରାତ୍ରରୁ ଆରମ୍ଭ ହେବ ଦେବଦମ୍ପତିଙ୍କ ବର୍ଣ୍ଣାଢ୍ୟ ଲେଉଟାଣୀ। ନବବଧୂ ପାର୍ବତୀଙ୍କ ସହ ମହାଦେବ ସ୍ୱମନ୍ଦିର ଲେଉଟିବେ। ସୋମବାର ମଧ୍ୟରାତ୍ରିରୁ ଆରମ୍ଭ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ବହୁ ପ୍ରତୀକ୍ଷିତ, ବହୁ ଆକାଂକ୍ଷିତ ଅଧ୍ୟାୟ- ମୁଖ୍ୟ ଶୋଭାଯାତ୍ରା। ସୋମବାର ମଧ୍ୟରାତ୍ରିରୁ ଦେବଦମ୍ପତି ନଗର ପରିକ୍ରମା ଆରମ୍ଭ କରି ମଙ୍ଗଳବାରର ମାଙ୍ଗଳିକ ସନ୍ଧ୍ୟାରେ ସ୍ୱମନ୍ଦିର ପ୍ରବେଶ କରିବେ।
ଶିବ ବିବାହ କ୍ରମରେ ରବିବାର ସକାଳେ ଶିବ-ପାର୍ବତୀ ଗତ ବର୍ଷର କନ୍ୟା ମାତାପିତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦୁହିଙ୍କ ମଧ୍ୟରେ ପଡ଼ିଥିବା ଗଣ୍ଠି ଖୋଲା ଯାଇଥିଲା। ଶିବ-ପାର୍ବତୀ ସେଠାରୁ ମନ୍ଦିରକୁ ଫେରିଲା ପରେ ଏ ବର୍ଷର କନ୍ୟା ପିତାମାତା ଦେବୀ ପାର୍ବତୀଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ। ଶିବାଳୟରେ ଶିବଙ୍କ ରୁଦ୍ରାଭିଷେକ ଓ ପିତ୍ରାଳୟରେ ପାର୍ବତୀଙ୍କ ହରିଦ୍ରାଭିଷେକ ବା ‘ଗଣଷଣ’ ହୋଇଥିଲା। ରାତିରେ ବରପିତା, ପୁରୋହିତ, ସପ୍ତଋଷି, ମୁରବୀ, ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତାଙ୍କ ଗହଣରେ ବରବେଶୀ ମହାଦେବ ଥାଟ ପଟୁଆର ଧରି ବାହାରିଥିଲେ ପାର୍ବତୀଙ୍କ ବାସଭବନ ଅଭିମୁଖେ। ବରଯାତ୍ରୀ ଦଳରେ ଦୁଲଦୁଲି, କିନ୍ନର ଓ ନର୍ତ୍ତକୀଙ୍କ ନାଚ ପରିବେଷିତ ହୋଇଥିଲା। ନନ୍ଦପଡ଼ାର ବମ୍‌ବରାଡ଼ ଶ୍ରୀ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବା ତଥା ଅନ୍ୟ ସମସ୍ତ ଶିବାଳୟରୁ ବାହାରିଥିଲେ ବରଯାତ୍ରୀ। ବରବେଶୀ ଶିବ ପାର୍ବତୀଙ୍କ ବାସଭବନ ଆଗରେ ପହଞ୍ଚିବାରେ କନ୍ୟାପକ୍ଷ ସେମାନଙ୍କୁ ପାଛୋଟି ନେଇ ଆପ୍ୟାୟିତ କରିଥିଲେ। ବରବେଶୀ ଶିବଙ୍କ ‘ଗାଲସେକା’ ପରେ ତାଙ୍କୁ ବିବାହ ବେଦୀକୁ ପାଛୋଟି ନେଇ ପୁରୋହିତଙ୍କ ମନ୍ତ୍ରପାଠ ଓ ଶ୍ଲୋକ ଆବୃତ୍ତି ମଧ୍ୟରେ ଲୋକାଚାରରେ ବରବେଶୀ ମହାଦେବ ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଛନ୍ତି। ନନ୍ଦପଡ଼ାର ବମ୍‌ବରାଡ଼ ବାଲୁଙ୍କେଶ୍ୱର, ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର, ଗୋବିନ୍ଦତୋଲାର ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବାଙ୍କ ବିବାହ ସଂପାଦିତ ହୋଇଛି। ସିନ୍ଦୁରପଙ୍କର ଶ୍ରୀ ଶ୍ରୀ ତାରକେଶ୍ୱର ବାବାଙ୍କ ବିବାହ ସଂପନ୍ନ ହୋଇଛି। ଶୀତଳ ଷଷ୍ଠୀ ଅବସରରେ ଶିବାଳୟଗୁଡ଼ିକ ଆଲୋକସଜ୍ଜାରେ ଉଦ୍‌ଭାସିତ ହୋଇଥିବା ବେଳେ ସମ୍ବଲପୁରର ଘରେ ଘରେ ଆତ୍ମୀୟ-ଅତିଥିଙ୍କ ସମାଗମ ଲାଗିଛି। ରବିବାର ସନ୍ଧ୍ୟାରୁ ସମ୍ବଲପୁରକୁ ଜନସମାଗମ ଆରମ୍ଭ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories