www.samajalive.in
Sunday, December 14, 2025
26.1 C
Bhubaneswar

ଚିଲିକା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦେଶ

ଭୁବନେଶ୍ୱର: ଚିଲିକାରେ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଜଳ ପରିବହନ ନିର୍ଦେଶକଙ୍କୁ ତଦନ୍ତ ଭାର ଦିଆଯାଇଛି। ମୁଖ୍ୟତଃ ତିନିଟି ଦିଗରେ ଏହି ତଦନ୍ତ ହେବ। କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା, ଡଙ୍ଗାରେ ଜୀବନରକ୍ଷାକାରୀ ପୋଷାକ(ଲାଇଫ୍‍ ଜ୍ୟାକେଟ୍‍) ଥିଲା କି ନାହିଁ ଏବଂ ଭବିଷ୍ୟରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ କଣ କରାଯାଇପାରିବ ସେ ସଂକ୍ରାନ୍ତରେ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ଡଙ୍ଗା ମାଲିକ ବସନ୍ତ ବେହେରାଙ୍କୁ ଜେଲ୍‍ ପଠାଯାଇଛି।

କଣ ଥିଲା ଘଟଣା

ରଜ ଅବସରରେ ଶନିବାର ଅପରାହ୍ଣ ୫ଟାରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ଦେଶୀ ଡଙ୍ଗା ବାଲୁଗାଁ ଜେଟିରୁ କାଳୀଜାଈ ଅଭିମୁଖେ ବାହାରିଥିଲା। ସେଠାରୁ ଫେରିବା ବେଳେ ପ୍ରବଳ ଝଡ଼ ତୋଫାନ ହୋଇଥିଲା। ଏଥିରେ ଡଙ୍ଗା ବୁଡ଼ି ଯାଇ ୪ ଶିଶୁଙ୍କ ସମେତ ୬ ଜଣଙ୍କ ଜୀବନ ହାନି ହୋଇଥିଲା।
କିଛି ଯାତ୍ରୀଙ୍କ କହିବା ଅନୁଯାୟୀ, ଝଡ଼ତୋଫାନ କମିବା ପରେ ଯାତ୍ରା ଆରମ୍ଭ କରିବା ଲାଗି କିଛି ଯାତ୍ରୀ ଡଙ୍ଗା ଚାଳକଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ସେ ସବୁକୁ ବେଖାତିର କରି ଡଙ୍ଗା ଚାଳକ ସେହି ସମୟରେ ହିଁ ଯାତ୍ରା ଆରମ୍ଭ କରିଥିଲା। ଅନଭିଜ୍ଞ ଚାଳକ ସମ୍ଭାଳି ନ ପାରିବାରୁ ଡଙ୍ଗା ଭାରସମ୍ୟ ହରାଇ ବୁଡ଼ି ଯାଇଥିଲା। ଓଡ୍ରାଫ୍‍ ଟିମ୍‍, ଆଇଏନଏସ୍‍ ଚିଲିକାର କର୍ମଚାରୀ, ପୁଲିସ୍‍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଶନିବାର ରାତି ସୁଦ୍ଧା ନୟାଗଡ଼ ଜିଲା ଡିମିସର ଗ୍ରାମର ପ୍ରମୋଦିନୀ ଜେନା ନାମ୍ନୀ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା। ତାଙ୍କ ୮ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଶନିବାର ରାତିରେ ଆଉ ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରବିବାର ସକାଳୁ ପାଣି ଭିତରୁ ବାକି ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସେମାନେ ହେଲେ ନୟାଗଡ଼ ଜିଲା ନରସିଂହପୁରର ଗ୍ରାମର କଳ୍ପନା ମହାନ୍ତି, ସୁଚିତ୍ରା ମହାନ୍ତି(୭), ଶିଖରପଦର ଗ୍ରାମର ମୀରା ପଟ୍ଟନାୟକ(୧୧), ନୟାଗଡ଼ ପାଟଣାଜାମୁ ସାହିର ସୁଧାଂଶୁ ଦାସ(୪)।
ଦୁର୍ଘଟଣା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାରୀ ଓ ପ୍ରଶାସନିକ ଉଦାସୀନତା କାରଣରୁ ଏବଂ ଡଙ୍ଗାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହୁ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ମାଲିକ ବସନ୍ତ କୁମାର ସାହୁ ଓ କର୍ମଚାରୀ ଅର୍ଜୁନ ବେହେରାଙ୍କୁ ପୁଲିସ ଅଟକ ରଖିଥିଲା। ଡଙ୍ଗାଟି ପଞ୍ଜିକୃତ ହୋଇଥିଲେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅକାଳରେ ୬ ଜୀବନ ଗଲା ବୋଲି ଅଭିଯୋଗ ହୋଇଛି।
ମୃତକଙ୍କ ପରିବାରକୁ ରେଡ୍‍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories