୩୨୬୬ କୋଟିର ୧୧ ପ୍ରକଳ୍ପ ଅନୁମୋଦିତ
ଏକକ ବାତାୟନ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ
ଭୁବନେଶ୍ବର : ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହାଦ୍ବାରା ଓଡ଼ିଶାବାସୀଙ୍କ ପାଇଁ ୯୧୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଧାତବ ଡାଉନ୍ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ୍, ବୟନ, ପୋଷାକ, ଆଇଟି ଏବଂ ଇଏସ୍ଡିଏମ୍ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ବୈଠକରେ ଅନୁମୋଦନ ମିଳିଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ‘ନେସ୍େଲ ଇଣ୍ଡିଆ ଲିମିଟେଡ୍’ ୮୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ଯାହା ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ସେହିପରି ମେସର୍ସ କଲରଟୋନ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧.୨ ମେଗାୱାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାୱାର ପ୍ଲାଣ୍ଟ ସହିତ ଏକ ସମନ୍ୱିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରୁଛି। ଯାହା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍ ମଧ୍ୟ ୯୮୦ କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଆଇଡିଭିବି ରିସାଇକ୍ଲିଂ ଅପରେସନ୍ସ୍ ୩୧୮ କୋଟି ଟଙ୍କା ବିନିଯୋଗରେ ୬୩ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ରିସାଇକେଲ୍ ହୋଇଥିବା ପେଟ୍ ଫ୍ଲେକ୍ସ ଏବଂ ରେଜିନ୍ ଉତ୍ପାଦର ପୁନଃବ୍ୟବହାର ହେଉଥିବା ଏକ ନୂତନ ୟୁନିଟ୍ ସ୍ଥାପନ କରିବ। ଯାହା ୨୪୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ପୂର୍ବ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପ୍ଲାଷ୍ଟିକ୍ କ୍ୟାପ୍, ପେଟ୍ ପ୍ରିଫର୍ମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହା ୧୫୨ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୧୩୩ରୁ ଅଧିକ ଲୋକ ରୋଜଗାର ପାଇବେ। ଆରଡିବି ରସାୟନସ୍ ଲିଃ. ୫୯ କୋଟି ଟଙ୍କା ବିନିଯୋଗରେ ୬ ହଜାର ମେଟ୍ରିକ୍ ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ଫ୍ଲେକ୍ସିବଲ୍ ଇଣ୍ଟରମିଡିଏଟ୍ ବଲ୍କ କଣ୍ଟେନର୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।
ଯାହାଦ୍ୱାରା ୩୯୦ କର୍ମନିଯୁକ୍ତି ମିଳିବ। ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡ୍୍ର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ଓଡ଼ିଶାର ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିସୁମ କନ୍ସଲଟିଂ ପ୍ରାଇଭେଟ ଲିମିଟେଡ ଦ୍ୱାରା ୨୦୦ କୋଟି ଟଙ୍କା ନିବେଶରେ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ହେବ। ଯାହା ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ।
Comments are closed.