କରୋନା ଭୂତାଣୁର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟ୍କୁ ସିଙ୍ଗାପୁର ସରକାର ଖଣ୍ଡନ କରିଛନ୍ତି। ସିଙ୍ଗାପୁରରେ କରୋନାର ‘ଅତ୍ୟନ୍ତ ବିପଜ୍ଜନକ’ ଭାରିଆଣ୍ଟ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହାର କୌଣସି ସତ୍ୟତା ନ ଥିବା ସିଙ୍ଗାପୁର କହିଛି।
ନିକଟକରେ କେଜ୍ରିୱାଲ ଏକ ଟ୍ବିଟ୍ କରି ଲେଖିଥିଲେ, ସିଙ୍ଗାପୁରରେ ଦେଖାଦେଇଥିବା କରୋନାର ଏକ ନୂଆ ଷ୍ଟ୍ରେନ ଅତ୍ୟନ୍ତ ବିପଜ୍ଜନକ। ଏହା ଭାରତରେ ୩ୟ ତରଙ୍ଗ ରୂପରେ ଅନୁପ୍ରବେଶ କରିପାରେ। ଏହି ଭୂତାଣୁ ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ। ଛୋଟ ପିଲାମାନେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କା ବେଶୀ ବୋଲି କେଜ୍ରିୱାଲ ଟ୍ବିଟ୍ କରିଥିଲେ। କେଜ୍ରିୱାଲ ଟ୍ବିଟ କରି ଆହୁରି ଲେଖିଥିଲେ ଯେ, କେନ୍ଦ୍ର ସରକାର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ସତର୍କ ହେବା ଜରୁରୀ। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବାକୁ ରଦ୍ଦ କରିବା ଆବଶ୍ୟକ।
କେତେକ ଗଣମାଧ୍ୟମରେ କେଜ୍ରିୱାଲଙ୍କ ଟ୍ବିଟ୍ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସିଙ୍ଗାପୁର ଏହାର ଖାରଜ କରିଛି। ସିଙ୍ଗାପୁର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସିଙ୍ଗାପୁର ଭାରିଆଣ୍ଟ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟର କୌଣସି ସତ୍ୟତା ନାହିଁ। ଦେଶରେ ଏବେ ଯେଉଁ ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି ତାହା ହେଉଛି ବି୧୬୧୭୨ ଭାରିଆଣ୍ଟ, ଯାହା ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା।
ଅନ୍ୟପଟେ କେଜ୍ରିୱାଲଙ୍କ ଟ୍ବିଟ୍କୁ ନେଇ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କେବଳ ବନ୍ଦେ ଭାରତ ମିଶନ ଅଧୀନରେ ସିଙ୍ଗାପୁର ଏବଂ ଭାରତ ମଧ୍ୟରେ କିଛି ବିମାନ ଚଳାଚଳ କରୁଛି। ଏଥିରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି।



