ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ପିଭି ସିନ୍ଧୁ
ନୂଆଦିଲ୍ଲୀ : ସ୍ୱୀଜରଲାଣ୍ଡର ବାସେଲ ଠାରେ ଆୟୋଜିତ ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଭାରତର ପ୍ରଥମ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଆନ୍ ପିଭି ସିନ୍ଧୁ ମଙ୍ଗଳବାର ସକାଳେ ସ୍ୱଦେଶ ଫେରିଛନ୍ତି। ଭାରତ ଫୋରିବାପାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ମୋଦୀ ତାଙ୍କୁ ଦେଖାକରି ଭାରତର ଗୌରବ ବୋଲି କହିଥିଲେ। ଏହା ପରେ ମୋଦୀ ନିଜର ଟ୍ବିଟର ଆକାଉଣ୍ଟରେ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳିଙ୍କ ସହିତ କିଛି ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ସିନ୍ଧୁ ଜଣେ ଚାମ୍ପିଆନ୍ ଯିଏ ସ୍ୱର୍ଣ୍ଣ ପଦକ ଏବଂ ଅନେକ ଯଶ-କୀର୍ତ୍ତି ସହ ସ୍ୱଦେଶ ଫେରିଛନ୍ତି। ସିନ୍ଧୁଙ୍କ ସହ ସାକ୍ଷାତ କରି ବହୁତ ଖୁସି ଲାଗିଲା। ତାଙ୍କୁ ମୋର ଶୁଭେଚ୍ଛା ଏବଂ ଭବିଷ୍ୟତ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭକାମନା ଜଣାଉଛି।
ରବିବାର ଖେଳା ଯାଇଥିବା ମହିଳା ସିଙ୍ଗଲ୍ସର ଏକତରଫା ଫାଇନାଲରେ ପି.ଭି. ସିନ୍ଧୁ ୩ୟ ସିଡ୍ ତଥା ପୂର୍ବତନ ବିଶ୍ବ ଚମ୍ପିଆନ୍ ଜାପାନର ନୋଜୋମି ଓକୁହାରାଙ୍କୁ ସହଜରେ ୨୧-୭, ୨୧-୭ ଗେମ୍ରେ ପରାସ୍ତ କରିଥିଲେ। ପୂର୍ବରୁ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ଫାଇନାଲ ମ୍ୟାଚ୍ ଏପରି ଏକତରଫା ଦେଖିବାକୁ ମିଳିନଥିଲା। ଉଭୟ ଗେମ୍ରେ ପ୍ରାଧାନ୍ୟ ବିସ୍ତାରକରି ସିନ୍ଧୁ ମ୍ୟାଚ୍କୁ ମାତ୍ର ୩୬ ମିନିଟରେ ଜିତି ନେଇଥିଲେ। ଫଳରେ ବ୍ୟାଡ୍ମିଣ୍ଟନରେ ବିଶ୍ବ ଚମ୍ପିଆନ୍ ଦେଖିବା ଲାଗି ଭାରତୀୟଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଥିଲା। ଏହାକୁ ମିଶାଇ ପି.ଭି. ସିନ୍ଧୁ କ୍ରମାଗତ ୩ୟ ଥର ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଗତ ୨ ଥର ସିନ୍ଧୁଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥର ଚମତ୍କାର ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍କୁ ସହଜରେ ଜିତି ସିନ୍ଧୁ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲେ। ପୂରା ମ୍ୟାଚ୍ରେ ସିନ୍ଧୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଡ଼ ବ୍ୟବଧାନରେ ଆଗୁଆ ରହିଥିଲେ।
Comments are closed.