www.samajalive.in
Sunday, December 14, 2025
16.1 C
Bhubaneswar

୧୮ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବ

ବାରିପଦା: ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଗାମୀ ୧୮ ତାରିଖ ଠାରୁ ଖୋଲିବ। ସାଧାରଣତଃ ପ୍ରତିବର୍ଷ ନଭେମ୍ବର ଏକ ତାରିଖଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। ହେଲେ ଏଥର ୧୦ ଦିନ ପୂର୍ବରୁ ଅର୍ଥାତ୍ ଆଗାମୀ ୧୮ ତାରିଖଠାରୁ ପର୍ଯ୍ୟଟକଙ୍କ ସକାଶେ ଖୋଲାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜୁଲାଇ ୧ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁଯାୟୀ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରିଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରିଚକିଆ ଯାନଗୁଡ଼ିକ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରେନ୍ସ ରହିବାର ଆବଶ୍ୟକତା ରହିଥିବା ସହିତ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ ରହିଛି। ଏହି ଫାଟକ ଦେଇ ଭାରୀଯାନ ପ୍ରବେଶକୁ ନିଷେଧ କରାଯାଇଛି।

- Advertisement -

ପର୍ଯ୍ୟଟକମାନେ ପୂର୍ବାହ୍ନ ୮ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପିଠାବଟା ତନଖି ଫାଟକ ଏବଂ ସକାଳ ୫ଟାଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଯଶିପୁର ଦେଇ ନିଜସ୍ୱ ଯାନରେ ପ୍ରବେଶ କରିପାରିବେ। ପର୍ଯ୍ୟଟକଙ୍କୁ ସେହିଦିନ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବାକୁ ପଡ଼ିବ। ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତିପତ୍ର କେବଳ ୱେବସାଇଟ ମାଧ୍ୟମରେ ପାଇପାରିବେ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଦେଖାଇ ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନକୁ ପ୍ରବେଶ କରିପାରିବେ। ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ଉପଯୁକ୍ତ ନିୟମାବଳୀ ପାଳନ ନିମନ୍ତେ ଲିଖିତନାମା ଦେବା ସହ ନିୟମାବଳୀ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ସାମଗ୍ରୀକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ତନଖି ଫାଟକରେ ଯାଞ୍ଚ କରାଯିବ। ଅପରାହ୍ଣ ୪ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ସ୍ଥାନ ଛାଡ଼ିବାକୁ ପଡ଼ିବ।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ-୧୯୭୨ର ଉଲ୍ଲଂଘନ, ପାର୍କରେ ଆବର୍ଜନା ପକାଇବା, ଯାନବାହାନ ଦ୍ୱାରା ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭ୍ରମଣ ପାଇଁ ଶିିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାର ନିଷ୍ପତ୍ତି ମଝି ମଝିରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଏବଂ ପାଣିପାଗ ଅନୁଧ୍ୟାନ କରି ବନ୍ଦ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories