ନୂଆଦିଲ୍ଲୀ: ବିଶ୍ୱରେ ଚାରିଆଡେ କୋଭିଡ–୧୯କୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ବଜାରରେ ଦୈନିକ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଚାଲିଛି। ପ୍ରତ୍ୟେକ ଦିନ ସୁନା ଓ ରୁପା ମୂଲ୍ୟରେ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି। ଏଭଳି ସ୍ଥିତିରେ ଏବେ ଘରୋଇ ବଜାରରେ ସୁନା ଭରି ୫୬,୦୦୦ ଟଙ୍କା ଓ ରୂପା ମୂଲ୍ୟ ୭୨୦୦୦ ଟଙ୍କା ଟପିଛି। ଏମିତି କି ଗୋଟିଏ ଦିନରେ ରୁପା ମୂଲ୍ୟରେ ୫୯୭୨ ଟଙ୍କା ବୃଦ୍ଧି ଘଟି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି।
ସମ୍ପ୍ରତି କୋଭିଡ଼-୧୯କୁ ନେଇ ବିଶ୍ୱ ଷ୍ଟକ ବଜ଼ାରରେ ମାନ୍ଦାବସ୍ଥା ଛାଇ ରହିଥିବା ଯୋଗୁଁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଢେର ବଢିଯାଇଛି। ଏଥିଯୋଗୁଁ ବିଦେଶୀ ତଥା ଘରୋଇ ବଜାରରେ ସୁନା ମହଙ୍ଗା ହୋଇଛି। ଆଜି ରାଜଧାନୀ ନୂଆଦିଲ୍ଲୀଠାରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୩୬୫ ଟଙ୍କା ବୃଦ୍ଧି ଘଟି ୫୬,୧୫୧ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା କିଲୋ ପିଛା ୫୯୭୨ ଟଙ୍କା ବୃଦ୍ଧି ଘଟି ୭୨,୭୨୬ ଟଙ୍କା ହୋଇଛି।
ସୂଚନାଯୋଗ୍ୟ ପୂର୍ବରୁ ରୁପା ମୂଲ୍ୟରେ ଏଭଳି ବୃଦ୍ଧି କେବେ ଦେଖିବାକୁ ମିଳି ନ ଥିଲା। ରୁପା କିଲୋ ପିଛା ୭୨,୦୦୦ ଟଙ୍କା ଟପିବା ପ୍ରଥମ ଘଟଣା। ବଜାର ବିଶେଷଜ୍ଞଙ୍କ ମତରେ ବିଶ୍ୱର ଅନ୍ୟ ମୁଦ୍ରା ତୁଳନାରେ ଡଲାର ମୁଲ୍ୟ କମଜୋର ହେବା ଏବଂ କୋଭିଡ ସଂକ୍ରମଣ ଘଟଣା ବଢୁଥିବା ଦୃଷ୍ଟିରୁ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଆଶଙ୍କା ଦେଖାଦେଉଥିବା ଦୃଷ୍ଟିରୁ ବଜାରରେ ସୁନା ଓ ରୁପା ଭଳି ଧାତବ ପଦାର୍ଥର ମୂଲ୍ୟ ବଢ଼ିବାରେ ଲାଗିଛି। ଏହାଛଡା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୦୩୨ ଡଲାର ଏବଂ ରୁପା ଆଉନ୍ସ ପ୍ରତି ୨୬୪୦ ଡଲାର ହୋଇଛି।



