ଶିକ୍ଷକ ଅଭାବକୁ ନେଇ ବଢୁଛି ଅସନ୍ତୋଷ ; ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ପଡ଼ିଲା ତାଲା
ପାଠପଢା କୁ ନେଇ ଚିନ୍ତାରେ ଛାତ୍ର ଛାତ୍ରୀ
ରେଙ୍ଗାଲିକ୍ୟାମ୍ପ : ବୃଦ୍ଧି ପାଉଛି ବିଦ୍ୟାଳୟ ସମସ୍ୟା। ମୁଖ୍ୟତଃ ଅଧିକାଂଶ ବିଦ୍ୟାଳୟ ଗୁଡିକରେ ରହିଛି ଶିକ୍ଷକ ଅଭାବୀ ସମସ୍ୟା । ଯାହା ଆଜି ଦେଖିବାକୁ ମିଳିଛି ଅତାବିରା ବ୍ଲକ ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏଠି ପଢୁଛନ୍ତି ପାଞ୍ଚ ଖଣ୍ଡ ଗ୍ରାମର ୨୬୦ ଜଣ ଛାତ୍ର ଛାତ୍ରୀ । ଛାତ୍ର ଛାତ୍ରୀ ଓ ଶିକ୍ଷକ ଅନୁପାତ ହିସାବରେ ୮ ଜଣ ଶିକ୍ଷକ ଆବଶ୍ୟକ କିନ୍ତୁ ଅଛନ୍ତି ୭ ଜଣ।
ଏହି ୭ ଜଣ ମଧ୍ୟରୁ ଜଣଙ୍କର ପୁଣି ବଦଳି ହୋଇଛି, ଯିଏ କି ଜଣେ ତାଲିମ ପ୍ରାପ୍ତ ବି.ଇ ଡି ଶିକ୍ଷକ। ଯଦି ସେ ଚାଲି ଯାଉଛନ୍ତି, ତେବେ ବିଦ୍ୟାଳୟରେ ଏମ୍ ଇ ବିଭାଗରେ ବିଜ୍ଞାନ ବିଷୟ ପଢେଇବ କିଏ ? ଏ ନେଇ ଆଜି ବିଦ୍ୟାଳୟ କମିଟି ତଥା ଅଭିଭାବକ-ଅଭିଭାବିକା ମାନେ ବିଦ୍ୟାଳୟରେ ତାଲା ପକେଇ ସ୍ଥାୟୀ ଶିକ୍ଷକ ପଦବୀ ପୁରଣ ନ ହେବା ଯାଏ ସ୍କୁଲ୍ ବନ୍ଦ ରହିବ ବୋଲି ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଶିକ୍ଷକ ସମସ୍ୟା ନେଇ ଅନେକ ଥର ସେମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଜଣାଇ ସାରିଛନ୍ତି ଲିଖିତ ମାଧ୍ୟମରେ । କିନ୍ତୁ ଆଜି ଯାଏ ଏହାର କୌଣସି ସମାଧାନ କରାଯାଇ ନାହିଁ। କିଛି ଦିନ ତଳେ ଏହି ଶିକ୍ଷକ ବଦଳିକୁ ବନ୍ଦ କରିବା ନେଇ ବିଦ୍ୟାଳୟ କମିଟି ତାଲା ବନ୍ଦ କରିଥିଲେ। କିନ୍ତୁ ବ୍ଲକ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଦ୍ୟାଳୟର ସେହି ଶିକ୍ଷକଙ୍କୁ ବଦଳି କରାଯିବ ନାହିଁ । ତେଣୁ ସେମାନେ ତାଲା ଖୋଲିଥିଲେ। କିନ୍ତୁ ଆଠ ଦିନ ପରେ ସେହି ଶିକ୍ଷକଙ୍କୁ ବଦଳି କରାଯାଇ, ତାଙ୍କ ବଦଳରେ ଅନ୍ୟ ଏକ ଶିକ୍ଷକଙ୍କୁ ଡେପୁଟ କରାଯାଉଛି । ତେଣୁ ସ୍ଥାୟୀ ବିଜ୍ଞାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ ନ ଦେବା ଯାଏ ସ୍କୁଲ୍ ବନ୍ଦ ରହିବ ବୋଲି ଆଜି ଅନର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକେଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଶିକ୍ଷକ ସମସ୍ୟା ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ସ୍କୁଲ୍ କମିଟି ସଭାପତି ରମେଶ କୁମାର ବଢେଇ, ଲକ୍ଷ୍ମୀ ମେହେର, ଅଚୂତା ମେହେର,ଅକ୍ଷୟ ବଢେଇ, ରୁକୁଣି ସାହୁ, କମଳାକାନ୍ତ ମହାପାତ୍ର, ଓମ୍ ପ୍ରକାଶ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀ ମିଳିତ ଉଦ୍ୟମରେ ଏହି ତାଲା ବନ୍ଦ ରେ ସାମିଲ ହୋଇଥିଲେ ।
Comments are closed.