www.samajalive.in
Sunday, December 14, 2025
14.1 C
Bhubaneswar

ସରକାରୀ କର୍ମଚାରୀଙ୍କଠୁ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ନେଇ ବର୍ଷିଲେ ଧର୍ମେନ୍ଦ୍ର

ତାଳଚେର/ଭୁବନେଶ୍ୱର : ରାଜ୍ୟରେ ଗତ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଠାରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଉଛି । ଗତକାଲି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପାଖରୁ ନଗଦ ୩ କୋଟି ଟଙ୍କା ଜବତ ହୋଇଛି  ଏହା କଣ ମୁଖ୍ୟମନ୍ତ୍ରୀଙ୍କ ପିସି ବନ୍ଦ ସ୍ଳୋଗାନର ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣର ୯ ବର୍ଷର ପୂର୍ତ୍ତି ଅବସରରେ ଶନିବାର ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଏହା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଗରିବ, ଜନଜାତି, ପଛୁଆ ଲୋକଙ୍କର ଖଟିଖିଆ ପଇସା ବାଟମାରଣା ହେଉଛି । ରାଜ୍ୟ ସରକାରରେ ଦାୟିତ୍ୱରେ ଥିବା ଲୋକମାନେ ଏହି କାମରେ ଲାଗିଛନ୍ତି । ଓଡ଼ିଶାରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏବଂ ଓଡ଼ିଶା ଲୋକଙ୍କ ପଇସାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ରାଜ୍ୟରେ ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଦୁର୍ନୀତି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦୀ ବିରୋଧୀ ମନୋବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇପାରୁନାହିଁ । ବିଗତ ବର୍ଷରେ ମୋଦୀ ସରକାର ପ୍ରଚୁର ଅର୍ଥ ଦେବା ପରେ ପରେ ରାଜ୍ୟ ସରକାରଙ୍କ ପାଇଁ ତାଳଚେର ଅବହେଳା ହୋଇଅଛି । ଅନୁଗୋଳ ଓ ତାଳଚେର ଭଳି ଶିଳ୍ପାଞ୍ଚଳରୁ ଓଡ଼ିଶା ସରକାର ଯେତେ ରାଜସ୍ୱ ନେଉଛନ୍ତି, ସେତିକି ମାତ୍ରାରେ ଦାୟିତ୍ୱ ନେଉନାହାନ୍ତି । ପ୍ରାୟ ୫୦୦ କୋଟି ମୂଲ୍ୟର ତାଳଚେର ନେହରୁ ଶତାବ୍ଦୀ ମେଡିକାଲ କଲେଜ ଅଚଳାବସ୍ଥା ମଧ୍ୟରେ ପଡିରହିଛି । ଏହାର ସମ୍ମୁଖରେ ଏମଏସିଏଲ ପକ୍ଷରୁ ଅନ୍ୟ ପ୍ରାୟ ୫୦୦ କୋଟି ମୂଲ୍ୟର ନୂତନ ମେଡିକାଲ କଲେଜ ଭବନ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଛି । ଏହା ସତ୍ତ୍ବେ ରାଜ୍ୟ ସରକାର ହସ୍ପିଟାଲ ଚଲାଇବା ପାଇଁ ରାଜି ନାହାନ୍ତି । ତାଳଚେରରେ ଦୁଇଟି ମେଡିକାଲ ଭବନ ନିର୍ମାଣ କରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା କ୍ଷେତ୍ରରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଳଚେର ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।
ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ଜାଗରଣ ତିଆରି ହୋଇଛି । ଗରିବ ଲୋକଙ୍କର ମହତ୍ତ୍ୱ ବଢିବା ସହ ଦେଶର ମାନ ସମ୍ମାନ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, ପାନୀୟ ଜଳର ସୁବିଧା, ଶୌଚାଳୟ, ଉଜ୍ଜଳା ଗ୍ୟାସ, ଜନଧନ, ମୁଦ୍ରା, ସାମାଜିକ ଭତ୍ତା ଓ କୋଭିଡ ଟିକାଦାନ, ଖଣି ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଖଣି ନୀତିରେ ଅଣାଯାଇଥିବା ନୂଆ ସଂସ୍କାର କାରଣରୁ ଓଡ଼ିଶା ଓ ଅନୁଗୋଳ ଜିଲ୍ଲା ଲାଭାନ୍ୱିତ ହୋଇଛି । ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନୁଗୋଳ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି ।
ଗୋଟିଏ ପଟେ ୯ ବର୍ଷର ସୁଶାସନ ଓ ଅନ୍ୟ ପଟେ ୨୩ ବର୍ଷର ଅପାରଗ ଶାସନ । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶାର ୩୭ ହଜାର ବୁଥରେ ମୋଦିଜୀଙ୍କ ଗରିବ କଲ୍ୟାଣର ବାର୍ତ୍ତା ପହଞ୍ଚାଇବା ସହ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଭ୍ରଷ୍ଟ, ଅପାରଗ ଓ ସମ୍ବେଦନହୀନ ସରକାରକୁ ପରିବର୍ତ୍ତନ କରିବା ପାଇଁ ଦୃଢ଼ ସଂକଳ୍ପ ନେବାର ସମୟ ଆସିଛି । ଆଗାମୀ ୧୦ ମାସ ଦିନ ରାତି ଏକ କରି ରାଜ୍ୟରେ ପରିବର୍ତ୍ତନ ସ୍ୱରକୁ ଶାଣିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories