ରାଉରକେଲା : ଏବେ ବିଭିନ୍ନ କାରବାର ପାଇଁ ସାମାଜିକ ଗଣମାଧ୍ୟମ ଏକ ଅସ୍ତ୍ର ପାଲଟିଛି । ବିଶେଷ କରି ଶିକ୍ଷିତ ଯୁବ ସମାଜ ନିଜର ପ୍ରକୃତ କାମଧନ୍ଦା ଛାଡ଼ି ସାମାଜିକ ଗଣମାଧ୍ୟମକୁ ରୋଜଗାର ପାଇଁ ବ୍ୟବହାର କରୁଛନ୍ତି । ତେବେ ଏଭଳି କାର୍ଯ୍ୟ ଭିତରେ ଫସିଯାଇଛନ୍ତି ଜଣେ ମେକାନିକାଲ ଗ୍ରାଜୁଏଟ । ୟୁଟ୍ୟୁବ୍ ଓ ହ୍ୱାଟ୍ସଆପରେ ମାଧ୍ୟମରେ ଗ୍ରାହକ ସଂଗ୍ରହ କରି ବନ୍ୟ ପକ୍ଷୀଙ୍କୁ ବିକ୍ରି କରିବା ଅଭିଯୋଗରେ ରାଉରକେଲା ବନ ବିଭାଗ ପକ୍ଷରୁ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଯୁବକଙ୍କ ନାମ ସରୋଜ କୁମାର ବଡାଇକ ଏବଂ ତାଙ୍କ ଘର ବିଶ୍ରା ଥାନା ଉଡୁସୁ ଗ୍ରାମରେ ବୋଲି ସୂଚନା ଦିଆଯାଇଛି । ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ଯୁବକ ଜଣକ ଡିସେମ୍ବର ୨୦୨୨ରୁ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ ଜରିଆରେ ବନ୍ୟପକ୍ଷୀଙ୍କ ବିକ୍ରି କରିବା ବେପାର କରୁଥିବା ସମ୍ପର୍କରେ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଫଳରେ ବନ ବିଭାଗର ଏକ ଟିମ୍ ବିଶ୍ରା ଛକ ନିକଟସ୍ଥ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ୨ଟି ସାରୀକୁ ବିକ୍ରି କରୁଥିବା ବେଳେ କୌଶଳକ୍ରମେ ଏହି ଯୁବକକୁ କାବୁ କରିଥିଲେ । ଯୁବକକୁ ବନ ବିଭାଗ ପକ୍ଷରୁ ପଚରାଉଚୁରା ବେଳେ ଏକ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଓ ପକ୍ଷୀ ବେପାର ଚାଲୁଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ସେଠୀ କହିଛନ୍ତି । ସମ୍ପୃକ୍ତ ଯୁବକଙ୍କୁ ବନ୍ୟଜନ୍ତୁ ଆଇନର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ଏହାସହ ଏହି ଘଟଣାକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଏହି ଆଇନରେ ଦୋଷୀକୁ ୩ବର୍ଷରୁ ଅଧିକ କାରାଦଣ୍ଡର ବ୍ୟବସ୍ଥା ରହିଥିବା ଶ୍ରୀ ସେଠୀ କହିଛନ୍ତି । ଏସିଏଫ୍ ସୌମ୍ୟରଞ୍ଜନ ଗୋଚ୍ଛାୟତ, ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ଉପସ୍ଥିତ ରହି ବିସ୍ତୃତ ସୂଚନା ଦେଇଥିଲେ।
ୟୁଟ୍ୟୁବ୍ରେ ବନ୍ୟ ପକ୍ଷୀଙ୍କ ବେପାର କରି ଫସିଗଲେ ମେକାନିକାଲ ଗ୍ରାଜୁଏଟ, ବନ ବିଭାଗ ଦ୍ୱାରା ଗିରଫ
Popular Categories



