ଭୁବନେଶ୍ବର/ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରେ ଆଉ ଜଣେ ଭାରତୀୟଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ହୋଇଛି। ଦ୍ବିତୀୟ ମୃତକ ହେଲେ ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଞ୍ଚଳର ଜଣେ ମହିଳା। ତାଙ୍କର ବୟସ ୬୯ବର୍ଷ। ସେ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ୍) ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପୁଅ ଠାରୁ ସଂକ୍ରମିତ ହୋଇଥିଲେ। ତାଙ୍କ ପୁଅ ଗତମାସରେ ସ୍ବିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତରୁ ଫେରିଥିଲେ। ତେବେ ମହିଳାଙ୍କ ପୁଅ ଠାରେ
ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ନିୟମ ଦୃଷ୍ଟିରୁ ଉଭୟ ମା ଓ ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୯ରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତାଙ୍କର ସ୍ବାବ ପରୀକ୍ଷା କରୋନା ପଜେଟିଭ ରହିଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରହିଥିଲା। ଏହା ପୂର୍ବରୁ କର୍ଣ୍ଣାଟକ କଲବର୍ଗୀ ଅଞ୍ଚଳର ମହମ୍ମଦ ହୁସେନ ସିଦ୍ଦିକ (୭୬)ଙ୍କର କରୋନା ସଂକ୍ରମଣରେ ବୁଧବାର ମୃତ୍ୟୁ ହୋଇଥିଲା। ସିଦ୍ଦିକ ଫେବୃଆରୀ ୨୯ରେ ସାଉଦି ଆରବରୁ ଫେରିଥିଲେ। ସେ ହାଇଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।



