ସମ୍ବଲପୁର: ମାଓବାଦୀ ସଂଗଠନର ଶୀର୍ଷ ନେତୃତ୍ବ ଧରାଶାୟୀ ହେବା ପରେ ମାଓବାଦୀଙ୍କ ମନୋବଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି। ଏବେ ମାଓବାଦୀମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ଏମିତି କି ଉପାନ୍ତରେ ଥିବା ଗାଁଗୁଡ଼ିକରେ ଲୁଚି ରହି ଲୋକଙ୍କଠାରୁ ମାଗି ଯାଚି ଖାଉଥିବା ସୂଚନା ମିଳିଛି। ଏଭଳି କିଛି ଗୁଇନ୍ଦା ରିପୋର୍ଟ ଆଧାରରେ ଆଜି ସିଆରପିଏଫ ପକ୍ଷରୁ ସମ୍ବଲପୁର-ସୋନପୁର ସୀମା ଚାରଗଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି।
ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ୪ କମ୍ପାନୀ ସିଆରପିଏଫ ଯବାନ ରେଢ଼ାଖୋଲ ବ୍ଲକର ରେଙ୍ଗାଲି ପଞ୍ଚାୟତରୁ ଠେଙ୍ଗୋ ଡ୍ୟାମ୍ ଅଞ୍ଚଳରେ ଯାଞ୍ଚ ଜାରି ରଖିଛନ୍ତି। ତେବେ ଏ ବାବଦରେ କୌଣସି ପୁଲିସ ଅଧିକାରୀ କିଛି ସୂଚନା ଦେଉନାହାନ୍ତି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ଫୋନ୍ ଲାଗୁ ନ ଥିବା ବେଳେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଫୋନ୍ ଉଠାଉନାହାନ୍ତି। ତେବେ ଅତିରିକ୍ତ ଏସପି ଅଜୟ ମିଶ୍ର ସମ୍ବଲପୁର ଜିଲାରେ ଏଭଳି କିଛି ଅପରେସନ ହେଉ ନାହିଁ, ସୀମାନ୍ତ ଅଞ୍ଚଳରେ ହେଉଥାଇପାରେ ବୋଲି କହିଛନ୍ତି। କିନ୍ତୁ ବିଶ୍ବସ୍ତସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶନିବାର ସନ୍ଧ୍ୟାରେ ଖବର ଲେଖିବା ବେଳେ ମଧ୍ୟ ଅପରେସନ ଜାରି ରହିଛି।



