www.samajalive.in
Sunday, December 14, 2025
16.1 C
Bhubaneswar

ମାଡ଼ି ଆସିଲା ସମୁଦ୍ର ; ୫ହଜାର ହେକ୍ଟର ଚାଷଜମିରେ ଲୁଣା ପାଣି, ଲୁଣାବନ୍ଧରେ ୬୦ ଫୁଟ୍‌ ଘାଇ

ଜଗତସିଂହପୁର/ଏରସମା :  ତିନିଦିନ ହେଲାଣି ଜଗତସିଂହପୁର ଜିଲାର ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘୁଛି। କେଉଁଠି ଗାଁ ଭିତରେ ସମୁଦ୍ର ପାଣି ପ୍ରବେଶ କରିଛି ତ ଆଉ କେଉଁଠି ଶହ ଶହ ଏକର ଜମିରେ ପାଣି ମାଡ଼ିଯାଇଛି। ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ଥିବାବେଳେ ଲଘୁଚାପ ଯୋଗୁଁ ଅଧିକ ଜୁଆରିଆ ହୋଇଛି। ଫଳରେ ତଟବର୍ତ୍ତୀ ଇଲାକାରେ ରହୁଥିବା ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ବୁଧବାର ଥିଲା ପୂର୍ଣ୍ଣମୀ। ଏଥିପାଇଁ ସମୁଦ୍ର ଜୁଆରିଆ ଥିଲା। ପ୍ରତ୍ୟେକ ମାସରେ ପୂର୍ଣ୍ଣମୀ ଓ ଅମାବାସ୍ୟା ପରି ଚଳିତଥର ଜୁଆର ସ୍ୱାଭାବିକ ନ ରହି ଅସ୍ୱାଭାବିକ ହୋଇଛି। ଜୁଆର ପ୍ରଭାବ ଅଧିକ ହେବାରୁ ଜଗତସିଂହପୁର ଜିଲାର ଏରସମା ଓ ପାରାଦ୍ୱୀପ ଅଞ୍ଚଳରେ ସମୁଦ୍ର କୂଳ ଲଂଘିଛି। ଗତକାଲି ଏରସମାର ଶିଆଳି ବେଳାଭୂମି ନିକଟବର୍ତ୍ତୀ ଇଲାକାରେ ସମୁଦ୍ର ପାଣି ମାଡ଼ି ଆସିଥିଲା। ଫଳରେ ପ୍ରାୟ ୩ଶହ ମିଟର ସ୍ଥଳଭାଗରେ ପାଣି ଜମି ରହିଥିଲା। ବେଳାଭୂମିରେ ଥିବା ଭିୟୁଟାୱାର ପ୍ରଭାବିତ ହୋଇଛି। ବିଶେଷକରି ଏରସମା ବ୍ଲକର ଶିଆଳି, ରାମତରା, କଳାବେଦୀ ଓ ନୋଳିଆସାହି ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ରାମତରା ଗାଁ ଭିତରେ ପାଣି ପଶି ଜନବସତିକୁ ମାଡ଼ିଯାଇଛି। ଲୋକଙ୍କ ରୋଷେଇ ଚୁଲି ବି ପାଣିରେ ବୁଡ଼ିଯାଇଛି। ଗଡ଼ହରିଶପୁର ପଞ୍ଚାୟତର ନୋଳିଆସାହି ଗାଁ ବି ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ଦେଢ କିଲୋମିଟରରୁ ଅଧିକ ଅଞ୍ଚଳକୁ ସମୁଦ୍ର ମାଡିଆସିଛି। ଗାଁକୁ ସୁରକ୍ଷା ଦେଉଥିବା ଲୁଣାବନ୍ଧରେ ୬୦ ଫୁଟ ଘାଇ ହୋଇଛି। ଏହି ବାଟଦେଇ ପାଣି ଗାଁ ଭିତରକୁ ମାଡ଼ିଆସିଥିବା ଲୋକେ କହିଛନ୍ତି। ଦିନ ବେଳା ସମୁଦ୍ର ଜୁଆର କମିଯାଉଛି। ହେଲେ ସଂଧ୍ୟା ପରଠାରୁ ଅସ୍ୱାଭାବିକ ଭାବେ ସମୁଦ୍ର ପାଣି ଗାଁ ଭିତରେ ପ୍ରବେଶ କରୁଛି। ଗାଁରେ ପାଣି ପ୍ରବେଶ କରିବାରୁ ଲୋକେ ଭୟଭୀତ ହୋଇ ରାତି ଉଜାଗର ରହିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ଗାଁରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରାତି ବିତାଉଛନ୍ତି। ବୁଧବାର ଠାରୁ ଏଭଳି ସ୍ଥିତି ଆରମ୍ଭ ହୋଇଥିବା ନୋଳିଆସାହି ଅଞ୍ଚଳବାସୀ କହିଛନ୍ତି। ପ୍ରାୟ ୫ହଜାର ହେକ୍ଟର ଚାଷ ଜମିରେ ଲୁଣାପାଣି ମାଡି ଯିବାରୁ ଚାଷ ପ୍ରଭାବିତ ହୋଇଛି। ଜୁଆର ପାଇଁ ଏହି ବ୍ଲକ ଉପକୂଳ ଅଞ୍ଚଳର ପ୍ରାୟ ୨୦ରୁ ଅଧିକ ଗାଁର ଲୋକ ଭୟଭୀତ ଅବସ୍ଥାରେ ରହିଛିନ୍ତି।
କେବଳ ଏରସମା ଅଞ୍ଚଳ ନୁହେଁ ପାରାଦ୍ୱୀପରେ ମଧ୍ୟ ସମୁଦ୍ର କୂଳ ଲଂଘୁଛି। ଗତକାଲି ରାତିରେ ମହାନଦୀ ମୁହାଣ ମୁହଁରେ ସମୁଦ୍ର ଅଧିକ ଜୁଆରିଆ ହେବାରୁ ମହାନଦୀ ମଧ୍ୟ ଫୁଲି ଉଠିଥିଲା। ଫଳରେ ନେହେରୁବଙ୍ଗଳା ସମୁଦ୍ରକୂଳରେ ଥିବା ବାଲି ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ମନ୍ମଥ ଉଦ୍ୟାନ ବି ଜଳମଗ୍ନ ହୋଇଛି। ଉଦ୍ୟାନ ଭିତରେ ପାଣି ପଶିବା ପରେ ନେହେରୁ ବଙ୍ଗଳା ବସ୍ତିବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ରାତିରେ ଅଧିକ ଜୁଆର ହେଉଥିବାରୁ ପାଣି ସ୍ଥଳଭାଗକୁ ମାଡ଼ି ଆସୁଛି। ତେବେ ଜୁଆର ପାଣିକୁ ରୋକିବାକୁ ଥିବା ପଥର ବନ୍ଧ କ୍ଷତିଗ୍ରସ୍ତ ହୋଇଥିବାରୁ ପାଣି ସ୍ଥଳଭାଗକୁ ମାଡ଼ି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିଭଳି ନେହେରୁବଙ୍ଗଳା ଠାରେ ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ଥିବା ଭୋଜନାଳୟ ନିକଟକୁ ପାଣି ଚାଲି ଆସୁଛି।
ଉଭୟ ଏରସମା ଓ ପାରାଦ୍ୱୀପରେ ସମୁଦ୍ର ପାଣି ସ୍ଥଳଭାଗକୁ ପ୍ରବେଶ କରିବା ପଛରେ ପ୍ରଶାସନିକ ଅବହେଳା ହିଁ ଦାୟୀ ବୋଲି ଲୋକେ ଆରୋପ ଲଗାଇଛନ୍ତି। ଏରସମାର ନୋଳିଆସାହି ସଂଲଗ୍ନ ଅଞ୍ଚଳରେ ଥିବା ସୁନାମୀ ପ୍ରତିରୋଧ ବନ୍ଧ ମୁକୁଳା ପଡ଼ିଛି। ଫଳରେ ସମୁଦ୍ରରେ ଜୁଆର ସାମାନ୍ୟ ଅଧିକ ହେଲେ ବି ପାଣି ସ୍ଥଳଭାଗକୁ ମାଡ଼ିଆସି କ୍ଷୟକ୍ଷତି ଘଟାଉଛି। ଏହି ବନ୍ଧର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଥିଲେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି। ସେହିଭଳି ପାରାଦ୍ୱୀପରେ ଜୁଆର ପାଣି ସ୍ଥଳଭାଗକୁ ଉଠିଥିବା ସ୍ଥାନରେ ପୂର୍ବରୁ ମଧ୍ୟ ପଥରବନ୍ଧ ଥିଲା। ହେଲେ ପଥରବନ୍ଧ କ୍ରମଶଃ କ୍ଷତିଗ୍ରସ୍ତ ହେବାରୁ ଜୁଆର ପାଣି ସ୍ଥଳଭାଗକୁ ପ୍ରବେଶ କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories