mission shakti banner

ଚାଲିବ ସି-ପ୍ଲେନ୍‌

BSKY banner  750×100
0

– ଭୁବନେଶ୍ୱର-ପୁରୀ-ଭାୟା ଚିଲିକା, – ଭୁବନେଶ୍ୱର-ଚାନ୍ଦିପୁର ଭାୟା ଭିତରକନିକା,- ଭୁବନେଶ୍ୱର-ହୀରାକୁଦ ଡ୍ୟାମ୍‌

ପର୍ଯ୍ୟଟନକୁ ପ୍ରୋତ୍ସାହନ

ଭୁବନେଶ୍ୱର :  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ବିଭିନ୍ନ ଉପକୂଳ ଜିଲାରେ ସାମୁଦ୍ରିକ ବିମାନବନ୍ଦର ସ୍ଥାପନ ପାଇଁ ଯୋଜନା କରୁଥିବା ବେଳେ ସ୍ପାଇଶ୍‌ ଜେଟ୍‌ ଓଡ଼ିଶାର ୩ଟି ସ୍ଥାନକୁ ବିମାନ ସେବା ଆରମ୍ଭ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଭୁବନେଶ୍ୱରରୁ ପୁରୀ, ଚାନ୍ଦିପୁର ଭାୟା ଭିତରକନିକା ଓ ହୀରାକୁଦ ଡ୍ୟାମ୍‌କୁ ସି-ପ୍ଲେନ୍‌ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତାବ ରହିଛି। କମ୍ପାନୀ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖି ଏ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ଗୋଆ ଏବଂ ଗୁଜରାଟ ଭଳି ଓଡ଼ିଶାର ଉପକୂଳ ପର୍ଯ୍ୟଟନସ୍ଥଳକୁ ବିମାନ ଚଳାଚଳ ଆରମ୍ଭ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଚିଲିକାକୁ ବିମାନ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ବୈଷୟିକ ଟିମ୍‌ର ରିପୋର୍ଟ ଉପରେ ଏହାର ଭାଗ୍ୟ ନିର୍ଭର କରୁଛି। ବିଶେଷକରି ଚିଲିକାରେ ପକ୍ଷୀ ଓ ଡଲଫିନ୍‌ ଏଦିଗରେ ବଡ଼ ପ୍ରତିବନ୍ଧକ ହୋଇପାରେ। ତେବେ ବିମାନ କମ୍ପାନୀ ସ୍ପାଇଶ୍‌ ଜେଟ୍‌ ରାଜ୍ୟର ତିନି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ସି-ପ୍ଲେନ୍‌ ଅବା ପାଣିରେ ଉଡ଼ାଣ କରି ପାରୁଥିବା ବିମାନ ସେବା ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସ୍ପାଇଶ୍‌ ଜେଟ୍‌ ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରାମର୍ଶଦାତା ଶାନ୍ତନୁ କାଲିତା ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ବିମାନବନ୍ଦର ଓ ରନୱେ ନଥିବା ହେତୁ ଓଡ଼ିଶାର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ବିମାନ ଯୋଗାଯୋଗ ଆରମ୍ଭ ହୋଇ ପାରୁନାହିଁ। ତେବେ ପର୍ଯ୍ୟଟନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ କମ୍ପାନୀ ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଏବଂ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମ୍‌କୁ ସି-ପ୍ଲେନ୍‌ ଚଳାଇବା ପାଇଁ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ଅନ୍ୟ ସ୍ଥାନକୁ ସି-ପ୍ଲେନ୍‌ ସହ ଯୋଡ଼ିବା ପାଇଁ ଯୋଜନା ରହିଥିବା ବେଳେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ
ଦିଆଯାଉ ଥିବା ଶ୍ରୀ କାଲିତା ଜଣାଇଛନ୍ତି।
ଉପରୋକ୍ତ ସ୍ଥାନକୁ ବିମାନ ସେବା ଆରମ୍ଭ ପାଇଁ ସ୍ପାଇଶ ଜେଟ୍‌ ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ସ୍ପାଇଶ୍‌ ଜେଟ୍‌ର ପ୍ରସ୍ତାବ ଅନୁଧ୍ୟାନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପର୍ଯ୍ୟଟନ ବିଭାଗକୁ କହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧିକାରୀଙ୍କ କହିବା ଅନୁସାରେ ଭୁବନେଶ୍ୱରରୁ ଚିଲିକାକୁ ସାମୁଦ୍ରିକ ବିମାନ ଚଳାଚଳ ପାଇଁ ଆମର ଏକ ବୈଷୟିକ ଟିମ୍‌ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛନ୍ତି। ତେବେ ସେଠାରେ ବିମାନ ସେବା ଆରମ୍ଭ ନେଇ ଏକାଧିକ ପ୍ରତିବନ୍ଧକ ରହିଛି। ବିଶେଷକରି ଚିଲିକାର ଜୈବବିବିଧତା, ପକ୍ଷୀ ଓ ଡଲଫିନ୍‌ଙ୍କ ସୁରକ୍ଷା ଜରୁରୀ ହୋଇଥିବାରୁ ବୈଷୟିକ ଟିମ୍‌ ପକ୍ଷରୁ ଏହା ଏବେ ଅନୁଧ୍ୟାନ କରାଯାଉଛି। ବୈଷୟିକ ଟିମ୍‌ ରିପୋର୍ଟ ଅନୁକୂଳ ନହେଲେ ଚିଲିକାକୁ ବିମାନ ସେବା ଆରମ୍ଭ ନେଇ ସମସ୍ୟା ହେବ। ଯେହେତୁ କୌଣସି ବିମାନ କମ୍ପାନୀ ଯଦି ରାଜ୍ୟର ଅନ୍ୟସ୍ଥାନକୁ ବିମାନ ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଛି, ତେଣୁ ରାଜ୍ୟ ସରକାରଙ୍କ ସହଭାଗିତାରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave A Reply