ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କୁ ସଂରକ୍ଷଣ ଭିତ୍ତିରେ ମିଳିବ ପଦୋନ୍ନତି

0

ନୂଆଦିଲ୍ଲୀ : ଏସ୍‍ସି/ଏସ୍‍ଟି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ମିଳିବ। ପ୍ରଚଳିତ ଆଇନ ଅନୁସାରେ କେନ୍ଦ୍ର ସରକାର ସଂରକ୍ଷଣ ଭିତ୍ତିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ସି/ଏସ୍‍ଟି) କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିପାରିବେ। ଏ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ସାମୟିକ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ସୁବିଧା ପ୍ରଦାନ ପ୍ରସଙ୍ଗ ସାମ୍ବିଧାନିକ ପୀଠରେ ବିଚାରାଧୀନ ଥିବାରୁ ଏହା ଉପରେ ପୀଠ ହିଁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ପୀଠର ଚୂଡାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଅନୁମତି ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପଦୋନ୍ନତି ଆଶାରେ ଥିବା ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।
ସମସ୍ତ ସରକାରୀ ବିଭାଗରେ ଏସ୍‍ସି/ଏସ୍‍ଟି କର୍ମଚାରୀମାନଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ପ୍ରଦାନ ନେଇ ୧୯୯୭ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିକୁ ଦିଲ୍ଲୀ ହାଇକୋର୍ଟ ୨୦୧୭ ଅଗଷ୍ଟ ୨୩ରେ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏ ସମ୍ବନ୍ଧୀୟ ସ୍ୱତନ୍ତ୍ର ଆବେଦନ ଉପରେ ବିଚାରପତି ଆଦର୍ଶ କୁମାର ଗୋଏଲ ଏବଂ ବିଚାରପତି ଅଶୋକ ଭୂଷଣଙ୍କ ଅବକାଶକାଳୀନ ପୀଠ ଜରୁରୀ ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ନିଜ କର୍ମଚାରୀମାନଙ୍କୁ ପଦୋନ୍ନତି ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ମାତ୍ର ହାଇକୋର୍ଟଙ୍କ ରାୟ ଯୋଗୁ ଏସ୍‍ସି/ଏସ୍‍ଟି କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ବାଧା ଉପୁଜିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର୍‍ ଜେନେରାଲ ମନିନ୍ଦର ସିଂହ ଯୁକ୍ତି ଦର୍ଶାଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଆଇନ ଅନୁଯାୟୀ କେନ୍ଦ୍ର ପଦୋନ୍ନତି ପ୍ରକ୍ରିୟା ଜାରି ରଖିପାରିବ ବୋଲି ପୀଠ କହିଥିଲେ ମଧ୍ୟ କେଉଁ ଆଇନ ଅନୁଯାୟୀ ଏହି ବ୍ୟବସ୍ଥା ଜାରି ରହିବ ତାହା ସ୍ପଷ୍ଟ କରିନାହାନ୍ତି। ପଦୋନ୍ନତି ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାର ପ୍ରଥମେ କର୍ମଚାରୀ ସଂଖ୍ୟା, ଦକ୍ଷତା ତଥା ଅନୁନ୍ନତ ସ୍ଥିତି ଭଳି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରିବା ଉଚିତ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ। ମାତ୍ର ଏହାଦ୍ୱାରା ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କ ପଦୋନ୍ନତିରେ ବାଧା ସୃଷ୍ଟି ହେଉଥିବାରୁ ଏହି ନିର୍ଦେଶ ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ଏପ୍ରିଲରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରାମ ବିଳାସ ପାଶୱାନ କହିଥିଲେ। ଏହି ଆବେଦନର ଶୁଣାଣିବେଳେ ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ପ୍ରଦାନ ନେଇ କର୍ଣ୍ଣାଟକର ପ୍ରଚଳିତ ଧାରାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ଅନ୍ୟପଟେ ସଂରକ୍ଷଣ ଭିତ୍ତିରେ (ରାଜ୍ୟର ବେସାମରିକ ସେବା ପଦକୁ) ପଦୋନ୍ନତି ପାଇଥିବା ସରକାରୀ କର୍ମଚାରୀଙ୍କୁ ବରିଷ୍ଠତା ପ୍ରଦାନ ଲାଗି କର୍ଣ୍ଣାଟକ ସରକାରଙ୍କ ଏକ ବିଲ୍‍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପ୍ରଦାନ ଦାବିରେ ଜୁନ୍‍ ୧୫ରେ ରାଜ୍ୟବ୍ୟାପୀ ଶୋଭାଯାତ୍ରା ଆହ୍ୱାନ କରାଯାଇଛି।

Leave A Reply