ନୂଆଦିଲ୍ଲୀ: ଦିଲ୍ଲୀର ଅନ୍ୟତମ ଐତିହାସିକ କୀର୍ତ୍ତିରାଜି ଲାଲକିଲ୍ଲାର ମାଲିକାନା ସ୍ବତ୍ବ ଦାବି କରୁଥିବା ଜଣେ ମହିଳାଙ୍କ ପିଟିସନକୁ ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ସୋମବାର ଖାରଜ କରିଦେଇଛନ୍ତି। ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ଅଣନାତି ମିର୍ଜା ମହମ୍ମଦ ବେଦାର ବଖ୍ତଙ୍କ ବିଧବା ପତ୍ନୀ ସୁଲତାନା ବେଗମ ଲାଲକିଲ୍ଲାର ମାଲିକାନା ସ୍ବତ୍ବ ଦାବି କରି ସୁପ୍ରିମକୋର୍ଟରେ ଏହି ପିଟିସନ ଦାଏର କରିଥିଲେ। ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି କରାଯାଇଛି। ସୁଲତାନା ବେଗମ କେବଳ ଲାଲକିଲ୍ଲା କାହିଁକି ମୋଗଲ ଶାସନକାଳରେ ନିର୍ମିତ ଫତେପୁର ସିକ୍ରି ଦୁର୍ଗର ମାଲିକାନା ସ୍ବତ୍ବ ଦାବି କରିନାହାନ୍ତି ବୋଲି ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ସୁଲତାନାଙ୍କ ଏଭଳି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅଯୁକ୍ତିକର। ମୋଗଲ ଶାସକଙ୍କ ଉତ୍ତରାଧିକାରୀ ହୋଇଥିବାରୁ ସୁଲତାନା ପ୍ରଥମେ ଲାଲକିଲ୍ଲାର ମାଲିକାନା ସ୍ବତ୍ବ ଦାବି କରି ୨୦୨୧ରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭାରତ ସରକାର ବେଆଇନ ଭାବେ ଲାଲକିଲ୍ଲାକୁ କବ୍ଜା କରିଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସୁଲତାନା ସେତେବେଳେ ପିଟିସନରେ ଉଲ୍ଲେଖ କରିଥିଲେ। ମୋଗଲ ଶାସନର ଅନ୍ତ ଘଟିବାର ପ୍ରାୟ ଶହେ ବର୍ଷ ପରେ ଏଭଳି ଦାବି କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟ ସୁଲତାନାଙ୍କ ପିଟିସନକୁ ଖାରଜ କରିଦେଇଥିଲେ।
ଲାଲକିଲ୍ଲାର ମାଲିକାନା ସ୍ବତ୍ବ ଦାବି କଲେ ମୋଗଲ ଶାସକଙ୍କ ଉତ୍ତରାଧିକାରୀ; ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଖାରଜ
Popular Categories



