୨୦ ଲକ୍ଷ ଲାଞ୍ଚ ନେଇ ରାଜସ୍ଥାନ ବିଧାୟକ ଗିରଫ

ଜୟପୁର: ବିଧାନସଭାରେ ପ୍ରଶ୍ନ ନ ପଚାରିବାକୁ ରାଜସ୍ଥାନର ଜଣେ ବିଧାୟକଙ୍କୁ ପୁଲିସ ସୋମବାର ଗିରଫ କରିଛି। ଜୟକୃଷ୍ଣ ପଟେଲ ନାମକ ଏହି ବିଧାୟକ ହେଉଛନ୍ତି ‘ଭାରତ ଆଦିବାସୀ ପାର୍ଟି’ର ସଦସ୍ୟ। କରାଉଲି ଜିଲାରେ ଥିବା ଖଣି ନିଲାମ ପ୍ରସଙ୍ଗକୁ ନେଇ ଜୟକୃଷ୍ଣ ବିଧାନସଭାରେ ତିନିଟି ପ୍ରଶ୍ନ ପଚାରିବେ ବୋଲି ସ୍ଥିର ହୋଇଛି। ତେବେ ଏହି ପ୍ରଶ୍ନ ନ ପଚାରିବାକୁ ଜଣେ ଖଣି ମାଲିକ ଜୟକୃଷ୍ଣଙ୍କୁ ଅନୁରୋଧ କରିଥିବାବେଳେ ଜୟକୃଷ୍ଣ ତାଙ୍କ ନିକଟରୁ ଏ ବାବଦରେ ପ୍ରଥମେ ୧୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ୨.୫ କୋଟିରେ କଥା ଛିଣ୍ଡିଥିଲା। ସଂପୃକ୍ତ ଖଣି ମାଲିକ ପ୍ରଥମ ଦଫାରେ ଜୟକୃଷ୍ଣଙ୍କୁ ୧ ଲକ୍ଷ ଟଙ୍କା ଦେଇଥିବାବେଳେ ରାଜସ୍ଥାନ ଦୁର୍ନୀତି ନିବାରଣ ଶାଖା (ଏସିବି)ରେ ଅଭିଯୋଗ କରିଥିଲେ। ଜୟକୃଷ୍ଣଙ୍କ ସହ ହୋଇଥିବା ଟେଲିଫୋନ ବାର୍ତ୍ତାଳାପର ରେକର୍ଡିଂ ମଧ୍ୟ ଏସିବିକୁ ଦିଆଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସଂପୃକ୍ତ ଖଣି ମାଲିକ ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଜୟକୃଷ୍ଣଙ୍କୁ ହସ୍ତାନ୍ତର କରୁଥିବାବେଳେ ଏସିବି ଅଧିକାରୀ ତାଙ୍କୁ ଗିରଫ କରିଥିଲେ।

Comments are closed.