ସବୁ କୋର୍ଟରେ ହେବ ଯୌନ ନିର୍ଯାତନା ନିରୋଧୀ କମିଟି

0

ନୂଆଦିଲ୍ଲୀ : ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ରୋକିବା ଦିଗରେ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୧୩ର ଏକ ଆଇନ ଅନୁଯାୟୀ ଆସନ୍ତା ୨ ମାସ ମଧ୍ୟରେ ଦେଶର ସମସ୍ତ ନ୍ୟାୟାଳୟଗୁଡିକରେ ଯୌନ ନିର୍ଯାତନା ନିରୋଧୀ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ସମସ୍ତ ହାଇକୋର୍ଟଗୁଡିକର ମୁଖ୍ୟ ବିଚାରପତି ତଥା କାର୍ଯ୍ୟକାରୀ ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଜାତୀୟ ରାଜଧାନୀର ହାଇକୋର୍ଟ ଏବଂ ସମସ୍ତ ଜିଲା କୋର୍ଟରେ ଏକ ସପ୍ତାହ ମଧ୍ୟରେ ଏହି କମିଟି ଗଠନ କରିବା ନିମନ୍ତେ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ଦିଲ୍ଲୀର ତିସ୍‍ ହଜାରୀ ଜିଲା କୋର୍ଟ ପରିସରରେ କେତେକ ଆଇନଜୀବୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ନେଇ ଜଣେ ମହିଳା ଓକିଲଙ୍କ ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ଡି. ୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି। ଏଥିସହ କୋର୍ଟଗୃହ ବାହାରେ ଆପୋଷ ବୁଝାମଣା ଦ୍ୱାରା ବିବାଦର ସମାଧାନ କରିବାକୁ ଅଭିଯୋଗକାରିଣୀ ମହିଳା ଓକିଲ ଏବଂ ଅଭିଯୁକ୍ତ ପକ୍ଷର ଓକିଲମାନଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମାମଲାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଏଫ୍‍ଆଇଆର୍‍ ରୁଜୁ କରିଥିଲେ ମଧ୍ୟ ଏହି ଓକିଲମାନଙ୍କ ମଧ୍ୟରୁ କାହାରିକୁ ଗିରଫ କରାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି। ଅନ୍ୟପଟେ ଖଣ୍ଡପୀଠ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସକୁ ଅଭିଯୋଗ ଦ୍ୱୟର ତଦନ୍ତ ନିର୍ଦେଶ ଦେଇଛନ୍ତି। ଉଭୟ ପକ୍ଷଙ୍କ ଅଭିଯୋଗ ସମ୍ବନ୍ଧୀୟ ମାମଲାକୁ ଖଣ୍ଡପୀଠ ନୂଆଦିଲ୍ଲୀ ଅନ୍ତର୍ଗତ ପଟିଆଲା ହାଉସ୍‍ ଜିଲା କୋର୍ଟକୁ ସ୍ଥାନାନ୍ତର କରିଥିବା ବେଳେ ବିଚାର ବିଭାଗୀୟ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ଓକିଲ ସଂଘର ନେତାମାନଙ୍କୁ ତାଗିଦ୍‍ କରିଛନ୍ତି। ଏଠାରେ ଉଲ୍ଲେଖ ଯେ, କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା (ସୁରକ୍ଷା, ନିଷେଧ ଏବଂ ନିବାରଣ) ଆଇନ-୨୦୧୩ ଅନୁଯାୟୀ ଏଭଳି ଅଭିଯୋଗର ତଦନ୍ତ ନିମନ୍ତେ ସମସ୍ତ କାର୍ଯ୍ୟାଳୟରେ କମିଟି ଗଠନ କରାଯିବା ବାଧ୍ୟତାମୂଳକ।

Leave A Reply