ଦଶହରା ତ୍ରିରାତ୍ର ପୂଜା

ସମ୍ବଲପୁର :  ଆଶ୍ୱିନୀ ମାସ କିମ୍ବା ଦଶହରା ମାସ ହେଉଛି ଦେବୀ ପୂଜନର ମାସ ବୋଲି ହିନ୍ଦୁ ଧର୍ମାଲମ୍ବୀ ମାନଙ୍କ ମଧ୍ୟରେ ବିଶ୍ୱାସ ଓ ମାନ୍ୟତା ଲାଭ କରିଥିବାରୁ ଏହି ଅବସରରେ ଆବାହମାନ କାଳରୁ ଦେବୀ ପୂଜାକୁ ଗୁରୁତ୍ୱର ସହିତ  ପିଢ଼ି ପରେ ପିଢ଼ି ପାଳନ କରାଯାଇ ଆସୁଛି । ଉତ୍କଳୀୟ ପରମ୍ପରାରେ ତିନି ରାତ୍ର (ତ୍ରିରାତ୍ର) ପୂଜାର ଏକ ବିଶେଷ ମହତ୍ୱ ରହିଛି । ଏହି ପୂଜା ଦଶହରା ମାସର ସପ୍ତମୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ନିଷ୍ଠାର ସହିତ ରାତ୍ରି ସମୟରେ କରାଯାଇଥାଏ । ବିଲୁପ୍ତ ପ୍ରାୟ ଏହି ପୂଜାରେ ଦଶମୀ ଅବସରରେ କଳସ ବିସର୍ଜନ ପରେ ମାଁ ଙ୍କୁ ଗଙ୍ଗାଜଳରେ ମହାସ୍ନାନ ପରେ ଶାନ୍ତ କରାଯାଇଥିଲା । ଉତ୍କଳୀୟ ପରମ୍ପରାରେ ପ୍ରତି ଘରେ ଘରେ ଇଷ୍ଟଦେବୀଙ୍କୁ ପୂଜା କରିବାର ପରମ୍ପରା ରହିଥିବାରୁ ମାଁ ଭୂବନେଶ୍ୱରୀ, ମାଁ କାଳୀ, ମାଁ ଦୁର୍ଗା, ମାଁ ବନଦୁର୍ଗା, ମାଁ ଉଗ୍ରତାରାଙ୍କ ଭଳି ବିଭିନ୍ନ ରୂପରେ ଦେବୀଙ୍କ ପୂଜା କରାଯାଇ ଆସୁଛି । ଦେବୀଙ୍କର ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପଦ୍ଧତି ରହିଛି, ଯାହାକୁ ତ୍ରିରାତ୍ର ପୂଜା କୁହାଯାଏ। କାହିଁ କେଉଁ ପୁରାକାଳରୁ ପିଢ଼ି ପରେ ପିଢ଼ି ଉତ୍କଳୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ନିଷ୍ଠାର ସହିତ ପାଳନ କରାଯାଇ ଆସୁଛି।

ପୂର୍ବରୁ ଏହି ତ୍ରିରାତ୍ର ପୂଜା ବହୁଳ ଭାବରେ ଘରେ ଘରେ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଯୌଥ ପରିବାରରୁ ଏକକ ପରିବାର, କର୍ମ ବ୍ୟସ୍ତତା, ଜୀବିକା ପାଇଁ ଭିଟାମାଟି ଛାଡିବା, ଆଧୁନିକତାର ଛିଟା ଆଦି ବିଭିନ୍ନ କାରଣରୁ ଏହି ପୂଜା ବିଶେଷ ଭାବରେ ଆଉ ଦେଖିବାକୁ ମିଳୁ ନାହିଁ । କିନ୍ତୁ ଏବେ ମଧ୍ୟ କିଛି ପରିବାରର ସମସ୍ତ ସଦସ୍ୟ ମାନେ ମିଳିତ ଭାବରେ ଏହି ପୂଜା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସମ୍ବଲପୁରର ନନ୍ଦପଡାରେ ବସବାସ କରୁଥିବା ଉତ୍କଳୀୟ ବ୍ରାହ୍ମଣ ମାନଙ୍କ ଘରେ ଘରେ ତ୍ରିରାତ୍ର ପୂଜା ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ସମର୍ପିତ ହୋଇ ଏହି ତ୍ରିରାତ୍ର ପୂଜା କରାଯାଉଥିବା ବେଳେ ଏହା ଏବେ ମାତ୍ର ୪ଟି ଘରେ (ପରିବାର) ମଧ୍ୟରେ ସୀମିତ ହୋଇ ରହିଛି। ତ୍ରିରାତ୍ର ପୂଜାକୁ ସମ୍ପୁର୍ଣ୍ଣ ରିତିନୀତି ଅନୁଯାୟୀ ସପ୍ତମୀ ତିଥିରେ ଘଣ୍ଟ, ଶଙ୍ଖ, ଘଣ୍ଟିର ଆସର ମଧ୍ୟରେ ମହାନଦୀରୁ ପବିତ୍ର ଜଳ ପିତ୍ତଳ ପାତ୍ରରେ ଅଣାଯାଇ କଳସ ସ୍ଥାପନା କରାଯାଇ ମାଁ ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରାଣ ପ୍ରତିଷ୍ଠା ସହିତ ୩ଟି ରାତ୍ରିରେ କ୍ରମାନ୍ୱୟ ଭାବରେ ପୂଜା ପାରମ୍ପରିକ ରିତିନୀତି ଅନୁଯାୟୀ କରାଯାଇଥିଲା। ମାଁ ସକଳ ଶକ୍ତିର ଆଧାର ହୋଇଥିବାର ବିଶ୍ୱାସ ରହିଥିବା ବେଳେ ଦଶହରାରେ ମାଁ ଉଗ୍ର ରୂପ ଧାରଣ କରିଥାନ୍ତି। ଘରର ମୁଖ୍ୟ ପୂଜକ ସପ୍ତମୀ ତିଥିରୁ ଦଶମୀ ତିଥି ପର୍ଯ୍ୟନ୍ତ ଗଭୀର ନିଷ୍ଠାର ସହିତ ଉପବାସରେ ରହି ତାଙ୍କୁ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୂର୍ବରୁ ଏହି ପୂଜା ଅବସରରେ ବଳିର ପ୍ରଥା ଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ବାଦ ଦିଆଯାଇଛି। ପରିବାରର ଛୋଟରୁ ବୟୋବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାର ସହିତ ଏହି ପୂଜାରେ ସାମିଲ ହୋଇଥିଲେ। ଦଶହରା ଦଶମୀ ତିଥିରେ ମାଁ ଙ୍କୁ ପୂଜାର୍ଚ୍ଚନା କରାଯିବା ପରେ କ୍ଷମାପରାଧ ଓ ଶାନ୍ତି ସ୍ରୋତ ପାଠ କରାଯାଇ ସ୍ଥାପିତ କଳସକୁ ମହାନଦୀରେ ଘଣ୍ଟ, ଶଙ୍ଖ, ଘଣ୍ଟିର ଆସର ମଧ୍ୟରେ ବିସର୍ଜନ କରାଯାଇଥିଲା। କଳସ ବିସର୍ଜନ ପରେ ଅପରାହ୍ନରେ ମାଁ ଙ୍କୁ ଗଙ୍ଗାଜଳରେ ମହାସ୍ନାନ ଓ ଗୁପ୍ତ ପୂଜା ପରେ ଶାନ୍ତ କରାଯାଇଥିଲା। ଏହା ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ  ମୁଖ୍ୟ ପୂଜକ ନାରିକେଳ ଅର୍ପଣ କରି ପୂଜାର୍ଚ୍ଚନା କରି ଚଳିତ ବର୍ଷର ତ୍ରିରାତ୍ର ପୂଜାର ଅନୁଷ୍ଠାନିକ ସମାପନ କରାଯାଇଥିଲା। ଏଭଳି ଏକ ଅନନ୍ୟ ପରମ୍ପରା ଧିରେ ଧିରେ ଜନ ମାନସରୁ ଲିଭିବାକୁ ବସିଥିବା ବେଳେ ନନ୍ଦପଡାର କିଛି ପରିବାର ଏବେ ମଧ୍ୟ ଏହି ତ୍ରିରାତ୍ର ପୂଜାକୁ ବଞ୍ଚାଇବାକୁ ସେମାନଙ୍କର ପ୍ରୟାସ ନିଷ୍ଠାର ସହିତ ଜାରି ରଖିଛନ୍ତି।

 

Comments are closed.