ସମ୍ବଲପୁର: ଗତ ୧୧ ତାରିଖରେ କଟକ ଠାରେ ନକଲି କରୋନା ଓ ଜୀବନରକ୍ଷାକାରୀ ଔଷଧ ଧରା ପଡିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ନେଇ କ୍ରାଇମ ବ୍ରାଞ୍ଚ ସମେତ ଡ୍ରଗ ବିଭାଗ, ପୁଲିସ ଆଦି ଯାଞ୍ଚ ଏଜେନ୍ସିମାନଙ୍କୁ ଖୋଳତାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଏବେ ରାଜ୍ୟ ସାରା ବିଭିନ୍ନ ଔଷଧ ଗୋଦାମ ଗୁଡିକରେ ଚ ଢ଼ଉ ଜାରି ରହିଥିବାରୁ ଅସାଧୁ ଔଷଧ ବ୍ୟବସାୟ ମାନଙ୍କ ମଧ୍ୟରେ ଛନକା ପଶି ଯାଇଛି।
୧୧ ତାରିଖର ଚଢ଼ଉ ପରେ ତୁରନ୍ତ ସମ୍ବଲପୁର ଅନ୍ୟ ଜିଲା ଗୁଡିକରେ କରାଯାଇଥିବା ଯାଞ୍ଚରେ ମେକ୍ସ ରିଲିଫ ହେଲଥ କେୟାର ନାମକ ନକଲି କମ୍ପାନୀ ଦ୍ୱାରା ନିର୍ମିତ ଔଷଧ ମିଳିବା ପରେ ତନାଘନା ଆରମ୍ଭ ହୋଇଥିଲା। ରାଜ୍ୟବ୍ୟାପି ଚଢ଼ଉ ସମୟରେ ନକଲି ଓ ଭେଜାଲ କରୋନା ଔଷଧ ସମେତ ଅନେକ ଜୀବନ ରକ୍ଷାକାରୀ ଔଷଧ ଗୁଡିକ ମଧ୍ୟ କିଛି ନକଲି କମ୍ପାନୀ ବଜାରରେ ବିକ୍ରି କରୁଥିବାର ଜଣାପଡିଥିଲା। ଡ୍ରଗ ବିଭାଗ ଓ ପୁଲିସ ଦ୍ୱାରା କ୍ରମାଗତ ଚଢ଼ଉ ଯୋଗୁଁ ଏବେ ଅସାଧୁ ବ୍ୟବସାୟୀ ମାନେ ବେଶ ଭୟଭୀତ। ଏହାକୁ ନେଇ ଗତ ୧୩ ତାରିଖରେ ସମ୍ବଲପୁରରେ ନକଲି ଔଷଧ ଜବତ ହୋଇଥିବା ଏବଂ ବିକ୍ରି କରୁଥିବା କିଛି ଅସାଧୁ ଔଷଧ ବ୍ୟବସାୟୀ ଗୁପ୍ତ ବୈଠକ କରିଥିବା ବେଳେ ଏବେ ସେମାନେ ଯଥା ସମ୍ଭବ ନକଲି ଔଷଧ ଗୁଡିକୁ ରଫାଦଫା କରିବା ପାଇଁ ଚେଷ୍ଟିତ।
ଏଭଳି ଏକ ଘଟଣାରେ ବୁଧବାର ସମ୍ବଲପୁରର ବରେଇପାଲି ଶିଳ୍ପାଞ୍ଚଳ ମଧ୍ୟରେ ରହିଥିବା ଏକ ରାସ୍ତା କଡରେ ୩ ବସ୍ତା ଔଷଧ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ପରେ ଲୋକେ ସଚେତନ ହୋଇଯାଇଥିବାରୁ କିଛି ବ୍ୟକ୍ତି ବସ୍ତାରେ ପଡିଥିବା ଔଷଧ ଗୁଡିକୁ ଯାଞ୍ଚ କରିବାରୁ ସେ ଗୁଡିକର ବୈଧ୍ୟତା ଆଗାମୀ ବର୍ଷ ପର୍ଯ୍ୟନ୍ତ ରହିଥିବାର ଜଣାପଡିବା ପରେ ଅଞ୍ଚଳରେ ତାହା ନକଲି ଔଷଧ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆବର୍ଜନାରେ ଫିଙ୍ଗା ହୋଇଥିବା ଔଷଧ ଗୁଡିକ ମଧ୍ୟରେ ଅନେକ ଦାମୀକିଆ ଔଷଧ, କ୍ୟାପସୁଲ, ସିରଫ ଆଦି ରହିଛି। ଏଣୁ ଏ ନେଇ ଗୁରବାର ସକାଳୁ ଶତବାର୍ଷିକ ଦୈନିକ ଖବର କାଗଜ ‘ସମାଜ’ ରେ ଖବର ପ୍ରକାଶ ପରେ ଡ୍ରଗ ବିଭାଗ ତୁରନ୍ତ ସକ୍ରିୟ ହୋଇ ବିହିତ ପଦକ୍ଷେପ ନେଇଥିବାର ଜଣାପଡିଛି। ଡ୍ରଗ ବିଭାଗ ପକ୍ଷରୁ ଗୁରୁବାର ଦିନ ସମୟରେ ଔଷଧ ଫିଙ୍ଗା ହୋଇଥିବା ଅଞ୍ଚଳକୁ ପରିଦର୍ଶନ କରି ନମୁନା ସଂଗ୍ରହ କରାଯାଇଛି। ଏହା ପରେ ତୁରନ୍ତ ଫିଙ୍ଗା ହୋଇଥିବା ଔଷଧ ସର୍ମ୍ପକରେ ତଦନ୍ତ ଆରମ୍ଭ କରାଯାଇଛି।
ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ଯେ, ଆବର୍ଜନାରୁ ସଂଗୃହିତ ହୋଇଥିବା ଔଷଧ ଗୁଡିକ ମଧ୍ୟରେ ସମୁଦାୟ ୩ଟି କମ୍ପାନୀର ଔଷଧ ରହିଥିବା ବେଳେ କମ୍ପାନୀଗୁଡିକ ସରକାରୀ ଭାବରେ ପଞ୍ଜିକୃତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୩ଟି କମ୍ପାନୀର ଔଷଧଗୁଡିକ ମଧ୍ୟରେ ଗୋଟିଏ କମ୍ପାନୀର ଭିଟାମିନ ଔଷଧ (ଭିଟାମିନ ବି ଓ ସି) ବଟିକାର ବୈଧ୍ୟତା ଗତ ମେ ମାସରେ ଶେଷ ହୋଇଯାଇଛି। ସେହିଭଳି ଦ୍ୱିତୀୟ କମ୍ପାନୀର ଏକ ଭିଟାମିନ ସିରଫ ବୋତଲ ମିଳିଛି, ଯାହାର ବୈଧ୍ୟତା ରହିଛି। ଆବର୍ଜନା ମଧ୍ୟରୁ ମିଳିଥିବା ତୃତୀୟ କମ୍ପାନୀର ଔଷଧ ମଧ୍ୟରେ ଚର୍ମ, ଜ୍ୱର, ଝାଡା ଆଦି ରୋଗଗୁଡିକ ପାଇଁ ଔଷଧ ବଟିକା ରହିଛି ଏବଂ ସେଗୁଡିକର ବୈଧ୍ୟତା ୨୦୨୨ ମସିହା ପର୍ଯ୍ୟନ୍ତ ରହିଛି। ଆବର୍ଜନାରୁ ମିଳିଥିବା ଔଷଧ କମ୍ପାନୀଗୁଡିକର ସମ୍ବଲପୁରରେ ଗୋଲବଜାର ଓ ବରେଇପାଲି ଅଞ୍ଚଳର ୨ଟି ହୋଲସେଲର ଓ ଗୋଟିଏ ରିଟେଲର ଅଛନ୍ତି। ସେମାନେ ଔଷଧଗୁଡିକୁ କଟକରୁ ଆଣିଥାନ୍ତି ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି। ଔଷଧ ମିଳିବା ପରେ ଡ୍ରଗ ବିଭାଗ ପକ୍ଷରୁ ସେହି ଔଷଧ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଚଢ଼ଉ କରାଯାଇ ଯାଞ୍ଚ କରାଯାଇଛି। ତେବେ ମିଳିଥିବା ଔଷଧ ଗୁଡିକ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଦ୍ୱାରା ବିକ୍ରି କରୁ ନ ଥିବାରୁ ବିଭାଗ ପକ୍ଷରୁ କମ୍ପାନୀ ସହିତ ଯୋଗାଯୋଗ କରାଯାଇ ବିସ୍ତୃତ ତଥ୍ୟ ମଗାଯାଇଛି।
ଅପର ପକ୍ଷରେ ନାମୀଦାମୀ କମ୍ପାନୀର ଔଷଧ ଗୁଡିକର ବୈଧ୍ୟତା ଥାଇ ସୁଦ୍ଧା କଣ ପାଇଁ ବସ୍ତାରେ ଭର୍ତ୍ତି କରାଯାଇ ଆବର୍ଜନାରେ ଫିଙ୍ଗା ଯାଇଛି, ତାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ସାମନ୍ୟତମ ଅଧିକ ଲାଭ ପାଇଁ କୌଣସି ଔଷଧ ବ୍ୟବସାୟୀ ବୋଧହୁଏ ନାମୀ କମ୍ପାନୀ ନାମରେ ଭେଜାଲ ଔଷଧ ଆଣି ବିକ୍ରି କରୁଥିବା ବେଳେ ସରକାରୀ ଏଜେନ୍ସି ମାନଙ୍କ ଦ୍ୱାରା ଚାଲିଥିବା କ୍ରମାଗତ ଚଢ଼ଉ ଭୟରେ ଫିଙ୍ଗି ଦେଇଥିବାର ମଧ୍ୟ ଅନୁମାନ କରାଯାଉଛି। ନକଲି ଓ ଭେଜାଲ ଔଷଧ କାରବାରରେ କିଛି ଅସାଧୁ ଚିକିତ୍ସକ ମାନେ ମଧ୍ୟ ସାମିଲ ଥିବାର କୁହାଯାଉଛି। ସରକାର ନକଲି ଓ ଭେଜାଲ ଔଷଧ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଆଗାମୀ ଦିନରେ ଯାଞ୍ଚ ଏଜେନ୍ସି ମାନଙ୍କ ଦ୍ୱାରା କରାଯାଉଥିବା ତଦନ୍ତରୁ ସବୁ ଜଣାପଡିଯିବ ବୋଲି କୁହାଯାଉଛି।



