ଯୁବକ ଉପରେ ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର, ୬ ଗିରଫ
ସମ୍ବଲପୁର: ସମ୍ବଲପୁରର କେନ୍ଦ୍ରସ୍ଥଳିରେ ଅବସ୍ଥିତ ଟାଉନ ଥାନାର ପଛରେ ଦାନୀବନ୍ଧ ହୁଡାରେ ରହିଥିବା ସରକାରୀ ଜମିକୁ ଜବରଦଖଲ କରି ଗୃହ ନିର୍ମାଣକୁ ନେଇ ହୋଇଥିବା ଏକ ଝାମେଲାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଟାଉନ ଥାନା ପଛ ପାଚେରୀକୁ ଲାଗିକି ଦାନୀବନ୍ଧରୁ ମାଛ ମାରିବା ପାଇଁ କୁମ୍ଭାରପଡା ନିବାସୀ ଅଭିନ ଖାତି ଠିକା ନେଇଛନ୍ତି। ସେ ମାଛ ମାରିବା ସହିତ ବନ୍ଧ ହୁଡାରେ ରହିଥିବା ସରକାରୀ ଜମିକୁ ଜବରଦଖଲ କରି ନେଇ ପକ୍କା ଘର ନିର୍ମାଣ କରି ଭଡାରେ ଦେଉଥିବାର ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି। ଏହାର ବିରୋଧ କରିବାରୁ ଅଭିନ ଖାତି ଓ ତାଙ୍କର ସହଯୋଗୀ ମାନେ ସେହି ଅଞ୍ଚଳର ନିବାସୀ ମିଲନ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଆହତ ହୋଇଥିବା ମିଲନ ଓ ତାଙ୍କର ସାଥି ସମଶେର ବନ୍ଧ ହୁଡାରେ ରହିବା ପାଇଁ ଘର ନିର୍ମାଣ କରୁଥିବା ବେଳେ ସେମାନଙ୍କୁ ଅଭିନ ପୁର୍ବରୁ ବାରଣ କରିଥିଲେ।
ଏ ସର୍ମ୍ପକରେ ମିଲନଙ୍କ ସାଥି ମହମ୍ମଦ ସମଶେର କହିଛନ୍ତି ଯେ, ଆମେ ମାନେ ରହୁଥିବା ଦାନୀବନ୍ଧ ହୁଡାଟି ସରକାରୀ ଜମି ଅଟେ। ସେଠାରେ ବହୁ ବ୍ୟକ୍ତି ଘର କରି ରହୁଥିବା ବେଳେ ଦାନୀବନ୍ଧକୁ ମାଛ ମାରିବା ପାଇଁ ଅଭିନ ଖାତି ଠିକା ନେଇଥିବା ବେଳେ ସେ ସେହି ଅଞ୍ଚଳକୁ ମଧ୍ୟ ଠିକା ନେଇ ଯାଇଥିବାର କହୁଛନ୍ତି। ସରକାରୀଙ୍କ ଜମିରେ ଗରିବ ମାନେ ଘର କରି ରହୁଥିବା ବେଳେ ତାଙ୍କର ନିଜର ଘର ରହିଥିବା ସତ୍ୱେ ସେ ଭଡାରେ ଲଗାଇବା ପାଇଁ ଘର ନିର୍ମାଣ କରିଛନ୍ତି। ସେ ସରକାରୀ ଜମିକୁ ଜବରଦଖଲ କରି ରହିଥିବା ବେଳେ ଆଉ କିଏ ଯଦି କିଛି ଜମିରେ ଘର ନିର୍ମାଣ କରିବାକୁ ଚେଷ୍ଟା କଲେ ସେ ଓ ତାର ପରିବାର ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଧମକଚମକ ଦେଇ କାହାରିକୁ କରେଇ ଦେଉ ନାହାନ୍ତି। ମୁଁ ଆଜି ଅପରାହ୍ନରେ ଗୃହ ନିର୍ମାଣସ୍ଥଳରେ ବସିଥିବା ବେଳେ ଅଚାନକ ସେମାନେ ସମସ୍ତେ ଆସି ଶ୍ରମିକ ମାନଙ୍କୁ ବାଡିରେ ମାରିବା ସହିତ ମୋତେ ଖଣ୍ଡା ଧରି ମାରିବାକୁ ଗୋଡାଇ ଥିଲେ। ମୁଁ କୌଣସି ମତେ ବର୍ତ୍ତି ଯାଇଥିବା ବେଳେ ମୋର ଘରକୁ ଯାଇ ମାଁଙ୍କୁ ଧକ୍କା ମାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ଦେଇ ଧମକଚମକ ଦେଇଥିଲେ। ଏହା ପରେ ସେମାନେ ମିଲନଙ୍କ ଘରକୁ ଯାଇ ସେ ଶୋଇଥିବା ବେଳେ ଖଣ୍ଡାରେ ମାରିବାକୁ ଆକ୍ରମଣ କରିଥିଲେ। ସେ ଅଞ୍ଚଳରେ ଦାଦାଗିରି କରି ଆତଙ୍କ ସୃଷ୍ଟି କରୁଥିବାରୁ ତାଙ୍କୁ ଆଇନ ଅନୁଯାୟୀ କଠୋର ଶାସ୍ତି ଦିଆଯାଉ ବୋଲି ସମଶେର ଦାବି କରିଛନ୍ତି।
ଟାଉନ ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳରେ ରହୁଥିବା ମିଲନ ସହିତ ମୁଖ୍ୟ ଅଭିଯୁକ୍ତ ଅଭିନ ଖାତିର ଘର ନିର୍ମାଣକୁ ନେଇ ପୂର୍ବରୁ ମନୋମାଳିନ୍ୟ ରହିଛି। ରବିବାର ଦିନ ପ୍ରାୟ ସାଢ଼େ ୩ଟା ସମୟରେ ମିଲନ ଘରେ ଶୋଇଥିବା ବେଳେ ତାଙ୍କର ଘର କବାଟ ଭାଙ୍ଗି ଅଭିନ ଖାତି, ଦୁଖୁ ଖାତି, ରାଜୁ, ସୋନୁ ଘୋଷ, ତୁଷାର ଖାତି, ଧନୀ ଖାତି, ଲକ୍ଷ୍ମଣ ଖାତି, ଅରୁଣ ଖାତି ଓ ଅନ୍ୟ ମାନେ ବନ୍ଧୁକ, ଖଣ୍ଡା, ଛୁରୀ ଆଦି ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ। ସେମାନେ ମିଲନଙ୍କ ମାଁଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଧକ୍କା ଦେବା ସହିତ ମିଲନଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କର ମୁଣ୍ଡ ଉପରେ ଚୋଟ ପରେ ଚୋଟ ପକାଇଥିଲେ। ତେବେ ମିଲିନ ମୁକୁଳିବା ପାଇଁ ଚେଷ୍ଟା କରିବା ସମୟରେ ତାଙ୍କୁ ପଛରୁ ଲୁହା ପାଇପ, କାଠ ଫାଳିଆ ଆଦିରେ ମାଡ ମାରିଥିବା ବେଳେ ସେ କୌଣସି ମତେ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଏହା ସହିତ ଘରର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ଟାଉନ ଥାନାରେ ଅଭିଯୋଗ ହୋଇଛି। ଏ ସର୍ମ୍ପକରେ ଟାଉନ ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ କହିଛନ୍ତି ଯେ ଏହି ଘଟଣାରେ ମାମଲା ସଂଖ୍ୟା ୨୩୫/୨୦୨୧ ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ସାଥି ମାନଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରାଯାଉଛି।
ଏହି ଘଟଣା ଜଣା ପଡିବା ଓ ଟାଉନ ଥାନାର ପଛ ପାର୍ଶ୍ବରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସର ଢ଼ିଲା କାର୍ଯ୍ୟାନୁଷ୍ଠାନକୁ ଦେଖି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବିରେ ଟାଉନ ଥାନା ଘେରାଓ କରି ରାସ୍ତା ଅବରୋଧ କରି ଦେଇଥିଲେ। ଏବେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଉତ୍ତ୍ୟକ୍ତ ଜନତା ଅଭିଯୁକ୍ତଙ୍କ ଏକ ବାଇକ ଓଡି-୧୫-ଇ-୭୯୬୧) କୁ ମଧ୍ୟ ପୋଡି ଦେଇଛନ୍ତି। ଖବର ପାଇ ଏସଡିପିଓ ତପନ କୁମାର ମହାନ୍ତି ସହିତ ଟାଉନ ଥାନାଧିକାରୀ ଓ ପୁଲିସ ବଳ ଘଟଣାସ୍ଥଳକୁ ପହୁଞ୍ôଚ ସ୍ଥିତିକୁ ଶାନ୍ତ କରିଥିଲେ। ଏହି ଘଟଣାର ସ୍ପର୍ଶକାତରତାକୁ ଦେଖି ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଟାଉନ ଥାନା ପରିଦର୍ଶନ କରି ଘଟଣାର ତଦାରଖ କରିଛନ୍ତି। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ବଳ ମୃତୟନ କରାଯାଇଛି।
ସରକାରୀ ଜାଗାକୁ ଜବରଦଖଲ ପାଇଁ ବର୍ଚସ୍ୱର ଲଢ଼େଇ
ସରକାରୀ ଜାଗାକୁ ଜବରଦଖଲ କରି ଘର ନିର୍ମାଣ କରି ଭଡାରେ ଲଗାଇବା ସମ୍ବଲପୁରରେ ନୁଆ କଥା ନୁହେଁ। ଦୀର୍ଘ ଦଶନ୍ଧି ଧରି ଚାଲି ଆସିଥିବା ଏହି ବେଆଇନ କାରବାର ସହରର ପ୍ରାୟତଃ ସମସ୍ତ ଅଞ୍ଚଳରେ ଜାରି ରହିଛି। ତେବେ ଟାଉନ ଥାନାର ପାଚେରୀକୁ ଲାଗି ରହିଥିବା ଜବରଦଖଲ ବସ୍ତିରେ ଜମି ଦଖଲକୁ ନେଇ ହୋଇଥିବା ହତ୍ୟା ଉଦ୍ୟମ ଘଟଣା ସରକାରୀ ଢ଼ିଲାପଣକୁ ଉଜାଗର କରୁଛି। ଏହା ଏକ ନିୟମିତ ଆୟର ସ୍ରୋତ ହୋଇଥିବାରୁ ଜମି ଦଖଲ ପାଇଁ ଚାଲିଥିବା ବର୍ଚସ୍ୱର ଲଢ଼େଇ ପାଇଁ ଏହି ଘଟଣା ଘଟିଥିବାର କୁହାଯାଉଛି।
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ!
ସମ୍ବଲପୁରରେ ଅନେକ ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀ ମାନଙ୍କ କବଜାରେ ରହିଥିବା ବେଳେ ଏହି ବେଆଇନ କାର୍ଯ୍ୟକୁ ପରୋକ୍ଷରେ କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତି ପ୍ରୋତ୍ସାହିତ କରୁଥିବାରୁ ଏହା ଏବେ ବିରାଟ ସମସ୍ୟାରେ ପରିଣତ ହୋଇଛି। ସହରରେ ଚାଲିଥିବା ଅବାଧା ଜମି ଜବରଦଖଲକୁ ଦେଖି ଜନତା ‘ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ’ ବୋଲି କଟାକ୍ଷ କରୁଛନ୍ତି।
ପୁର୍ବରୁ ମଧ୍ୟ ଘଟିଛି ହତ୍ୟାକାଣ୍ଡ ଓ ସଂଘର୍ଷ
ସରକାରୀ ଜାଗାକୁ ଜବରଦଖଲ କରି ଘର ନିର୍ମାଣ କରି ଭଡାରେ ଲଗାଇବା ପାଇଁ ଗୋଷ୍ଠୀ ସଂଘର୍ଷ ସହିତ ହତ୍ୟାକାଣ୍ଡ ଘଟିଥିବାର ନଜୀର ରହିଛି। ଗତ ଡିସେମ୍ବର ମାସରେ ଫାର୍ମ ରୋଡରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ, ଅଗଷ୍ଟ ମାସରେ ଟାଉନ ଥାନା ପାଚେରୀକୁ ଲାଗି ରହିଥିବା ବସ୍ତିରେ ଗୋଷ୍ଠୀ ସଂଘର୍ଷ ସମେତ ଅନେକ ଘଟଣା ଘଟିଥିବାର ନଜୀର ରହିଥିବା ବେଳେ ସରକାରୀ ଓ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନର ଅଭାବ ଲାଗି ରହିଛି। ଏଣୁ ଆଗାମୀ ଦିନରେ ଆହୁରୀ ବଡ ଅଘଟଣ ମାନ ଘଟିବାର ଆଶଙ୍କା ଲାଗି ରହିଥିବାର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
Comments are closed.