ବିମାନବନ୍ଦରରେ ଛୁଆକୁ ଛାଡ଼ିଗଲେ ମାଆ; ବିମାନ ଫେରିଲା

ଜେଦା,୧୨ା୩: ମା’ଙ୍କର ଏମିତି ଭୁଲାମନ ଯେ ବିମାନବନ୍ଦରରେ ଛୁଆକୁ ଛାଡ଼ି ଚାଲିଆସୁଛନ୍ତି। ମନେ ପଡ଼ିଲାବେଳକୁ ବିମାନ ବନ୍ଦର ଛାଡ଼ି ସାରିଲାଣି। ଏମିତି ଏକ ରୋମାଞ୍ଚକର ଖବର ମିଳିଛି ସାଉଦିଆରବିଆନ୍ ଏୟାର ଲାଇନ୍ସରୁ। ଶେଷରେ ପାଇଲଟ୍ଙ୍କ ନିବେଦନ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉଦ୍ୟମ ପରେ ବିମାନ ଅଧାବାଟରୁ ଫେରିଲା ଏବଂ ମା’ ତାଙ୍କ ଶିଶୁକୁ ଫେରି ପାଇଲେ।
ଖବର ଅନୁଯାୟୀ, ସାଉଦିଆରବର କିଙ୍ଗ୍ ଅବଦୁଲାଜିଜ୍ ଆନ୍ତର୍ଜାତିକ ବିମାନବନ୍ଦର, ଜେଦାରୁ କୁଆଲା ଲମ୍ପୁର ଅଭିମୁଖେ ସାଉଦିଆରବ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ପରେ ଜଣେ ମହିଳା ନିଜ ଛୁଆକୁ ବିମାନବନ୍ଦର ଯାତ୍ରୀ ବିଶ୍ରାମକକ୍ଷରେ ଛାଡ଼ି ଆସିଥିବା ନେଇ ଚିତ୍କାର କରିଥିଲେ। ଛୁଆଟି ରହିଯାଇଥିବା ନେଇ ପାଇଲଟ୍ ମଧ୍ୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ଫେରିବାକୁ ବାର୍ତ୍ତା ଦେଇଥିଲେ। ତୁରନ୍ତ ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗକ୍ରମେ ପ୍ରଚଳିତ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ଓ ବିମାନ ଫେରିଥିଲା। ଟର୍ମିନାଲ ଫାଟକ ନିକଟରେ ମହିଳାଙ୍କୁ ତାଙ୍କ ଶିଶୁ ସନ୍ତାନକୁ ପ୍ରଦାନ କରାଯାଇଥିଲା। ଏଭଳି ଘଟଣା ବିରଳ ଘଟଣା ଓ ମା’ଛୁଆଙ୍କ ପୁନର୍ମିଳନର ସମୟ ଅତ୍ୟନ୍ତ ରୋମାଞ୍ଚକର ଥିଲା।