ନୂଆଦିଲ୍ଲୀ: ସାଉଦି ଆରବ ରାଜା ମହମ୍ମଦ ବିନ ସଲମାନ ବୁଧବାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ପରେ ସଲମାନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ଆଲୋଚନା ମାଧ୍ୟମରେ ଭାରତ ଏବଂ ସାଉଦି ମଧ୍ୟରେ ସମ୍ପର୍କକୁ ଆଗକୁ ନେବାକୁ ସେ ଉଦ୍ୟମ କରିବେ ବୋଲି ଏହି ଅବସରରେ ସାଉଦି ରାଜା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ। ଗସ୍ତ ଅବରସରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା, ଆତଙ୍କବାଦର ମୁକାବିଲା ସହିତ ଅକ୍ଷୟ ଶକ୍ତି ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ପୁଲୱାମା ଆକ୍ରମଣ ଘଟଣା ପରେ ସାଉଦି ରାଜା ସଲମାନ ପାକିସ୍ତାନ ଗସ୍ତ କରିଛନ୍ତି। ସେ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ସମର୍ଥନ କରିବା ସହ ବହୁ ପରିମାଣର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନ ସମ୍ପର୍କରେ ସାଉଦି ରାଜାଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି। ଏହା ସହ ଜୈଶ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାରେ ସାଉଦି ରାଜାଙ୍କ ସମର୍ଥନ ଲୋଡ଼ିବେ ବୋଲି ଆଶା କରାଯାଉଛି। ରାତି ପ୍ରାୟ ୧୧ଟା ୫୦ରେ ସଲମାନ ଦିଲ୍ଲୀରୁ ସାଉଦି ଯିବେ ବୋଲି ସୂଚନା ମିଳିଛି।



