ଛତିଶଗଡ଼ରେ ଏକକାଳୀନ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଛତିଶଗଡ଼ର ଦୁଇଟି ଜିଲାରେ ୧୭୦ଜଣ ମାଓବାଦୀ ଅସ୍ତ୍ରତ୍ୟାଗ କରିଥିବାବେଳେ ପୂର୍ବଦିନ ମହାରାଷ୍ଟ୍ରରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ସେହିପରି ନିକଟ ଭବିଷ୍ୟତରେ ଓଡ଼ିଶାର ମାଲକାନଗିରି ଜିଲାରୁ ମଧ୍ୟ ୧୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିବାର ସମ୍ଭାବନା ପ୍ରକାଶ ପାଇଛି। ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ବହୁ ସଂଖ୍ୟାରେ ମାଓବାଦୀ ଲାଲବାହିନୀ ପରିତ୍ୟାଗ କରି ସାଧାରଣ ଜୀବନକୁ ଫେରିବା ଏକ ଶୁଭସୂଚନା। ମାଓବାଦୀମାନଙ୍କ ଠାରେ ହୃଦୟ ପରିବର୍ତ୍ତନ ହୋଇଥିବା ଅନୁମାନ କରାଯାଇପାରୁଛି। ଏକଦା ଯେପରି ଚମ୍ବଲ ଉପତ୍ୟକାରେ ଦସ୍ୟୁମାନଙ୍କ ହୃଦୟରେ ଦେବତ୍ବଭାବ ବିକଶିତ ହେବା ଓ ସେହି ଦସ୍ୟୁମାନେ ଅସ୍ତ୍ରତ୍ୟାଗ କରି ସାଧାରଣ ଭାବେ ଜୀବନଯାପନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ଠିକ୍ ସେହିପରି ମାଓବାଦୀମାନଙ୍କଠାରେ କଠୋର ମନୋଭାବର ପରିବର୍ତ୍ତନ ହୋଇଛି। ଯାହା ଛତିଶଗଡ଼ ପରି ନକ୍ସଲ ପ୍ରବଣ ଅଞ୍ଚଳ ସହିତ ମହାରାଷ୍ଟ୍ର ଓ ଓଡ଼ିଶା ରାଜ୍ୟ ତଥା ଦେଶ ପାଇଁ ଏକ ସନ୍ତୋଷଜନକ କଥା।
ଆମ ଦେଶରେ ମାଓବାଦୀ କାର୍ଯ୍ୟକଳାପ ପ୍ରାୟ ପଚାଶବର୍ଷ ଧରି ଅବ୍ୟାହତ ରହିଛି। ପଶ୍ଚିମବଙ୍ଗର ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ତା’ର ପ୍ରଭାବ ବିସ୍ତାର କରିଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ମାଓବାଦୀ ପ୍ରଭାବ ଚିନ୍ତାର କାରଣ ହୋଇଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଜିଲାରେ ମାଓକାର୍ଯ୍ୟକଳାପ କେନ୍ଦ୍ର ତଥା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିବାବେଳେ ଏହାର ନିରାକରଣ ପାଇଁ ଯେତେଯେତେ ଉଦ୍ୟମ ହେଲାଣି ତାହା ଶତପ୍ରତିଶତ ସଫଳ ହୋଇପାରିନାହିଁ। ଏଥିନେଇ ସରକାରଙ୍କୁ ଅଧିକ ସେନା ମୁତୟନ କରିବାକୁ ପଡ଼ୁଛି। ଅଧିକ ଅର୍ଥ ବ୍ୟୟ କରିବାକୁ ହେଉଛି। ଦେଶ ଭିତରେ ଏକପ୍ରକାର ଯୁଦ୍ଧର ବାତାବରଣ ଯାହା ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ସୃଷ୍ଟି ହୋଇଛି ଏବଂ ସେହି ସେହି ଅଞ୍ଚଳରେ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିଲାବେଳେ ଧନଜୀବନ ବ୍ୟାପକ କ୍ଷତି ଘଟିଛି।
୨୦୦୦ ମସିହାରୁ ଏ ଯାବତ୍ ସେନା ଓ ପୁଲିସ ବାହିନୀ ସହିତ ମୁକାବିଲାରେ ୪୦୦୦ରୁ ଅଧିକ ମାଓବାଦୀ ପ୍ରାଣ ହୋଇଥିବାବେଳେ ସେନା ଓ ପୁଲିସ ପକ୍ଷରୁ ୨୦୦୦ରୁ ଅଧିକ ସହିଦ ହୋଇଛନ୍ତି । ସେହିପରି ଉଭୟ ପଟରୁ ଅନେକ ଲୋକ ଆହତ ହୋଇଛନ୍ତି। ସାଧାରଣ ଲୋକ ବିଶେଷକରି ଆଦିବାସୀମାନେ ଏହି ସଂଘର୍ଷରେ ଜୀବନ ହରାଇଛନ୍ତି। ମାଓବାଦୀଙ୍କୁ ସହଯୋଗ କଲେ ପୁଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ପୁଣି ପୁଲିସକୁ ସହଯୋଗ କଲେ ମାଓବାଦୀଙ୍କ ଦ୍ବାରା ଜୀବନ ହରାଇଛନ୍ତି। ଏହି ୨୫ବର୍ଷ ମଧ୍ୟରେ ୧୮ହଜାରରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ୧୬ହଜାରରୁ ଅଧିକ ପୁଲିସ ଓ ଯବାନଙ୍କ ହାତରେ ଧରାପଡ଼ିଛନ୍ତି। ୨୦୨୪ ଜାନୁଆରୀ ଠାରୁ ଛତିଶଗଡ଼ରେ ଦୁଇ ହଜାର ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ୧୭୫୮ଜଣ ଗିରଫ ହୋଇଛନ୍ତି। ସେହିପରି ୪୭୭ ଜଣ ନିହତ ହୋଇଛନ୍ତି। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୭ ମାର୍ଚ୍ଚ ବେଳକୁ ଭାରତ ନକ୍ସଲ ମୁକ୍ତ ହେବ। ଦିନେ ଦେଶର ୧୨୬ଜିଲା ମାଓପ୍ରବଣ ଥିଲାବେଳେ ଆଜି ୧୧ଟି ଜିଲାରେ ମାଓବାଦୀ ସୀମିତ ଅଛନ୍ତି ବୋଲି ଜଣାପଡ଼ିଛି।
ଏହା ସ୍ପଷ୍ଟ ଯେ କଠୋର ସରକାରୀ କାର୍ଯ୍ୟାନୁଷ୍ଠାନ ଫଳରେ ମାଓବାଦୀ ଏବେ ହୃଦୟ ପରିବର୍ତ୍ତନ ପାଇଁ ବାଧ୍ୟ ହୋଇଛନ୍ତି। ସୁତରାଂ ଗଣତାନ୍ତ୍ରିକ ବ୍ୟବସ୍ଥା, ସରକାର ଓ ପ୍ରଶାସନ ଉପରେ ଭରସା କରି ନଥିବା ମାଓବାଦୀମାନଙ୍କୁ ତାଙ୍କର ମନୋଭାବରେ ବଦଳାଇବାକୁ ଆଣିବାକୁ ହେବ। ସରକାର ତଥା ପ୍ରଶାସନକୁ ସହଯୋଗ କରିବାକୁ ପଡ଼ିବ। ଜଳ, ଜମି, ଜଙ୍ଗଲ ଏବଂ ଖଣିଜ ସମ୍ପଦର ସୁରକ୍ଷା ତଥା ସୁବିନିଯୋଗ ପାଇଁ ମାଓବାଦୀମାନେ ଆଲୋଚନାକୁ ଆସିବା ଜରୁରୀ। ହିଂସା ପରିତ୍ୟାଗ କରିବା ଆବଶ୍ୟକ। ଅସ୍ତ୍ରସମର୍ପଣ କରିଦେବା ଉଚିତ। ସେହିପରି ସରକାର ଓ ପ୍ରଶାସନ ମଧ୍ୟ ନମନୀୟ ହୋଇ ମଣିଷପଣିଆର ପରାକାଷ୍ଠାକୁ ପ୍ରତିପାଦିତ କରିବା ବିଧେୟ।



