କରୁଛନ୍ତି ଜନସେବା, ଗଢୁଛନ୍ତି ମୂର୍ତ୍ତି
ଫୁଲବାଣୀ : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଦିନ କେତୋଟି ପରେ ଗଣେଶ ପୂଜା। କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପୂଜା କମିଟିଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଦେଖାଦେଲାଣି । ପୂଜା କମିଟି ଗୁଡ଼ିକ ପକ୍ଷରୁ ଅସ୍ଥାୟୀ ମଣ୍ଡପରେ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ସେହିପରି ବରାଦ ଅନୁସାରେ କାରିଗର ମଧ୍ୟ ମୂର୍ତ୍ତି ନିର୍ମାଣରେ ନିମଗ୍ନ ରହିଛନ୍ତି। ଯଦି କୌଣସି କାର୍ଯ୍ୟ ପ୍ରତି କାହାର ଦୁର୍ବଳତା ଥାଏ ତେଵେ ସେ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ସେ କାର୍ଯ୍ୟ କରିବାକୁ ଇଛା ପ୍ରକାଶ କରେ l ଶେଷରେ ସେହି ଦୁର୍ବଳତା ହିଁ ତାକୁ ଲୋକପ୍ରିୟ କରିଦିଏ । ଏମିତି ଜଣେ ଜଣାଶୁଣା ବ୍ୟକ୍ତି ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ସରପଞ୍ଚ ଲାଲମୋହନ କହଁର l ବୟସ ପାଖାପାଖି ୩୦ ବର୍ଷ । ସେ ଜଣେ ସରପଞ୍ଚ ହୋଇଥିଲେ ମଧ୍ୟ ନିଶା ତାଙ୍କର ମୂର୍ତ୍ତି ଗଢିବା ଓ ଚିତ୍ର ଆଙ୍କିବା ।
ପିଲାଦିନୁ ଚିତ୍ରାଙ୍କନ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । ଧିରେ ଧିରେ ସେ ଗଣେଶ ଓ ସରସ୍ବତୀ ମୂର୍ତ୍ତି ତିଆରି କରି ଆଖପାଖ ବିଦ୍ୟାଳୟମାନଙ୍କୁ ଭେଟି ଦେଉଥିଲେ । ଯେବେଠାରୁ ସେ ପବିଙ୍ଗିଆ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେଲେ ସେବେଠୁ ପଞ୍ଚାୟତବାସୀଙ୍କ ଦୁଃଖସୁଖ ଓ ଭଲମନ୍ଦ ବୁଝାବୁଝିରେ ସମୟ ଅତିବାହିତ କରୁଥିବାରୁ ଆଉ ଚିତ୍ର ଆଙ୍କିବା ଓ ମୂର୍ତ୍ତି ଗଢିବା ପାଇଁ ଯଥେଷ୍ଟ ସମୟ ପାଇ ପାରୁନାହାନ୍ତି l ତଥାପି ସମୟ ମିଳିଲେ ସେ ଗ୍ରାମର କାରିଗରମାନଙ୍କ ସହ ମିଶି ମୂର୍ତ୍ତି ଗଢୁଥିବା ନଜର ଆସନ୍ତି । ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା କଥା କହିବା ତେଵେ ସେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି l ସ୍ନାତକ ପରେ ସମାଜସେବାରେ ପୋଷ୍ଟ ଗ୍ରାଜୁଏଟ, ଶିକ୍ଷକତା ତାଲିମ ମଧ୍ୟ ନେଇଛନ୍ତି । ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସବୁବେଳେ ସେ ପ୍ରୟାସ କରିଆସୁଛନ୍ତି l
Comments are closed.