www.samajalive.in
Saturday, December 6, 2025
26.1 C
Bhubaneswar

ମହଙ୍ଗା ପଡିଲା ଜିଲ୍ଲାପାଳ ହୋଇ ଘର ଭାଙ୍ଗିବା, ଜେଲ ଗଲେ ସରପଞ୍ଚ ଦମ୍ପତି

ବଲାଙ୍ଗିର: ସରକାର ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ମୁଁ ଜିଲ୍ଲାପାଳ। କ୍ଷମତା ମିଳିଛି, ଘର ଭାଙ୍ଗି ଦେଲି। ଆଗଲପୁର ବ୍ଲକ ସାଲେଭଟା ଗିରିଗୋବର୍ଦ୍ଧନ ନିକଟରେ ୬ଟି ଦଳିତ ଆଦିବାସୀ ପରିବାର ସରକାରୀ ଯୋଜନାରେ ପାଇଥିବା ଆବାସ ଯୋଜନାରେ ତିଆରି ଅଧା ଗଢା ଘର ଭାଙ୍ଗି ଗଣମାଧ୍ୟମକୁ ବେଫିକର ଭାବେ ବୟାନ ଦେଇଥିଲେ ସାଲେଭଟା ସରପଞ୍ଚ ହେମକାନ୍ତି ମୁଣ୍ଡା। ଏହି ମାମଲାରେ ଲୋଇସିଂହା ଥାନା ପୁଲିସ ସରପଞ୍ଚ ଶ୍ରୀମତୀ ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଶନିବାର ଗିରଫ କରିଥିଲି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାଲେଭଟା ଗାଇଖାଇ ନିକଟରେ ଭୂମିହୀନ ୬ଟି ପରିବାରକୁ ୪ ଡେସିମିଲ୍‍ ଲେଖାଏଁ ଜମି ଆବଣ୍ଟନ କରାଯାଇଥିଲା। ଏହି ଜମି ଜରିଆରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ କରିବାକୁ ୨୦୧୯ ଅକ୍ଟୋବର ମାସରେ ୱାର୍କ ଅର୍ଡର ପାଇଥିଲେ। ଦୁଇ କିସ୍ତି ଟଙ୍କା(୫୫ ହଜାରରେ) ସେମାନେ ଘର ଅଧା ତିଆରି କରି ସାରିଥିଲେ। ଗତ ୧୦ ତାରିଖ ଦିନ ଘର ତିଆରି ହେଇଥିବା ସ୍ଥାନରେ ସରପଞ୍ଚ ଶ୍ରୀମତୀ ମୁଣ୍ଡା, ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର (ଇତୁ), ସରପଞ୍ଚଙ୍କ ସ୍ୱାମୀ ମୋହନ ଓ ଅନ୍ୟ ସହଯୋଗୀମାନେ ଘରୋଇ ଜେସିବି ବ୍ୟବହାର କରି ଅଧାଗଢା ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭାଙ୍ଗି ଦେଇଥିଲେ।

- Advertisement -

ଘର ଭାଙ୍ଗୁଥିବା ବେଳେ ଦଳିତ, ଆଦିବାସୀ ପରିବାର ଲୋକେ ଗୋଡ ହାତ ଧରିଥିଲେ। ନେହୁରା ନେଇଥିଲେ ନ ଭାଙ୍ଗିବାକୁ। କିନ୍ତୁ କେହି କିଛି ଶୁଣିଲେ ନାହିଁ। ୬ଟି ଘର ମାଟିରେ ମିଶିଗଲା। ଏନେଇ ପୀଡ଼ିତ ପରିବାର ଲୋକେ ଥାନାର ଆଶ୍ରୟ ନେଇଥିଲେ। ଘର ଭାଙ୍ଗିଥିବା ୧୦ ଜଣଙ୍କ ନାଁରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ କାରନାମା ସାମ୍ନାକୁ ଆସିଥିଲା।

ଭଙ୍ଗା ହୋଇଥିବା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ବେଳେ ସରପଞ୍ଚ ଶ୍ରୀମତି ମୁଣ୍ଡା ହିଁ ସେମାନଙ୍କୁ କାର୍ଯ୍ୟାଦେଶ ଦେଇଥିଲେ। ସେହି ଘରମାନଙ୍କର ଫାଇନାଲ ବିଲ ବାକିଥିବା ବେଳେ ଆଚନକ ଭାଙ୍ଗିଦେବା ସମସ୍ତଙ୍କୁ ଚକିତ କରିଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଘଟଣା ଘଟିଥିବା ସନ୍ଦେହ କରାଯାଇଥିଲା। ଘଟଣାର ପାଞ୍ଚ ଦିନ ପରେ ଲୋଇସିଂହା ପୁଲିସ ଅଭିଯୁକ୍ତ ସରପଞ୍ଚ ଶ୍ରୀମତି ମୁଣ୍ଡା ଓ ଘଟଣାରେ ସଂପୃକ୍ତ ଥିବା ତାଙ୍କ ସ୍ୱାମୀ ମୋହନଙ୍କୁ ସୋନପୁରରୁ ଗିରଫ କରିଥିଲା। ରବିବାର ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନ ମିଳିବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ଲଲିତା ଲାକ୍ରା କହିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories