ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି। ଗୁରୁବାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ୪ ବର୍ଷ ପାଇଁ ତାଙ୍କୁ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ପରିଚାଳନା ବିଭାଗ(ପିଏମ୍ଆଇଆର) ବିଭାଗରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟ କରୁଥିଲେ। ତାଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ବ ଶିକ୍ଷାଦାନ ଅଭିଜ୍ଞତା ରହିଛି। ପ୍ରଫେସର ତ୍ରିପାଠୀଙ୍କ ଅଧୀନରେ ୧୭ଜଣ ଛାତ୍ରଛାତ୍ରୀ ପିଏଚଡି କରିଛନ୍ତି। ସେହିପରି ୪୦ଜଣ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ସେ ମାର୍ଗଦର୍ଶନ କରିଛନ୍ତି। ସେ ୧୦ଟି ପୁସ୍ତକ ଲେଖିଥିବାବେଳେ ତାଙ୍କର ଦ୍ବାରା ଲିଖିତ ଗବେଷଣାତ୍ମକ ନିବନ୍ଧ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ଏବଂ ସେସବୁ ପାଠକୀୟ ଆଦୃତି ଲାଭ କରିଛି।



