ସାମ୍‌ସନ ବିଶ୍ବକପ୍‌ ଦଳରେ ରହିବା ଉଚିତ୍‌ : କୈଫ୍‌

ନୂଆଦିଲ୍ଲୀ : ଭାରତୀୟ ମଧ୍ୟକ୍ରମରେ ବ୍ୟାଟିଂକରି ସଫଳ ହେବାର ସମସ୍ତ ଗୁଣ ସଞ୍ଜୁ ସାମ୍‌ସନଙ୍କର ଅଛି। ତେଣୁ ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ର ୧୫ ଜଣିଆ ଦଳରେ ରହିବାର ବଡ଼ ଦାବିଦାର ଭାବେ ସାମ୍‌ସନ ଉଭା ହୋଇଛନ୍ତି ବୋଲି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ କହିଛନ୍ତି। ଭଲ ପ୍ରଦର୍ଶନ ପାଇଁ ଚାପରେ ଥିବା ସାମ୍‌ସନ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଦିନିକିଆରେ ପ୍ରଭାବଶାଳୀ ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଇନିଂସରେ ସାମ୍‌ସନ ତାଙ୍କର ଛକା ମାରିବା ଦକ୍ଷତା ଦେଖାଇଥିଲେ।
କେ.ଏଲ୍‌. ରାହୁଲ ଓ ଶ୍ରେୟାସ ଆୟର ଆହତ ହେବା ସାମ୍‌ସନଙ୍କ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାର ଦ୍ବାର ଫିଟାଇ ଦେଇଛି। ସୂର୍ଯ୍ୟକୁମାର ମଧ୍ୟ ଭାରତୀୟ ମଧ୍ୟକ୍ରମରେ ସ୍ଥାନ ପାଇବାର ଦାବି ଉପସ୍ଥାପନ କରିଛନ୍ତି। ଅବଶ୍ୟ ଦିନିକିଆରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ସେପରି ଭଲ ନାହିଁ। ତେଣୁ ସୂର୍ଯ୍ୟକୁମାରଙ୍କ ଅପେକ୍ଷା ସାମ୍‌ସନଙ୍କୁ ବିଶ୍ବକପ୍‌ ଦଳରେ ରଖିବା ବୁଦ୍ଧିମାନର କାମ ହେବ ବୋଲି କୈଫ୍‌ କହିଛନ୍ତି। ତାଙ୍କ ଭାଷାରେ, ସଞ୍ଜୁ ସାମ୍‌ସନଙ୍କ ବ୍ୟାଟିଂରେ ମୁଁ ବହୁତ ପ୍ରଭାବିତ ହୋଇଛି। ସେ ଏକ ପ୍ରଭାବଶାଳୀ ଇନିଂସ ଖେଳିଥିଲେ। ୪ ହେଉ ବା ୫ନଂ; ସମସ୍ତ ସ୍ଥାନରେ ବ୍ୟାଟିଂ କରିବାର ଦକ୍ଷତା ସାମ୍‌ସନଙ୍କର ରହିଛି। ପୂର୍ବରୁ ମଧ୍ୟ ଭାରତ ପାଇଁ ସେ କିଛି ଭଲ ଇନିଂସ ଖେଳିଛନ୍ତି। ମଧ୍ୟକ୍ରମରେ ଈଶାନ୍ କିଷନ୍ ଓ ଅକ୍ଷର ପଟେଲଙ୍କୁ ବ୍ୟାଟିଂ ପଠାଇବା ସଠିକ୍‌ ନିଷ୍ପତ୍ତି ନୁହେଁ। ମଧ୍ୟକ୍ରମରେ ଏପରି ବ୍ୟାଟ୍‌ସମ୍ୟାନ୍ ରହିବା ଉଚିତ; ଯିଏ ବାମହାତି ସ୍ପିନ୍ ଓ ଲେଗ୍‌ସ୍ପିନ୍‌କୁ ସହଜରେ ଖେଳିପାରନ୍ତି। ସଞ୍ଜୁ ସାମ୍‌ସନ ଏଥିରେ ସିଦ୍ଧହସ୍ତ। ବିଶ୍ବକପ୍‌ ପାଇଁ ସେ ପ୍ରସ୍ତୁତ। ଆୟରଲାଣ୍ଡ ଗସ୍ତ ପାଇଁ ଯଶପ୍ରୀତ ବୁମ୍‌ରାଙ୍କୁ ଭାରତର ଅଧିନାୟକ ନିଯୁକ୍ତି କରିବା ବିଷୟରେ କୈଫ୍ କହିଛନ୍ତି, ଆହତ ଥିବା ଖେଳାଳି ଦଳକୁ ଫେରିବା ଉପରେ ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ନିର୍ଭର କରିବ। ଆହତ ହୋଇ ୧୦ ମାସ ପରେ ବୁମ୍‌ରା ଦଳକୁ ଫେରୁଛନ୍ତି। ସେ କେତେ ଫିଟ୍‌; ତାହା ଉପ​‌େ​ର ସମସ୍ତଙ୍କ ନଜର ରହିବ। ଘରୋଇମାଟିରେ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବା ଲାଗି ଭାରତ ଫିଟ୍‌ ବୁମ୍‌ରାଙ୍କୁ ଆବଶ୍ୟକ କରୁଛି। ଦଳର ୪ ପ୍ରମୁଖ ଖେଳାଳି ଆହତ ହୋଇଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ବୁମ୍‌ରା। ଗତ ଏସିଆ କପ୍‌ ଟି୨୦ ଓ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ପରାସ୍ତ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଦିନିକିଆରେ ବିରାଟ କୋହଲି ଓ ରୋହିତ ଶର୍ମା ନ ଖେଳିବା ପ୍ରସଙ୍ଗ​‌େ​‌ର କୈଫ୍‌ କହିଛନ୍ତି; ମୂଳରୁ ଦୁହେଁ ୧୫ ଜଣିଆ ଦଳରେ ରହିବାର ନଥିଲା।

Comments are closed.