ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣିକୁ ଅଦାଲତ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପଞ୍ଚକୁଳାସ୍ଥିତ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ସ୍ବତନ୍ତ୍ର ଅଦାଲତ ଏହି ମାମଲାର ଶୁଣାଣି କରୁଛନ୍ତି। ତେବେ ପାକିସ୍ତାନୀ ନାଗରିକଙ୍କ ଆବେଦନ ଆଧାରରେ ମାମଲାର ଶୁଣାଣିକୁ ସୋମବାର ସ୍ଥଗିତ ରଖାଯାଇଛି। ପାକିସ୍ତାନକୁ ଚଳାଚଳ କରୁଥିବା ଏହି ଟ୍ରେନରେ ୨୦୦୭ ଫେବୃଆରୀ ୧୮ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬୮ଜଣ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ନାଗରିକ ଥିଲେ। ପାନିପଥର ଦିୱାନି ଗ୍ରାମରେ ଏହି ବିସ୍ଫୋରଣ ହୋଇଥିଲା। ଆଇଇଡି ଦ୍ବାରା ଏହି ବିସ୍ଫୋରଣ ଘଟାଯାଇଥିଲା।