BJD Bijuli 480×75 Mob

୧ କ୍ୱିଣ୍ଟାଲ ଗଞ୍ଜେଇ ସମେତ କାର ଜବତ : ୪ ଗିରଫ

BJD Bijuli 480×75 Mob

ସମ୍ବଲପୁର – ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ମଝିରେ ମଝିରେ ବିଭିନ୍ନ ସୁରକ୍ଷା ଏଜେନ୍ସି ମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମୟରେ ବିପୁଳ ଗଞ୍ଜେଇ ଧରା ପଡୁଛି । ଏଭଳି ଏକ ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ସମ୍ବଲପୁର ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ସମେତ ଏକ ବିଳାସପୁର୍ଣ୍ଣ କାର ଜବତ କରାଯାଇଛି । ପ୍ରାପ୍ତସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ଶୁକ୍ରବାର ସକାଳୁ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁର ରୁ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେ ଠାରେ ପେଟ୍ରୋଲିଂ କରୁଥିଲେ ।

ସକାଳ ପ୍ରାୟ ୯ଟାରେ ପାଟ୍ରୋଲିଂ ସମୟରେ ଶାସନ ଥାନା ଅର୍ନ୍ତଗତ କିଲାସମା ନିକଟରେ ଅବକାରୀ ଇନିସ୍ପେକ୍ଟର ଶଶିକାନ୍ତ ଦତ୍ତ, ସବ ଇନିସପେକ୍ଟର ଦିଲୀପ ରଥ ଓ ଅନ୍ୟ କର୍ମଚାରୀ ମାନେ ଉତ୍ତର ପ୍ରଦେଶ ରାଜ୍ୟରେ ପଞ୍ଜିକୃତ ଏକ ସନ୍ଦିଗ୍ଧ ହୋଣ୍ଡା ସିଟି (ୟୁପି – ୩୨ – ସିକେ – ୧୭୦୬) କୁ ଅଟକାଇ ଥିଲେ । ତେବେ କାରଟି ଅବକାରୀ ପୁଲିସ ଦଳକୁ ଦେଖି ଫେରାର ହେବାକୁ ଉଦ୍ୟମ କରିବାରୁ ତାକୁ ଗୋଡାଇ ଗୋଡାଇ ଧରିବା ପରେ ଖାନତଲାସି କରିଥିଲେ । ଗାଡିକୁ ଯାଞ୍ଚ ସମୟରେ ପଛ ସିଟ ତଳେ ଥିବା ଏକ ଗୁପ୍ତ ଚାମ୍ବରରେ ୧ କ୍ୱିଣ୍ଟାଲ ୧ କିଗ୍ରା ୩୦୦ ଗ୍ରାମ ଗଞ୍ଜେଇ ଅବୈଧ୍ୟ ଭାବରେ ଲୁଚାଇ ରଖାଯାଇଥିବାର ପୁଲିସ ଦଳ ପାଇଥିଲେ । ଏଣୁ ଅବକାରୀ ଦଳ ତୁରନ୍ତ ଗାଡିରେ ଯାତ୍ରା କରୁଥିବା ବିହାର ରାଜ୍ୟର ଗୁଡ୍ଡୁ ଖାନ (୪୫), ପୁଟୁ ଯାଦବ (୩୬), ଉତ୍ତର ପ୍ରଦେଶ ରାଜ୍ୟର ଶିବ ବାହାଦୁର (୪୭) ଏବଂ ମୁନ୍ନା ପଟେଲ (୫୩) ଙ୍କ ସମେତ ଅବୈଧ୍ୟ ଗଞ୍ଜେଇ, ନଗଦ ୧୮ ହଜାର ୫ ଶହ ଟଙ୍କା ଏବଂ ୨ଟି ମୋବାଇଲ ଫୋନ ଜବତ କରି ହେପାଜତରେ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏହି ଅବୈଧ୍ୟ ଗଞ୍ଜେଇ କୋରାପୁଟ ଜିଲାର ସିମିଳିଗୁଡାରୁ ସଡକ ପଥରେ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିଲା । ଚୋରାରେ ଚାଲାଣ କରାଯାଉଥିବା ଗଞ୍ଜେଇ ଗୁଡିକର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବା ବେଳେ କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ମାମଲା ସଂଖ୍ୟା ୩୮୬/୨୦୨୨-୨୩ ରୁଜୁ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ତଦନ୍ତ ଆଗକୁ ଜାରି ରହିବା ସହିତ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ଉପ ଆୟୁକ୍ତ ସୂଚନା ଦେଇଛନ୍ତି ।

Comments are closed.