ରେଡିଓ ହୀରାଖଣ୍ଡକୁ ଜାତୀୟ ପୁରସ୍କାର

ସମ୍ବଲପୁର : ସମ୍ବଲପୁରରେ କାର୍ଯ୍ୟରତ କମ୍ୟୁନିଟି ରେଡିଓ ହୀରାଖଣ୍ଡ ରେଡିଓକୁ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ୯ମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ସମାରୋହରେ ଏହି ପୁରସ୍କାର ରେଡିଓ ହୀରାଖଣ୍ଡକୁ ପ୍ରଦାନ କରିଛନ୍ତି। ରାଜଧାନୀ ନୂଆଦିଲ୍ଲୀର ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ଆୟୋଜିତ ଦୁଇଦିବସୀୟ ଆଞ୍ଚଳିକ କମ୍ୟୁନିଟି ରେଡିଓ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଏହି ପୁରସ୍କାର ସମାରୋହ ଆୟୋଜିତ ହୋଇଥିଲା। ସମ୍ବଲପୁରର କମ୍ୟୁନିଟି ରେଡିଓ ଷ୍ଟେସନ ରେଡିଓ ହୀରାଖଣ୍ଡକୁ ସ୍ଥିରତା ମଡେଲ ନିମନ୍ତେ ପ୍ରଥମ ପୁରସ୍କାର ଓ ଥିମେଟିକ ଶ୍ରେଣୀରେ ଦ୍ୱିତୀୟ ପୁରସ୍କାର ପ୍ରାପ୍ତ ହୋଇଛି। ରେଡିଓ ଷ୍ଟେସନ ପକ୍ଷରୁ ଏହାର ନିର୍ଦ୍ଦେଶକ ବିକାଶ ମହାପାତ୍ର ପୁରସ୍କାର ଗୁଡିକୁ  ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଗତ ୫ ବର୍ଷରୁ ଅଧିକ ସମୟ ହେବ ସମ୍ବଲପୁର ସହର ତଥା ଆଖପାଖ ଅଞ୍ଚଳରେ ରେଡିଓ ହୀରାଖଣ୍ଡ ତାର କାର୍ଯ୍ୟକ୍ରମ ପ୍ରସାରଣ ଜାରି ରଖିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ, କୃଷି, ଜୀବନ ଓ ଜିବିକା ଉପରେ ଅନେକ କାର୍ଯ୍ୟକ୍ରମ ନିୟମିତ କରାଯାଉଛି। ଏଥି ସହ ସମ୍ବଲପୁର ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ରେଡିଓ ହୀରାଖଣ୍ଡ ମଧ୍ୟ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.