ସହରର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ମହିଳା ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର: ସମ୍ବଲପୁରର ଜୟ ମାଁ ଦୁର୍ଗା ମହିଳା ସମିତି ଓ ଉତ୍କଳ ମହିଳା ସମିତ ପକ୍ଷରୁ ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରାଯାଇଛି । ବୁଧବାର ଜିଲାପାଳଙ୍କ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଲକ୍ଷ୍ମୀ ଟିକଜ ଛକ ଠାରେ ଥିବା ପୁରୁଣା ବସଷ୍ଟାଣ୍ଡଟି ଜନଗହଳି ରହୁଥିବା ବେଳେ ସେଠାରେ ମହିଳା ମାନଙ୍କର ପରିଶ୍ରାଗାର ନଥିବାରୁ ବେଶ ଅସୁବିଧା ହେଉଛି । ଏଣୁ ଉକ୍ତ ଅଞ୍ଚଳରେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ପରିଶ୍ରାଗାର ନିର୍ମାଣ, ଧନୁପାଲି ଛକରୁ ଦେବଗଡ ରୋଡ ଯିବା ସମୟରେ ଧନୁପାଲିରୁ ସିନ୍ଦୁରପଙ୍କ ପୀଠାବଳୀ ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଉପଯୁକ୍ତ ମରାମତି ଏବଂ ଦୁର୍ଘଟଣା କମାଇବା ପାଇଁ ନୂତନ ରାସ୍ତା ନିର୍ମାଣ, ସହରର ସମସ୍ତ ପ୍ରମୁଖ ରାସ୍ତା ଯଥା ଦୁର୍ଗାପାଲି ରାସ୍ତା, ଧନୁପାଲି ରାସ୍ତା, ଦେବଗଡ ରାସ୍ତା, ଧମା ରାସ୍ତା ଆଦି ଗୁଡିକରେ ଗାଈଗୋରୁ ଗୁଡିକ ରାସ୍ତା ଉପରେ ଶୋଇ ରହୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଉଭୟ ପଶୁ ଓ ମନୁଷ୍ୟ କ୍ଷତିଗ୍ରସ୍ତ ହୋଇ ଧନଜୀବନ ହାନୀ ହେଉଥିବାରୁ ଏକ ଗୋଶାଳା ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯାଉ ବୋଲି ଦାବି କରାଯାଇଛି । ପ୍ରଦତ୍ତ ଦାବିପତ୍ରରେ ସୁରେଖା ସାହୁ, ସୌରେନ୍ଦ୍ରୀ ପଣ୍ଡା, ସୁର୍ଯ୍ୟକାନ୍ତି ନାୟକ, ସୁମିତ୍ରା ବଗର୍ତ୍ତୀ, ପୁଷ୍ପାଞ୍ଜଳି କେରକେଟା, ସାହିଦା ବାନୋ, ସବନମ ବେଗମ ପ୍ରମୁଖଙ୍କ ଦସ୍ତଖତ ରହିଛି ।

kalyan agarbati

Comments are closed.