ସମ୍ବଲପୁର: ଥାନା ସମ୍ମୁଖରେ ଗୋଷ୍ଠୀ ସଂଘର୍ଷ । ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୫ଟା ସମୟରେ ଭୁତାପଡା ସ୍ଥିତ ଧନୁପାଲି ଥାନା ସମ୍ମୁଖରେ ଥିବା ଏକ ବସ୍ତିରୁ ଏକ ବରଯାତ୍ରୀ ଦଳ ବାହାରି ଯାଉଥିଲେ । ସେହି ସମୟରେ ସୁନାପାଲି ପଟରୁ ଆସୁଥିବା ଏକ କାର ସହିତ ବରଯାତ୍ରୀ ଦଳର କିଛି ବ୍ୟକ୍ତିଙ୍କ ଧକ୍କା ହୋଇ ଯାଇଥିଲା । ଏଣୁ କାରରେ ଥିବା ୨ ଜଣ ଯୁବକ ମାନେ ଗାଡି ଛିଡା କରି ବରଯାତ୍ରୀ ଦଳର ବ୍ୟକ୍ତି ମାନଙ୍କୁ ଗାଳିଗୁଲଜ କରି ମାଡ ମାରିଥିଲେ । ଏହାର ପ୍ରତିବାଦରେ ବରଯାତ୍ରୀ ଦଳ ଓ ବସ୍ତିର ଲୋକେ ଘଟଣାସ୍ଥଳକୁ ଆସି ଯାଇ ମାରପିଟ କରୁଥିବା ଯୁବକ ମାନଙ୍କୁ ଧରି ମାଡ ମାରିଥିଲେ । ସେହି ସମୟରେ ଖବର ପାଇ କାରରେ ଥିବା ଯୁବକ ମାନଙ୍କର କିଛି ସାଥି ଓ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚିଯିବାରୁ ବସ୍ତି ବାସିନ୍ଦା ଓ ଅପର ଗୋଷ୍ଠୀ ମଧ୍ୟରେ ଥାନା ସମ୍ମୁଖରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ମାରପିଟ ଜାରି ରହିଥିବା ବେଳେ ବିଳମ୍ବରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ପରେ ଥାନାରେ ଉଭୟ ପକ୍ଷ ଆପୋଷ ମିଳାମିଶା କରିଥିବାରୁ ଧନୁପାଲି ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ । ତେବେ ଏହି ଘଟଣାରେ ଧକ୍କା ଲାଗିଥିବା କାରଟି ବେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ତେବେ ଧନୁପାଲି ଥାନା ସମ୍ମୁଖରେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟିବାର ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଥାନା ସମ୍ମୁଖରେ ଥାନାଧିକାରିଣୀ ଙ୍କୁ ଅସଭ୍ୟ ବ୍ୟବହାର ପ୍ରଦର୍ଶନ, ଗ୍ୟାରେଜ ପୋଡି, ଗୋଷ୍ଠୀ ସଂଘର୍ଷ, ଛୁରା ମାଡ ଭଳି ଅନେକ ମାମଲାର ନଜୀର ରହିଛି । ତେବେ ପୁଲିସ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଅପେକ୍ଷା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାରେ ବେଶ ବ୍ୟସ୍ତ ରହୁଥିବାର ପରିଲକ୍ଷିତ ହେଉଛି ।



