ବୌଦ୍ଧରେ ପଲ୍‌ସ ପୋଲିଓ ଟୀକାକରଣ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ପଲ୍‌ସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ । ସ୍ଥାନୀୟ ଜିଲ୍ଲା ପ୍ରସବୋତର କେନ୍ଦ୍ର (ପିପିସି) ଠାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାକୁ ଆରମ୍ଭ କରିଥିଲେ । ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ଟୀକାକେନ୍ଦ୍ରଠାରେ ଶିଶୁମାନଙ୍କୁ ନେଇ ଅଭିଭାବକମାନଙ୍କ  ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶଙ୍କ ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଥିବା ମୋଟ ୪୧୭୪୩ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ସାରା ଜିଲ୍ଲାରେ ୨୧୨ଟି ପୋଲିଓ ବୁଥ୍ କରାଯାଇଥିବା ବେଳେ, ୪୨୪ଟି ଟିମ୍ ରେ ୮୪୮ ଜଣ ଟୀକାଦାନ କର୍ମୀ ନିୟୋଜିତ ହୋଇଛନ୍ତି ।

ଏହା ବାଦ୍  ୯ ଗୋଟି ମୋବାଇଲ୍ ଓ ୨୦ ଗୋଟି ଟ୍ରାଂଜିଟ୍ ଟିମ୍ ଜିଲ୍ଲାର ଦୁର୍ଗମ ଓ ଜନଗହଳିପୂର୍ଣ୍ଣ  ଅଂଚଳ ଗୁଡ଼ିକରେ ମୂତୟନ ହୋଇଛନ୍ତି । କୋଭିଡ୍ ନିୟମକୁ ମାନି ସମସ୍ତ ବୁଥ୍‌ରେ  ସାନିଟାଇଜର୍ ଓ ମାସ୍କ୍ ବ୍ୟବହାର ସହ ସାମାଜିକ ଦୂରତା ରଖି ପଲ୍‌ସ୍ ପୋଲିଓ କାର୍ଯ୍ୟକ୍ରମ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ଗୋଟିଏ ମାତ୍ର  ପର୍ଯ୍ୟାୟରେ ହେଉଥିବା  ପଲ୍‌ସ ପୋଲିଓ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରାଇବାପାଇଁ ସବୁସ୍ତରରେ ବ୍ୟାପକ ଉଦ୍ୟମ କରାଯାଉଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ, ଡା. ଭଂଜକିଶୋର ଦେଓ ହେମ୍ବ୍ରମ୍‌, ଡିପିଏମ୍ ରୂପକ ମହାପାତ୍ର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ, ଗିରିଜା ପ୍ରସାଦ ମିଶ୍ର, ଏଡିପିଏଚ୍‌ସିଓ ସୁନୀଲ୍ ନାୟକ, ଉତ୍ପଳ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାହୁ, ଜ୍ୟୋତିପ୍ରକାଶ ଦାସ, ହସପିଟାଲ୍ ମ୍ୟାନେଜର୍ ଶଚ୍ଚିଦାନନ୍ଦ ପାଢି, ଡିଭିଏଲ୍‌ଏମ୍ ଦୋଳଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକ  ଓ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଫେବ୍ରୁଆରୀ ୨୭ ଦିନ କେବଳ ବୁଥ୍‌ରେ ପୋଲିଓ ବୁନ୍ଦା ଦେବାକୁ ଥିବାବେଳେ ଫେବ୍ରୁଆରୀ ୨୮  ଓ ୧ ମାର୍ଚ୍ଚ ଦିନ  ଟୀକାଦାନ କର୍ମୀମାନେ ଘରକୁ ଘର ବୁଲି ବାକି ରହିଯାଇଥିବା ପିଲାମାନଙ୍କୁ ଚିହ୍ନଟ କରି ପୋଲିଓ  ବୁନ୍ଦା ଖୁଆଇବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଶେଷ ସୁଦ୍ଧା ୯୨ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବାର ସୂଚନା ମିଳିଛି । ଜିଲ୍ଲାରେ ଚଳିତ ପୋଲିଓ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରାଇବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Comments are closed.