ଚତୁର୍ଥ ଦିନରେ ବ୍ରଜ ଦାସଙ୍କ ଘରେ ଚଢାଉ

ସମ୍ବଲପୁର : ଆଜି ଚତୁର୍ଥ ଦିନରେ ବି ଚାଲିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ରେଡ୍ । ସମ୍ବଲପୁର ଧନକଉଡା ସ୍ଥିତ ଘର ଏବଂ ଅଫିସରେ ଆୟକର ଟିମ୍ ର ଚଢାଉ ଜାରି ରହିଛି। ବ୍ରଜ ଦାସ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ କାଲି ରେଡ୍ ହୋଇଥିଲା। ପୂର୍ବରୁ ୪୪ଟି ସ୍ଥାନରେ ଆୟକର ବିଭାଗ ଏକାକାଳୀନ ଭାବେ ଚଢାଉ କରିଥିଲା । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ଅଧିକାରୀ କି ସଂପୃକ୍ତ ଠିକାଦାରମାନେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ତେଣୁ କେଉଁ ସୂତ୍ରରୁ ଏହି ଚଢ଼ଉ ଓ ଏଥିରୁ କ’ଣ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଭୁବନେଶ୍ବର ଓ ରାୟପୁର ଆୟକର ମଣ୍ଡଳ ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଛନ୍ତି। ସମ୍ବଲପୁର ସହରର ଧନକଉଡ଼ା ମୁଖ୍ୟରାସ୍ତାରେ ଥିବା ବାସଗୃହ, ତା’ ପଛପଟେ ଥିବା ଭଡ଼ାଘର ଓ ମୁଖ୍ୟ କାର୍ଯ୍ୟାଳୟ ସମେତ ଧନୁପାଲିର ଏକ ଘରେ ଚଢ଼ଉ କରାଯାଇଛି। ଏଥିସହ ବଲାଙ୍ଗିର, ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶାଖା କାର୍ଯ୍ୟାଳୟ/କାର୍ଯ୍ୟ କ୍ଷେତ୍ରରେ ଆୟକର ଅଧିକାରୀମାନେ ଯାଞ୍ଚ ଜାରି କରିଥିଲେ। ତେବେ ଚଢ଼ଉ ବେଳେ ବ୍ରଜ ଦାସ କୌଣସି କାମରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।

Comments are closed.