www.samajalive.in
Sunday, December 7, 2025
23.1 C
Bhubaneswar

ଅଫିମ ଚୋପା ଜବତ : ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗର ଗୁଇନ୍ଦା ୱିଙ୍ଗ ସ୍କ୍ୱାର୍ଡ ତରଫରୁ ଚଢ଼ଉ କରାଯାଇ ବୁଧବାର ବିପୁଳ ମାତ୍ରାରେ ଅଫିମ ଫଳର ଚୋପା ଜବତ କରାଯାଇଛି। ଗୁଇନ୍ଦା ବିଭାଗର ଅଧିକାରୀ ସ୍ମୃତିକାନ୍ତ ରାଉତଙ୍କ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ସ୍କ୍ୱାର୍ଡ ତରଫରୁ ପାଟ୍ରୋଲିଂ ସମୟରେ ଧମା ନିକଟସ୍ଥ ହୋତାପାଲି ଦେଓଗାଁର ଏକ ଢ଼ାବା ନିକଟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ତାରେ ଦୁଇଟି ଭର୍ତ୍ତି ବସ୍ତା ନେଇ ଯାଇଥିବାର ଦେଖାଯାଇଥିଲା। ଏଣୁ ସ୍କ୍ୱାର୍ଡ ତରଫରୁ ବ୍ୟକ୍ତିଙ୍କୁ ଧରା ଯାଇ ବସ୍ତା ଯାଞ୍ଚ କରାଯିବାରୁ ତାହା ମଧ୍ୟରୁ ୨୩ କିଗ୍ରା ୯୦୦ ଗ୍ରାମର ଅଫିମ ଚୋପା ଜବତ କରାଯାଇଥିଲା। ଏ ନେଇ ଅବକାରୀ ମାମଲା ୪୫/୨୦୨୦ ରୁଜୁ କରାଯାଇ ଅଭିଯୁକ୍ତ ମିଲନ ଭୋଇକୁ ଗିରଫ କରାଯାଇଥିବାବେଳେ ତାକୁ କୋର୍ଟ ସମ୍ମୁଖରେ ହାଜର କରାଯାଇଛି। ଜବତ ହୋଇଥିବା ଅଫିମ ଚୋପାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ। ସାଧାରଣତଃ ମାଦକ ଦ୍ରବ୍ୟ ବ୍ୟବହାରକାରୀମାନେ ଏହି ଅଫିମ ଚୋପାକୁ ଚା ଅଥବା ଅନ୍ୟ ଦ୍ରବ୍ୟରେ ମିଳାଇ ବ୍ୟବହାର କରିଥାନ୍ତି। ଏଣୁ ଏହା କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ଆଦି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ବୋଲି ଅଧିକାରୀ ରାଉତ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଅବକାରୀ ବିଭାଗ ତରଫରୁ ବେଆଇନ ନିଶା ସାମଗ୍ରୀ ଯଥା ଦେଶୀ ମଦ, ବିଦେଶୀ ମଦ, ଗଞ୍ଜେଇ ଆଦିର ଚୋରା ଚାଲାଣକୁ ରୋକିବା ପାଇଁ ଚଢ଼ଉ ଅଭିଯାନ ଚଳାଯାଉଥିବାବେଳେ କିନ୍ତୁ ଜିଲାରେ ଏ ପର୍ଯ୍ୟନ୍ତ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ବିଭାଗ ସଫଳ ହୋଇ ପାରି ନାହିଁ ଏବଂ ନିଶା କାରବାର ଦିନକୁ ଦିନ ବଢ଼ି ଚାଲିଛି। ତେବେ ବହୁ ବର୍ଷ ପରେ ଚୋରାରେ ଅଫିମ ଚୋପା ଚାଲାଣ କରାଯାଉଥିବା ବେଳେ ଧରାପଡିବା ଘଟଣା ସ୍ପଷ୍ଟ କରୁଛି ଯେ ନିଶା ବେପାରୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ନିଶା ବ୍ୟବହାରକାରୀମାନଙ୍କୁ ନିଶା ଦ୍ରବ୍ୟ ଯୋଗାଇ ଦେବା କାରବାର ଜାରି ରଖିଛନ୍ତି। ଏଣୁ ବେଆଇନ ନିଶା କାରବାର ଉପରେ ଆହୁରୀ ପ୍ରଭାବୀ ଢ଼ଙ୍ଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି ଚଢ଼ଉ ଅଭିଯାନରେ ଅଧିକାରୀ ରାଉତଙ୍କ ନେତୃତ୍ୱରେ ସଚ୍ଚିକାନ୍ତ ଦତ୍ତ, ଏସ. ମହାନନ୍ଦିଆ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories