www.samajalive.in
Wednesday, December 10, 2025
17.1 C
Bhubaneswar

ମହାନଦୀର ଦ୍ୱିତୀୟ ସେତୁ ଉପରୁ ମାଆ ଓ ଝିଅ ଡେଇଁ ଆତ୍ମହତ୍ୟା ସନ୍ଦେହ !

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ମହାନଦୀ ଉପରେ ନିର୍ମିତ ଦ୍ୱିତୀୟ ସେତୁ ଉପରୁ ସୋମବାର ଦିନ ସମୟରେ ଜଣେ ମହିଳା ତାଙ୍କର ଛୋଟ ଝିଅକୁ ଧରି ନଦୀ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପ୍ରାପ୍ତସୂଚନାନୁଯାୟୀ, ଧମା ଥାନା ଅଞ୍ଚଳର ନିବାସୀ ପୂଜା ଅଗ୍ରୱାଲ ବଲାଙ୍ଗୀର ଜିଲାର କେସିଙ୍ଗାରେ ବିବାହ କରିଛନ୍ତି। ସେ ପ୍ରାୟ ୮ ଦିନ ହେବ ତାଙ୍କର ପିତ୍ରାଳୟକୁ ଆସିଥିଲେ। ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଏକ ସ୍କୁଟିରେ (ଓଡି – ୧୫ – କ୍ୟୁ – ୩୫୫୬) ନିଜର ୩ ବର୍ଷର ଝିଅକୁ ଧରି ବୁଲିବାକୁ ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ଅପରାହ୍ନ ପ୍ରାୟ ୪ଟା ସମୟରେ ପୂଜା ଧରି ଆସିଥିବା ସ୍କୁଟି ଓ ଚପଲ ମହାନଦୀର ଦ୍ୱିତୀୟ ପୋଲ ଉପରୁ ପୁଲିସ ଉଦ୍ଧାର କରିଛି। ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ଯେ, ଦିନ ପ୍ରାୟ ୨ଟା ସମୟରେ କିଛି ବ୍ୟକ୍ତି ପୂଜା ଓ ତାଙ୍କର ଝିଅ ସେତୁ ଉପରକୁ ଯାଇଥିବାର ଦେଖିଥିଲେ। କିନ୍ତୁ ସେ ସେତୁ ଉପରୁ ମହାନଦୀକୁ ଡେଇଁଛନ୍ତି କି ଅନ୍ୟ କେଉଁ ଆଡେ ଚାଲି ଯାଇଛନ୍ତି, ତାହା କେହି ଦେଖି ନାହାନ୍ତି। କିନ୍ତୁ ବହୁ ସମୟ ଧରି ସେତୁ ଉପରେ ସ୍କୁଟି ଛିଡା ରହିଥିବାର ଦେଖି ଲୋକେ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସ୍କୁଟି ନଂ ଆଧାରରେ ଧମା ସ୍ଥିତ ତାଙ୍କ ପରିବାରରକୁ ଯୋଗାଯୋଗ କରିଥିଲା। ଏଣୁ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ସ୍କୁଟି ଓ ଚପଲକୁ ଚିହ୍ନଟ କରିବା ପରେ ପୂଜା ଓ ତାଙ୍କର ଝିଅ ନିଖୋଜ ଥିବାର ଜଣାପଡିଥିଲା। ତେବେ ପୂଜା ସମ୍ପୁର୍ଣ୍ଣ ଠିକ ଥିଲେ ଏବଂ କୌଣସି ପ୍ରକାରର ଅସୁବିଧା ମଧ୍ୟ ନ ଥିଲା ବୋଲି ପରିବାରବର୍ଗ ପୁଲିସକୁ ଜଣାଛନ୍ତି। ଅନ୍ୟ ପଟରେ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମାଁ ଓ ଝିଅକୁ ମହାନଦୀ ମଧ୍ୟରେ ଖୋଜିବା ଆରମ୍ଭ କରିବା ସମୟରେ ସନ୍ଧ୍ୟା ହେବାରୁ ଖୋଜିବା କାର୍ଯ୍ୟକୁ ବନ୍ଦ ରଖାଯାଇଛି। ତେବେ ପୁଲିସ ନିଖୋଜ ମାମଲା ରୁଜୁ କରିଛି ଏବଂ ମଙ୍ଗଳବାର ସକାଳୁ ଅଗି୍ନଶମ ବିଭାଗ ଓ ଓଡ୍ରାପ୍ଟ ଦଳଙ୍କ ସହାୟତାରେ ପୁର୍ନବାର ନିଖୋଜ ମାଁ ଓ ଝିଅକୁ ଖୋଜିବ ବୋଲି ଜଣାପଡିଛି। ଏବେ ମହାନଦୀରେ ପ୍ରତି ସେକେଣ୍ଡ ପ୍ରାୟ ୧ ଲକ୍ଷ ୯୦ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବଢ଼ିପାଣିରେ ମହାନଦୀ ପୂର୍ଣ୍ଣ ଗର୍ଭା ହୋଇ ରହିଛି। ଏଣୁ ଯଦି ମାଁ ଓ ଝିଅ ଆତ୍ମହତ୍ୟା କରିଛନ୍ତି ତାହା ହେଲେ ସେମାନଙ୍କର ମୃତଦେହ ଉଦ୍ଧାର କରିବା ବହୁ କଷ୍ଟକର ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି। ଦ୍ୱିତୀୟ ସେତୁ ଉପରୁ ଉଦ୍ଧାର ସ୍କୁଟି ଓ ଚପଲକୁ ଜବତ କରାଯାଇ ଟାଉନ ଥାନାରେ ରଖାଯାଇଛି। ମାମଲାକୁ ନେଇ ଜିଲାରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୁଲିସ ପାଇଁ ଏହି ଘଟଣାର ଗୁମର ଖୋଲିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୁଚନାଯୋଗ୍ୟ ଯେ, ମହାନଦୀ ଉପରେ ନିର୍ମିତ ୧୫୦୦ ମିଟର ଲମ୍ବର ଦ୍ୱିତୀୟ ସେତୁ ନିର୍ମାଣ ସମୟରୁ ହିଁ କିଛି ନା କିଛି ଦୁର୍ଘଟଣା ଅଥବା ଘଟଣା ପ୍ରାୟ ଲାଗି ରହିଛି। ଏହି ସେତୁ ଉଦଘାଟନ ପୂର୍ବରୁ ଲୋକଙ୍କ ସକାଳ ଓ ସନ୍ଧ୍ୟା ଭ୍ରମଣର କେନ୍ଦ୍ର ତଥା ଅବସର ବିନୋଦନ ସ୍ଥଳ ପାଲଟିଥିବା ବେଳେ ଯୁବ ପିଢ଼ି ଓ ପ୍ରେମିକ ଯୋଡିଙ୍କ ସାକ୍ଷାତସ୍ଥଳି ଭାବରେ ପରିଣତ ହୋଇଥିଲା। କିନ୍ତୁ ଉଦଘାଟନର ଢ଼େର ପୂର୍ବରୁ ସେପ୍ଟେମ୍ବର ୧୪ ୨୦୧୮ ନୁଆଁଖାଇ ଅବସରରେ ବରଗଡର ଓକିଲ ସାଇ କୃଷ୍ଣ (୪୫) ଏହି ପୋଲରୁ ଡେଇଁପଡି ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଦୁଇଚକିଆ ଯାନ ସେତୁ ଉପରୁ ଉଦ୍ଧାର କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ମୃତଦେହ ଉଦ୍ଧାର କରାଯାଇ ପାରି ନା ଥିବାରୁ ମୃତ୍ୟୁ ରହସ୍ୟ ଘେରରେ ରହିଛି। ୧୬ ଅଗଷ୍ଟରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେହିଭଳି ୨୦୧୮ ଅକ୍ଟୋବର ୧ରେ ଜଣେ ଯୁବକ ଏହି ସେତୁ ନିକଟରେ ମାଛ ମାରୁଥିବା ବେଳେ ଭାସି ଯାଇଥିଲେ। ପରେ ତାଙ୍କୁ ସେତୁ ତଳୁ ଉଦ୍ଧାର କରାଯାଇଥିଲା। ସେହିପରି ୯ ନଭେମ୍ବର ୨୦୧୧ ରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଛିଡା ହୋଇଥିବା ବେଳେ ପୁଲିସ ପେଟ୍ରୋଲିଂ ଗାଡି ତାଙ୍କ ନିକଟରେ ଅଟକି ପଚାରିବାରୁ ସେ ଭୟଭୀତ ହୋଇ ପୋଲ ଉପରେ ବିପରୀତ ଦିଗକୁ ଦୌଡି ତଳକୁ ଡେଇଁ ପଡି ମୃତ୍ୟୁବରଣ କରିଥିଲେ। ୧ ଫେବୃଆରୀ ୨୦୧୯ରେ ଉଦଘାଟନ ପୂର୍ବରୁ ୯ ଜାନୁଆରୀରେ ସାହୁ କଲୋନୀର ଜଣେ ଯୁବକ ସେତୁ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ୧୭ ଜୁନରେ ଜଣେ ଯୁବକକୁ ଗାଡି ଧକ୍କା ଦେବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ୨୧ ଜୁଲାଇରେ ସେତୁ ତଳେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ବରଣ କରିଥିଲେ। ସେତୁ ଉଦଘାଟନର ମାତ୍ର ୭ ମାସ ପରେ ୧୬ ସେପ୍ଟେମ୍ବର ୨୦୧୯ ରେ ଫାଟ ଦେଖାଯାଇଥିଲା ଏବଂ ପରେ ଏହାର ମରାମତି କରାଯାଇଥିଲା। ସେହିଭଳି ୧୪ ଡିସେମ୍ବରରେ କାର ଦୁର୍ଘଟଣାରେ ଜଣେ ଆହତ ହେବା, ବଜ୍ରପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଆଦି ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟି ଚାଲିଛି। ଏଣୁ ଏବେ କିଛି ମାସ ହେବ ପୁଲିସ ସର୍ତକତା ଅବଲମ୍ବନ କରି ସେତୁ ଉପରେ କାହାରିକୁ ବସି ରହିବା କିମ୍ବା ଅଟକିବା ପାଇଁ ଦିନ ସମୟରେ ବାରଣ କରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟାରୁ ଉଭୟ ପଟରେ କଡା ପହରା ଲଗାଯାଇ ଗାଡି ମଟର ଯାଞ୍ଚ ପରେ ଯାଇ ସେତୁରେ ଯାତାୟାତ କରିବା ପାଇଁ ଦିଆଯାଉଛି। ଏଭଳି ସ୍ଥଳରେ ସୋମବାର ଦିନବେଳାର ଘଟଣାକୁ ନେଇ ସାଧାରଣରେ ଆର୍ଶ୍ଚଯ୍ୟ ପ୍ରକାଶ ପାଉଛି। ତେବେ ମାଁ ଓ ଝିଅଙ୍କ ନିଖୋଜ ଘଟଣା ପୁଲିସ ତଦନ୍ତ ପରେ ଯାଇ ଘଟଣାର ରହସ୍ୟ ଉନ୍ନମୋଚନ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories