www.samajalive.in
Saturday, December 13, 2025
27.1 C
Bhubaneswar

ଆଲୋଚନା ଓ ଅନୁଧ୍ୟାନରେ ଅଟକିଛି ତିଗିରିଆର ପ୍ରକୃତି ପର୍ଯ୍ୟଟନ ଓ ପ୍ରମୋଦ ଉଦ୍ୟାନ 

ତିଗିରିଆ : ତିଗିରିଆରେ ପ୍ରକୃତି ପର୍ଯଟନ ଏବଂ ପ୍ରମୋଦ ଉଦ୍ୟାନ ହେବ। ଗତବର୍ଷ ସରକାରୀ ସ୍ତରରେ ଏକଥା ଶୁଣିବାକୁ ମିଳିବା ପରେ ଅଞ୍ଚଳରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସଂଚାର ହୋଇଥିଲା। ତିଗିରିଆ ନିଜିଗଡ ପ୍ରସନ୍ନମଣିଙ୍କ ବିଜେସ୍ଥଳୀ ନିକଟ ରେଙ୍ଗାଲି ଭୂତଳ କେନାଲ ଉପରେ ଉପଲବ୍ଧ ପ୍ରଶସ୍ଥ ଭିତ୍ତିଭୂମି ଉପରେ ଏହି ପ୍ରକୃତି ପର୍ଯଟନ (ଇକୋ ଟୁରିଜିମ୍) ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି। ତେବେ ଇତି ମଧ୍ୟରେ ଗୋଟିଏ ବର୍ଷ ବିତିବାକୁ ବସିଥିବା ବେଳେ ଏହି ପ୍ରକୃତି ପର୍ଯ୍ୟଟନ ପ୍ରକଳ୍ପ କେବଳ ଆଲୋଚନା ଓ ଅନୁଧ୍ୟାନରେ ସୀମିତ ରହିଥିବା ଦେଖିବାକୁ ମିଳିଛି। ଗତ ୬ ମାସ ହେଲା ପର୍ଯ୍ୟଟନର ପ୍ରସ୍ତାବିତ ଭିତ୍ତିଭୂମି ବିସ୍ତୀର୍ଣ୍ଣ ଭୂସମ୍ପତ୍ତି ସମତୁଲ ହୋଇ ଅପେକ୍ଷା କରି ରହିଛି। ଏପର୍ଯ୍ୟନ୍ତ ଅନ୍ୟ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଗତବର୍ଷ ପ୍ରସ୍ତାବିତ ଭୂମିର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ସ୍ଥାନରେ ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଏବଂ ଏହା ଦ୍ବାରା କଟକ ଓ ଢେଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ଓ ଦର୍ଶନୀୟ ସ୍ଥାନ ଯଥା ଅଂଶୁପା ହ୍ରଦ, କପିଳାସ, ଯୋରନ୍ଦା, ଭଟ୍ଟାରିକା, ସପ୍ତଶଯ୍ୟା, କଣ୍ଟିଲୋ, ସିଂହନାଥ ଆଦି ସ୍ଥାନର ନିକଟବର୍ତ୍ତୀ ହୋଇଥିବାରୁ ତିଗିରିଆ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, ଆଠଗଡ ବନଖଣ୍ଡ ଅଧିକାରୀ, ରେଙ୍ଗାଲି ଦକ୍ଷିଣାଞ୍ଚଳ ଜଳ ସେଚନ କର୍ତ୍ତୃପକ୍ଷ, ଆଠଗଡ ଉପଜିଲ୍ଲାପାଳ ମିଳିତ ଭାବେ ପ୍ରସ୍ତାବିତ ସ୍ଥାନର ପରିଦର୍ଶନ କରି ସେଠାରେ ଇକୋ-ଟୁରିଜିମ୍‌ ପାଇଁ ସମ୍ଭାବ୍ୟ ଉନ୍ନୟନ କାର୍ଯ୍ୟ ଏବଂ ବନୀକରଣ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦ୍ୱାରା ଏ ଦିଗରେ ପ୍ରସ୍ତୁତ ପ୍ଲାନ୍‌ ଆଠଗଡ଼ ବନଖଣ୍ଡ ଅଧିକାରୀ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଆଠଗଡ଼ର ବନଖଣ୍ଡ ଅଧିକାରୀ ପ୍ରସ୍ତାବିତ ସ୍ଥାନରେ ଆବଶ୍ୟକୀୟ ବନୀକରଣ ଏବଂ ୱାଚ୍‌ଟାୱାର ନିର୍ମାଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଥିଲା।
ପରବର୍ତ୍ତୀ ସମୟରେ ଏହି ଇକୋ ଟୁରିିଜିମ ଓ ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ଜାଗାର ସ୍ଥିତି ଅନୁଧ୍ୟାନ କରା ଯାଇଥିଲା। ଏହି ଅନୁଧ୍ୟାନରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ, ରେଙ୍ଗାଲୀ ଦକ୍ଷିଣାଞ୍ଚଳ ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ, ଆଠଗଡ଼ ଉପଜିଲ୍ଲାପାଳ, ତିଗିରିଆ ତହସିଲଦାର ପ୍ରମୁଖ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଇତି ମଧ୍ୟରେ ଦୀର୍ଘଦିନ ବିତି ଯାଇଥଲେ ମଧ୍ୟ ପ୍ରସ୍ତାବିତ ସ୍ଥାନରେ କୌଣସି ଗୋଟିଏ ବି କାର୍ଯ୍ୟ ଆରମ୍ଭ ହୋଇନାହିଁ। ପର୍ଯ୍ୟଟନ ପ୍ରକଳ୍ପ ପ୍ରତିଷ୍ଠାରେ କେଉଁଠି ଏବଂ କେଉଁ କାରଣରୁ ମନ୍ଥରତା ଲାଗି ରହିଛି ତାହାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଗତ ବର୍ଷରେ ତିଗିରିଆର ପ୍ରାଚୀନ କୀର୍ତ୍ତିରାଜି ତଥା ପରମ ଆରାଧ୍ୟ ରାଜବାଟିସ୍ଥିତ ପ୍ରଭୁ ପ୍ରସନ୍ନମଣିଙ୍କ ପୀଠ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ସଂରକ୍ଷିତ ଏବଂ ୨୦୧୩ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଥିଲେ ମଧ୍ୟ ଏଠାରେ ପର୍ଯ୍ୟଟନ ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇ ନାହିଁ। ପୀଠର ବହୁ ଉନ୍ନୟନ କାର୍ଯ୍ୟ ବାବଦରେ ପ୍ରସ୍ତାବ ଯାଇଥିଲେ ମଧ୍ୟ ପର୍ଯଟନ ବିଭାଗ ପକ୍ଷରୁ ଟଙ୍କାଟିଏ ଅନୁଦାନ ମିଳି ପାରିନାହିଁ। ଏଣୁ ଦ୍ୱିତୀୟ ପର୍ଯଟନ ପ୍ରକଳ୍ପକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ଏପରି ସ୍ଥଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏହି ପ୍ରସ୍ତାବିତ ପ୍ରକୃତି ପର୍ଯ୍ୟଟନ ପ୍ରକଳ୍ପକୁ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories