ସମସ୍ୟା ଘେରରେ ପାଣି କରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ବିପଦ ସଂକୁଳ ଘରେ ପାଠପଢା

ବାଙ୍କୀ : ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ପାଣିକରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୨୫ ମସିହାରେ ସ୍ଥାପିତ ହୋଇଥିଲା।  ବିଦ୍ୟାଳୟକୁ ଏବେ ୯୭ ବର୍ଷ । କିନ୍ତୁ ବିଡମ୍ବନାର ବିଷୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟକୁ ସୈାନ୍ଦର୍ଯ୍ୟୀକରଣ ଓ ଭିତ୍ତିଭୂମୀର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିଲା ବେଳେ ପଶ୍ଚିମ ବାଙ୍କୀ ଅଂଚଳର ଏହି ବିଦ୍ୟାଳୟଟି ବହୁ ପଛରେ ପଡିଥିବାର ଅଭିଯୋଗ ହେଉଛି । ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୭ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲେ ମଧ୍ୟ ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ଦେଖା ଦେଇଛି । ବିଦ୍ୟାଳୟ ପକ୍ଷରୁ ପରିଚାଳନା କମିଟି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭାବୀ ଶ୍ରେଣୀଗୃହ ସମ୍ପର୍କରେ ଅବଗତ କରାଉଥିଲେ ମଧ୍ୟ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାନଯିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି।

prayash

ବିଦ୍ୟାଳୟର ସୂଚନା ଅନୁଯାଇ ୩ଟି ଶ୍ରେଣୀଗୃହ ଭଲ ଥିଲା ବେଳେ ୨ବଖରା ପୁରୁଣା ଆଜବେଷ୍ଟ ଘର ଭାଙ୍ଗିରୁଜି ଗଲାଣି । ଦିନବେଳେ ଖରା ଓ ବର୍ଷା ଦିନେ ପିଲାଏ ପାଠପଢିବା ପାଇଁ ଦହଗଞ୍ଜ ହେଉଛନ୍ତି । ୨ବଖରା ଭଙ୍ଗା ଆଜବେଷ୍ଟ ଘରେ ୧ମ ଓ ୨ୟ ଶ୍ରେଣୀର ମୋଟ୍ ୩୮ଜଣ ବିଦ୍ୟାର୍ଥୀ ବସି ପାଠପଢୁଥିଲା ବେଳେ ଅନ୍ୟ ଗୋଟିଏ ଘରେ ୩ୟ ଓ ୪ର୍ଥ ଶ୍ରେଣୀର ୩୪ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ସେହିପରି ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଥିବା ରୋଷେଇ ଘରଟି ଛୋଟ ଥିବା ହେତୁ ରୋଷେଇ କରିବା ସମସ୍ୟା ବଢୁଛି । ବହୁ ପୁରୁଣା ବିଦ୍ୟାଳୟଟିର ସୁରକ୍ଷା ପ୍ରାଚୀର ନଥିବାରୁ ସବୁ ସମୟରେ ଗାଁର ବୁଲା ଗାଈ ଗୋରୁଙ୍କ ଅବାଧ ପ୍ରବେଶ କରୁଛନ୍ତି । ସେହିପରି ବିଦ୍ୟାଳୟ ଛୁଟି ପରେ ହେଉ କିବା ଛୁଟି ଦିନରେ ବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତି ମାନଙ୍କର ଚଳାଚଳ ହେତୁ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି । ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିବା ସହିତ ୨ଟି ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

kalyan agarbati

Comments are closed.