ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଜିଲାପାଳ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଗୁରୁବାର ସମୀକ୍ଷା କରିଛନ୍ତି ଜିଲାପାଳ ସମର୍ଥ ବର୍ମା। ସୁଆଣ୍ଡୋକୁ ପର୍ଯ୍ୟଟନ ଓ ଜ୍ଞାନର କ୍ଷେତ୍ର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ଘନ ଘନ ସୁଆଣ୍ଡୋ ଗସ୍ତ କରୁଛନ୍ତି । ଜିଲାପାଳଙ୍କ ସହିତ ତହସିଲଦାର ଜୟନ୍ତ କୁମାର ଜୟସିଂ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ଓଡ଼ିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢି ପ୍ରମୁଖ ଶିବମନ୍ଦିର, ସ୍ମୃତି ଭବନ, ସଂଗ୍ରହାଳୟ, ଶିଶୁମାନଙ୍କ ପାଇଁ ଖେଳ ପଡ଼ିଆ, ପୁଷ୍କରିଣୀ, କେନାଲ ବନ୍ଧ ରାସ୍ତା, ପାର୍କିଂ ସ୍ଥାନ ଓ ନିର୍ମାଣାଧୀନ ଗୋପବନ୍ଧୁଙ୍କ ଷଠିଘର ବୁଲି ଦେଖିଥିଲେ । ଗ୍ରାମ ଦାଣ୍ତରେ ଭୁତଳ ଲାଇନ ପାଇଁ କେବୁଲ ବିଛା ଯାଉଥିବା କାମର ଅଗ୍ରଗତି ସଂପର୍କରେ ବୁଝିଥିଲେ । ଗ୍ରାମର ସମସ୍ତଙ୍କ ଘର ସାମ୍ନା ପଟକୁ ଗୋଟିଏ ରଙ୍ଗ କରାଯିବ । ସଂଗ୍ରହାଳୟ ପରିସରରେ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ପାଇପାରି ନାହାଁନ୍ତି ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ବିଡିଓ ଦାୟିତ୍ୱରେ ଥିବା ଶ୍ରୀ ଜୟସିଂଙ୍କୁ ପରାମର୍ଶ ଦେଇଥିଲେ । ମାର୍କେଟ ଯୋଜନାରେ ୧୦ଟି ଘର ତୋଳା ସରିଛି । ଆଉ ୬ଟି ଘରର ଟେଣ୍ଡର କରାଯାଇ ଘର ନିର୍ମାଣ କରାଯିବ। ବ୍ରିଜ ନିକଟରୁ ସୁଆଣ୍ଡୋ ଗ୍ରାମମୁଣ୍ଡ ପର୍ଯ୍ୟନ୍ତ କେନାଲବନ୍ଧ ରାସ୍ତା କାମ ତୁରନ୍ତ ସାରିବାକୁ ଗୃହ ଓ ରାସ୍ତା ନିର୍ମାଣ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଆଣ୍ଡୋ ଗ୍ରାମ ଦାଣ୍ତରେ ସୋଲାର ଲାଇଟ ଲଗାଯିବ ବୋଲି ସମିକ୍ଷା ବୈଠକରେ ଜିଲାପାଳ ଶ୍ରୀ ବର୍ମା କହିଥିଲେ । ବର୍ଷା ଯୋଗୁ କାମ ଟିକିଏ ପଛେଇ ଯାଇଥିଲେ ମଧ୍ୟ ଏବେ ଯୋରସୋର କାମ ଚାଲିଛି। ସଂସ୍କୃତି ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ୱର ପାତ୍ର ପଡା ଠାରେ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସଙ୍କ ଦ୍ବାରା ଓଡ଼ିଶାର ସର୍ବ ବୃହତ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣାଧୀନ ଅବସ୍ଥାରେ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରେ ସଂସ୍କୃତି ବିଭାଗକୁ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରତିମୂର୍ତ୍ତି ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଇଂ ଶୁଭମ ପାତ୍ର ଓ ଇଂ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କୁ ଜିଲାପାଳ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।

Comments are closed.