ଏତେ ସପନକୁ ରାତି କାହିଁ ?

ଇଂରେଜମାନଙ୍କଦ୍ବାରା ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ବ ଔପନିବେଶିକ ଶାସନ ଫଳରେ ଆମଦେଶ ପ୍ରଗତି ପଥରେ ଆଗକୁ ବଢ଼ିବା ବଦଳରେ ଅନେକ ପଛକୁ ଚାଲିଗଲା। ସେହି ସମୟ ମଧ୍ୟରେ ଇଂରେଜମାନେ ଆମ ଉନ୍ନତି ପଥରେ ଏମିତି ଖାଲଗାଢ଼ ସୃଷ୍ଟି କରିଦେଇ ଥିଲେ ଯେ ତାକୁ ଅତିକ୍ରମ କରିବାକୁ ଆମକୁ ବହୁତଦିନ ଲାଗିଲା। ଇଂରେଜମାନେ ଆସିଲାବେଳେ ଆମ ଦେଶର ଜିଡିପି ୨୭% ଥିବାବେଳେ ସ୍ବାଧୀନତା ବେଳକୁ ତାହା ଖସିଆସିଥିଲା ୪%କୁ। ଦେଶରେ ଏକଛତ୍ର ଶାସନ ଚଳାଇଥିବା ଇଂରେଜମାନେ ପ୍ରତି କ୍ଷେତ୍ରରେ ଭାରତୀୟମାନଙ୍କ ପ୍ରତିଦାନରେ ନିଜର ଉନ୍ନତି ନିମନ୍ତେ ପ୍ରଚେଷ୍ଟା ଜାରି ରଖିଥିଲେ। ଏଠାରେ କୌଣସି ଜିନିଷ ତିଆରିର ସୁଯୋଗ ରଖିଲେ ନାହିଁ । ଉଦାହରଣ ସ୍ବରୂପ ଆମ ଦେଶରୁ ତୁଳା ଗଲା, ଇଂଲଣ୍ଡରେ ବସ୍ତ୍ର ପ୍ରସ୍ତୁତ ହୋଇ ଆସିଲା,ଏଠାରୁ ଲୁହା ଗଲା, ସେଠାରୁ ଇସ୍ପାତ ବା ସେଥିରୁ ପ୍ରସ୍ତୁତ ଜିନିଷ ଆସି ବିକ୍ରି ହେଲା, ଫଳରେ ଆମରି କଞ୍ଚାମାଲରୁ ନିର୍ମିତ ଜିନିଷ ଉପରେ ଆମେ ଚଢ଼ାଦରରେ ଟିକସ ଦେଲେ, ଏଇଟା ଇଂରେଜମାନଙ୍କର ଚାଲ୍। ସେମାନେ ଜଣାଇ ଦେବାକୁ ଚାହୁଁଥିଲେ ଯେ ଯାହା କରିବୁ, ଆମେ, ତମେ କିଛି କରିପାରିବନି, ଫଳତଃ ଧୀରେଧୀରେ ଆମ କାରିଗର ସବୁ କାମ ଭୁଲିଗଲେ, ନିକମା ହୋଇଗଲେ, ତାଙ୍କ ଶିଳ୍ପ ସମୃଦ୍ଧ ହୋଇଚାଲିଲା । ଆମଦେଶ ଖାଲି କଞ୍ଚାମାଲ ଯୋଗାଣକାରୀ ଭାବେ ରହିଗଲା, ସେମାନେ କଞ୍ଚାମାଲ ନିମନ୍ତେ ନାମକୁ ମାତ୍ର ଟିକସ ଦେଲେ ବା ଶାସନ କର୍ତ୍ତା ଭାବେ ନ ଦେଲେ ! ଏମିତିକି ଆମର ବିଶାଳ ସମୁଦ୍ରତଟ ଥାଇ ମଧ୍ୟ ଆମକୁ ଲୁଣ ମାରିବାକୁ ଅନୁମତି ନଥିଲା, ସେଇଥି ପାଇଁ ତ ୧୯୩୦ର ଗାନ୍ଧୀଜୀଙ୍କ ଦାଣ୍ଡିଯାତ୍ରା ହୋଇଥିଲା। ଇଂଲଣ୍ଡରୁ ଲୁଣ ଆଣି ଏଠାରେ ବିକିଲେ, ପ୍ରତି କ୍ଷେତ୍ରରେ ଆମକୁ ଅଳସୁଆ, ଅପଦାର୍ଥ କରିଦେବାକୁ ଏହା ଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର !
ହସ୍ତତନ୍ତ ବସ୍ତ୍ରର ସୁଦକ୍ଷ ବୁଣାକାର ଏବଂ ପଥରର ସୂକ୍ଷ୍ମ କାରୁକାର୍ଯ୍ୟ ସକାଶେ ଆମ ରାଜ୍ୟ ପ୍ରସିଦ୍ଧି ଲାଭ କରିଥିଲା । ଏଇ କଳାକାରମାନଙ୍କୁ ନିରୁତ୍ସାହିତ କରିବା ନିମନ୍ତେ ଇଂରେଜମାନେ ନିଜେ ଏବଂ ତାଙ୍କର ତତ୍କାଳୀନ ଚେଲା ଚାମୁଣ୍ଡା ଯଥା ସ୍ଥାନୀୟ ଜମିଦାର/ରାଜାମାନଙ୍କର ସହାୟତା ନେଉଥିଲେ, ସ୍ଥଳବିଶେଷରେ ଅନେକଙ୍କର ଆଙ୍ଗୁଠି କାଟିଦେଇଥିଲେ, ବିଭିନ୍ନ ବାଟରେ ହଇରାଣ ହରକତ କରୁଥିଲେ। ଏଭଳି ଭାବେ ଆମଦେଶର ଯେତେ ସୂକ୍ଷ୍ମ କାରୁକାର୍ଯ୍ୟ ଥିଲା, ତା’ର ଅକାଳ ମୃତ୍ୟୁ ସକାଶେ ଭରପୂର ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ, ଶାସନଗାଦିରେ ରହିଲେ କ’ଣ ଅସମ୍ଭବ! ଦୁଇଟିଯାକ ଵିଶ୍ବଯୁଦ୍ଧରେ ଜବରଦସ୍ତ ଭାରତକୁ ସାମିଲ କରାଇଥିଲେ, ସେଇଥିରେ ଅପରିମିତ ଧନଜୀବନ ନଷ୍ଟହୋଇ ଯାଇଥିଲା। ଧନ ସମ୍ପତ୍ତି ସବୁ ଆମ ଦେଶରୁ ବୋହି ନେଇଗଲେ ଇରେଜମାନେ ତାଙ୍କ ଦେଶକୁ, ଏଇଭଳିଭାବେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷକୁ କାଙ୍ଗାଳ କରିଦେଇଥିଲେ ତଥାକଥିତ ସଭ୍ୟ, ଶିକ୍ଷିତ ଇଂରେଜମାନେ ଶାସନ କରିବା ଆଳରେ ।
ଭାରତୀୟ କେନ୍ଦ୍ର ସରକାରୀ ବଜେଟର ୨୬-୩୬% ଇଂଲଣ୍ଡକୁ ଚାଲି ଯାଉଥିଲା,ପରିବର୍ତ୍ତେ ଯଦି ତାହା ଭାରତରେ ବିନିଯୋଗ ହୋଇଥାଆନ୍ତା ଭାରତ ଶିକ୍ଷା/ସ୍ବାସ୍ଥ୍ୟରେ ଯଥେଷ୍ଟ ଉନ୍ନତି କରିପାରିଥାନ୍ତା। ୧୯୩୦ ପର୍ଯ୍ୟନ୍ତ ୩ ଦଶନ୍ଧିରେ ଭାରତ,ବିଶ୍ବରେ ୨ୟ ବୃହତ ରପ୍ତାନି-ଆୟକାରୀ ଦେଶ ହୋଇଥିଲେ ମଧ୍ୟ, ୧୯୦୦ରୁ ୧୯୪୬ ମଧ୍ୟରେ ଭାରତର ମୁଣ୍ଡପିଛା ଆୟରେ କୋୖଣସି ବୃଦ୍ଧି ଘଟିନଥିଲା । ସବୁ ଆୟ ବ୍ରିଟେନ ଚାଲିଯାଉଥିବାରୁ ଭାରତ ସ୍ଥାଣୁ ହୋଇଯାଇଥିଲା, ଲୋକ ପୋକମାଛି ଭଳି ମରୁଥିଲେ, ବଙ୍ଗଳାର ଦୁର୍ଭିକ୍ଷ ଓ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଜିଜିଆ କର ଭଳି ବିଭିନ୍ନ ପ୍ରକାର ଉଚ୍ଚା ଟିକସ ଓ ନାନାଦି ପ୍ରକାର ଜନମାରଣ ନୀତି (ସୂର୍ଯ୍ୟାସ୍ତ ଆଇନ ଓ ରାଜ୍ୟସ୍ବତ୍ୱ ଲୋପ ନୀତି)ଫଳରେ ସାଧାରଣ ଭାରତୀୟଙ୍କର କ୍ରୟଶକ୍ତି ପ୍ରାୟ ନଥିଲା। ୧୯୦୦ରେ ସାଧାରଣ ଭାରତୀୟର ବାର୍ଷିକ ୨୦୦ କେଜି ଖାଦ୍ୟ ଗ୍ରହଣ ଶକ୍ତି ୧୯୪୬କୁ ୧୩୭ କେଜିରେ ପହଞ୍ଚିଥିଲା, ତତ୍କାଳୀନ ଅନ୍ୟ କୌଣସି ଦେଶରେ ଏଭଳି ଅବସ୍ଥା ନଥିଲା। ବ୍ରିଟିଶ ଉପନିବେଶରୁ,ବିଶେଷତଃ ଭାରତରୁ, ଆୟ ହେଉଥିବା ସୁନା ଓ ବିଦେଶୀ ମୁଦ୍ରା, ବ୍ରିଟେନ, ଆମେରିକା, ଆଫ୍ରିକା ଆଦିରେ ଭିତ୍ତିଭୂମି ପ୍ରସ୍ତୁତିରେ ଲଗାଇଥିଲା, ଯୁଦ୍ଧ ଭଳି ଯେତେ ଅବାଞ୍ଛିତ ଖର୍ଚ୍ଚ ଭାରତ ଉପରେ ଲଦି ଦିଆଯାଉଥିଲା, ଯୋଉ ଅଦରକାରୀ ଖର୍ଚ୍ଚ ଭାରତ ଭରଣା କରିପାରୁନଥିଲା, ସେଗୁଡିକ ଋଣଭାବେ ଦର୍ଶାଯାଉଥିଲା ଏବଂ ତା’ଉପରେ ସୁଧ ନିଆଯାଉଥିଲା। ୨୦୦ ବର୍ଷରେ ବ୍ରିଟିଶ ଭାରତକୁ ଚିପୁଡି, ନିଗାଡି ସବୁ ନେଇଯାଇଥିଲେ ।
ଇଂରେଜମାନେ ଏ ଦେଶକୁ ଆସିଥିଲେ ବ୍ୟବସାୟ କରିବାକୁ, ଭାରତୀୟମାନଙ୍କ ମଧ୍ୟରେ ଏକତା, ସମ୍ପ୍ରୀତି ଓ ସୌହାର୍ଦ୍ୟର ଅଭାବ ଦେଖି କଳେବଳେ ଛଳେ କୌଶଳେ ଆମ ଦେଶକୁ ଶାସନ କରିବାକୁ ବସିଲେ, ସେଥିପାଇଁ ଯାହା ଯେମିତି କରିବାକୁ ପଡୁ ସବୁ କଲେ। ଜାତି-ଜାତି, ଗୋଷ୍ଠୀ-ଗୋଷ୍ଠୀ,ସମ୍ପ୍ରଦାୟ-ସମ୍ପ୍ରଦାୟ,ରାଜ୍ୟ-ରାଜ୍ୟ,ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଵିଷ ବୁଣିଦେଇ ଭେଦଭାବ ରାଜନୀତିର ଆଶ୍ରୟରେ ଧୀରେଧୀରେ ସମଗ୍ର ଭାରତଵର୍ଷକୁ କବଳିତ କରିଦେଲେ । ତା’ପରେ ଭାରତରେ କିପରି ନିଜ ଆସନକୁ ସୁଦୃଢ କରିବେ ସେ ଚିନ୍ତାରେ ଲାଗିପଡିଲେ, ତତ୍କାଳୀନ ଭାରତବର୍ଷର ଶିକ୍ଷା, ସଭ୍ୟତା, ସଂସ୍କୃତି, ଚଳଣି, ପରମ୍ପରା ଅତି ଉଚ୍ଚକୋଟୀର ଥିଲା। ଗୁପ୍ତଚରଠାରୁ ଖବର ପାଇଲେ ଯେ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥାକୁ ନ ଭାଙ୍ଗିଲେ କିଛି କରିହେବ ନାହିଁ, ତଦନୁଯାୟୀ ତତ୍କାଳୀନ ଇଂଲଣ୍ଡ ଶିକ୍ଷାମନ୍ତ୍ରୀ ମାକଲେ ଆଦେଶ ଦେଲେ ଯେତେ ପ୍ରକାର ପୁରୁଣା/ନୂଆ ଶିକ୍ଷା ବ୍ୟବସ୍ଥା ଅଛି ସବୁ ନଷ୍ଟ କରିଦିଆଯାଉ । ତଦନୁସାରେ ଯେତେ ଗୁରୁକୁଳ/ମାଟି ଅବଧାନ ଶିକ୍ଷାବ୍ୟବସ୍ଥା ଥିଲା ସବୁକୁ ଡରାଇ, ଧମକାଇ, ମାରି ପିଟି, ଜୋର ଜବରଦସ୍ତ ବନ୍ଦ କରାଇଦେଲେ। ଏଥିପାଇଁ ସେମାନେ ସ୍ଥାନୀୟ ରାଜା, ଜମିଦାର, ଟାଉଟର, ପ୍ରଭାବଶାଳୀ ତୋସାମଦିଆ ସମସ୍ତଙ୍କର ସାହାଯ୍ୟ ନେଇଥିଲେ । ସେହିସବୁ ସ୍ଥାନରେ ସ୍କୁଲ ଖୋଲିଦେଲେ, ବାଇବେଲ ମାଧ୍ୟମରେ ଇଂରାଜୀ ପାଠପଢା, ଅସଲି ଭିତିରି ଉଦ୍ଦେଶ୍ୟ ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର । ଅପରପକ୍ଷେ ଅଳ୍ପ ଶିକ୍ଷିତ କିରାଣି ଯୋଗ୍ୟ ପାଠୁଆ ବାହାରନ୍ତୁ, କେବଳ ଇଂରେଜମାନଙ୍କୁ ସାହାଯ୍ୟ କରିବାକୁ, ସେମାନଙ୍କର ଗୋଲାମ ହୋଇ ରହିବା ପାଇଁ !ଏହିପରି ଭାବେ ମହାନ ଭାରତୀୟ ଶିକ୍ଷା ବ୍ୟବସ୍ଥା ମାଟିରେ ମିଶିଗଲା। ତା’ପରେ ବିଶ୍ବାସଘାତକ ଇଂରେଜମାନେ ଲାଗିପଡିଲେ ଭାରତୀୟ ଶିଳ୍ପବ୍ୟବସ୍ଥା ଓ ସମୃଦ୍ଧ ଚାରୁ ଓ କାରୁକଳାକୁ କିପରି ସମୂଳେ ଧ୍ୱଂସ କରିବେ ଯାହା ପୂର୍ବେ ବର୍ଣ୍ଣିତ। ଅର୍ଥାତ୍ ସମଗ୍ର ଭାରତୀୟ ସମାଜ ଓ ଅର୍ଥନୀତି ବ୍ୟବସ୍ଥାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବା, ଶାସକ ହିସାବରେ ସେମାନେ ସେଥିରେ ସଫଳ କାମ ହେଲେ !
ଏବେ ଆସିବା ମୁଖ୍ୟପ୍ରସଙ୍ଗ, କୋହିନୁର ହୀରା ଭାରତକୁ ଫେରିବାର ଦୁର୍ବାର ସ୍ବପ୍ନ। ୧୦୫.୯ କ୍ୟାରଟର ଦୁର୍ମୂଲ୍ୟ କୋହିନୁର(ଆଲୋକର ପାହାଡ଼)୧୪୦୦ ଶତାବ୍ଦୀରେ କାକତୀୟ ରାଜବଂଶ ଶାସନକାଳରେ ଆନ୍ଧ୍ରପ୍ରଦେଶର କୋଲୁର ଖଣିରୁ ବାହାରିଥିଲା, ଯାହା ସ୍ଥାନୀୟ ଦେବୀଙ୍କ ମୁକୁଟରେ ଶୋଭାପାଉଥିଲା । ଆଲାଉଦ୍ଦିନ ଖିଲିଜ ଦାକ୍ଷିଣାତ୍ୟ ଆକ୍ରମଣ ବେଳେ ତାକୁ ନେଇଯାଇଥିଲେ, ତା’ପରେ ତାହା ମୋଗଲମାନଙ୍କ ପାଖରେ (ସାହାଜାହାନ, ଆଉରଙ୍ଗଜେବ)ରହିଲା ୨୧୩ ବର୍ଷ, ସେଠାରୁ ନାଦିର ଶାହ ମୟୂର ସିଂହାସନ ସହିତ କୋହିନୁର ନେଇଯାଇଥିଲେ କାବୁଲ-କାନ୍ଦାହାର ଯାହା ସେଠାରେ ରହିଲା ୬୬ ବର୍ଷ, ସେଠାରୁ ପଞ୍ଜାବର ମହାରାଜା ରଣଜିତ ସିଂ ଓ ତା’ପରେ ଇଂରେଜଙ୍କ ପାଖରେ ରହିଲା ୧୭୨ ବର୍ଷ । ପଞ୍ଜାବ କେଶରୀ ରଣଜିତ ସିଂ ଏକ ଯୁଦ୍ଧରେ ଜିତିବା ପରେ କୋହିନୁର ହୀରା ସମେତ ଟ୫୦,୦୦୦/-ଟଙ୍କା ଓ ପ୍ରଚୁର ସୁନା ଓ ରୁପା ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦାନକରିବେ ବୋଲି ଏକ ସଙ୍କଳ୍ପପତ୍ର ତିଆରି କରିଥିଲେ,୧୯୩୯ରେ ଖାଇବାର ଗିରିପଥ ନିକଟ ଏକ କ୍ୟାମ୍ପରେ ଯାହା ଏବେ ଜାତୀୟ ଅଭିଲେଖାଗାର ନୂଆଦିଲ୍ଲୀରେ ଉପଲବ୍ଧ। ମାତ୍ର ଠିକ୍ ୧୦ ଵର୍ଷ ପରେ ରଣଜିତ ସିଂଙ୍କ ମୃତ୍ୟୁପରେ ୧୯୪୯ରେ କୋହିନୁର ହୀରାକୁ ରଣଜିତ ସିଂଙ୍କର ନାବାଳକ ପୁତ୍ର ଦୁଲ୍ଲିପ ସିଂଙ୍କଠାରୁ ଲାହୋର ଚୁକ୍ତି ଅନୁଯାୟୀ ନେଇଗଲେ ଇଂରେଜମାନେ, ସମ୍ଭବତଃ ଜୋର ଜବରଦସ୍ତ !
ସ୍ବାଧୀନତା ପରେ କୋହିନୁର ଫେରାଇଦେବା ନିମନ୍ତେ ଇଂରେଜଙ୍କଠାରେ ଅନେକ ଥର ଅନୁରୋଧ କରାଯାଇଛି, ମାତ୍ର ସେମାନେ କିଛି ଶୁଣିନାହାନ୍ତି । ୧୯୭୬ରେ ପାକିସ୍ତାନ ଏ ବିବାଦ ମଧ୍ୟକୁ ପଶି କୋହିନୁର ସକାଶେ ଦାବି କରିଥିଲା ଇଂଲଣ୍ଡ ସରକାରଙ୍କ ପାଖରେ । ତା’ପରେ ଇରାନ ଓ ଆଫଗାନିସ୍ତାନ ମଧ୍ୟ ଏ ଦିଗରେ ଦାବି ଦୋହରାଇଲେ, କିନ୍ତୁ ପ୍ରାକ୍ତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜେମସ କାଲାଘାନ ବିବୃତି ଦେଲେ ଯେ କୋହିନୁର କାହାରିକୁ ହେଲେ ଫେରାଇବାର ପ୍ରଶ୍ନ ଉଠୁନାହିଁ। ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନ ଓ ବ୍ରିଟିଶ ବିପକ୍ଷ ନେତା ୱିଲିୟମ୍ ହେଗ୍ ଅମୃତସରଠାରେ କହିଛନ୍ତି,‘‘ଉପନିବେଶ ପରବର୍ତ୍ତୀ ଭୁଲ”, ବୋଲି ସେମିତି କିଛିନାହିଁ । ୮ ସେପ୍ଟେମ୍ବର ୨୦୨୨ରେ ସ୍ବର୍ଗାରୋହଣ କରିଥିବା ବ୍ରିଟିଶ ସମ୍ରାଜ୍ଞୀ ଏଲିଜାବେଥ ୨ୟ,ତୃତୀୟ ଓ ଅନ୍ତିମ ଥର ୧୯୯୭ରେ ଭାରତ ଗସ୍ତକରିଥିବା ବେଳେ ପଞ୍ଜାବର ଜାଲିଆନାୱାଲାବାଗରେ ୧୯୧୯ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରି ତତ୍କାଳୀନ ଘଟଣା ପାଇଁ ଦୁଃଖ ପ୍ରକାଶ କଲେ, ମାତ୍ର କ୍ଷମା ମାଗିବାକୁ ମନା କରିଦେଲେ,ଏଇତ ହତ୍ୟାକାରୀ/ଲୁଟେରା ବ୍ରିଟିଶ ମାନସିକତା!ଏ ପରିପ୍ରେକ୍ଷୀରେ ତାଙ୍କଠୁ ଜଗନ୍ନାଥ ମହାପ୍ରଭୁଙ୍କ ନିମନ୍ତେ କୋହିନୁର ଫେରିପାଇବା ଆକାଶକୁସୁମ ନୁହେଁ ? ଅନ୍ଧକାର ମହାଦେଶ ଆଫ୍ରିକାର ମୂର୍ଖ, ସଭ୍ୟତା ଦେଖିନଥିବା ଦରିଦ୍ର ନିଗ୍ରୋମାନଙ୍କୁ ନେଇ କ୍ରୀତଦାସ ପ୍ରଥା ଚଳେଇବାର ଉଦ୍ଭାବକ ତ ଏଇ ତଥାକଥିତ ସଭ୍ୟ ଇଂରେଜମାନେ ! ଏମାନଙ୍କଠୁ ଭଲ କ’ଣ ଆଶା କରିବା ! ଭାରତୀୟ ଜଙ୍ଗଲରୁ ଚିତାବାଘ ବଂଶ ଲୋପ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ଦାୟୀ ଏଇ ଇଂଲିଶମାନେ ।
ମାତ୍ର ଆମେମାନେ ମଧ୍ୟ କିଛି କମ ଦାୟୀ ନୁହଁ ଏସବୁ ପାଇଁ ! ୟୁରୋପୀୟମାନେ ମୁଖ୍ୟତଃ ଇରେଜମାନେ ବସତି ସ୍ଥାପନକରି ଆମେରିକା ଦେଶ ସୃଷ୍ଟି କଲେ, କିନ୍ତୁ ଯୁକ୍ତରାଷ୍ଟ୍ର ରାଜ୍ୟଗୋଷ୍ଠୀର ସଭ୍ୟ ହେଲାନାହିଁ, ଅଥଚ ଇଂରେଜଙ୍କଠାରୁ ଅସହ୍ୟ ପରାଭବ ପାଇଥିବା ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ, ତେଲମାଲିସର ଭଲ ଉଦାହରଣ ଆଉ କ’ଣ ହୋଇପାରେ ୧୮୬୧ର ବ୍ରିଟିଶ ପୋଲିସ ମ୍ୟାନୁଆଲକୁ ଭିତ୍ତିକରି ୧୯୪୦ରେ ଓଡ଼ିଶା ପୋଲିସ ମ୍ୟାନୁଆଲ ତିଆରି ହୋଇଛି ଏବଂ ଅଦ୍ୟାବଧି କାର୍ଯ୍ୟକାରୀ ହେଉଛି,ଏଥିରେ ସଂସ୍କାର ଆସିବ କେମିତି।
ଏବେ ଇଂରେଜ ସମ୍ରାଜ୍ଞୀଙ୍କର ଦେହାନ୍ତ ପରେ ସମ୍ରାଟ ହୋଇଛନ୍ତି ପ୍ରିନ୍ସ ଚାର୍ଲ୍ସ-୩ ଯିଏ ଓଡ଼ିଶା ସହିତ ଭଲଭାବେ ପରିଚିତ। ସୂଚନାଯୋଗ୍ୟ ପ୍ରିନ୍ସ ଚାର୍ଲ୍ସ-୩, ୧୯୮୦ରେ କୋଣାର୍କ ପରିଦର୍ଶନରେ ଆସିଥିଲେ । ତେଣୁ ଜଗନ୍ନାଥଙ୍କ ନିମନ୍ତେ କୋହିନୁର ଫେରି ପାଇବାର ଆଶା କିଛିଟା ଉଜ୍ଜ୍ୱଳ। ଏ ସମୟରେ ଶ୍ରୀକ୍ଷେତ୍ରର ସଂଗଠନ ଜଗନ୍ନାଥ ସେନା ମହାପ୍ରଭୁଙ୍କ ନିମନ୍ତେ କୋହିନୁର ଫେରିପାଇବା ସକାଶେ ସେପ୍ଟେମ୍ବର ୧୨ତାରିଖରେ ପୁନଃ ଦାବି କରିଛନ୍ତି ବ୍ରିଟିଶ ସରକାରଙ୍କ ନିକଟରେ, ପୂର୍ବରୁ ୨୦୧୬ରେ ସାଂସଦ ଭୂପିନ୍ଦର ସିଂହ ଏ ଦିଗରେ ଉଦ୍ୟମ କରିଥିଲେ,ଏବେ ଏଥିରେ ସାମିଲ ହୋଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଜଗନ୍ନାଥ ସେନା କହିଛନ୍ତି ଆବଶ୍ୟକ ହେଲେ ସେମାନେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଶ୍ରୟ ନେବେ,କିନ୍ତୁ ଚିନ୍ତା କରିବାର କଥା ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ନେଦରଲ୍ୟାଣ୍ଡର ହେଗରେ ଅବସ୍ଥିତ, ସେମାନେ ବେଶି ଆମର ହେବେ ନା ଏକପ୍ରକାର ଜାତିଭାଇ ଇଂଲିଶଙ୍କର ହେବେ ? ଅତୀତର ସହସ୍ରାଧିକ କାର୍ଯ୍ୟାବଳୀକୁ ଦେଖିଲେ ଇଂଲିଶମାନେ ଯେ ଚଞ୍ଚକତା ପୂର୍ବକ କୋହିନୁରକୁ ନେଇଛନ୍ତି ଏହା ନିଃସନ୍ଦେହ। କିଛି ବିବେକବାନଙ୍କୁ ଛାଡିଦେଲେ ପ୍ରାୟ ସମସ୍ତ ଇଂରେଜମାନଙ୍କ ମାନସିକତା ଫେରାଇବା ସପକ୍ଷରେ ନୁହେଁ । ଆମର ତଥାକଥିତ ନେତାମାନେ ମଧ୍ୟ ଏ ଦିଗରେ ସେତେଟା ଉତ୍ସୁକ ନୁହନ୍ତି । ତେଣୁ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ? ଆଉ ଗୋଟିଏ କଥା, ଆମର ପୂର୍ବତନ ଲୋକଙ୍କ ରାଷ୍ଟ୍ରପତି, ପ୍ରାତଃ ସ୍ମରଣୀୟ ଏପିଜେ ଅବଦୁଲ କଲାମଙ୍କର ଏକ ପ୍ରଖ୍ୟାତ ଉକ୍ତି ହେଲା, ଏମିତି ସ୍ବପ୍ନ ଦେଖ ଯାହା ଭାବନାରେ ରୂପାନ୍ତରିତ ହେବ ଓ ଅବଶେଷରେ କାର୍ଯ୍ୟରେ ପରିଣତ ହେବ । ଅତଏଵ ଆମ ଜଗନ୍ନାଥ ସେନାଙ୍କ ସ୍ବପ୍ନ ଯାହା ପ୍ରତି ଓଡ଼ିଆଙ୍କର ମଧ୍ୟ ସ୍ବପ୍ନ ହେବା ଉଚିତ ତାହା କେତେଦୂର ଫଳବତୀ ହେଉଛି ଭବିଷ୍ୟତ କହିବ। ତଥାପି କିଛି ସକରାତ୍ମକ ଚିନ୍ତା କରାଯାଉ, ମହାପ୍ରଭୁ ଜଗନ୍ନାଥ କରନ୍ତୁ, ‘ଆଲୋକର ପାହାଡ଼’, ଇଂରେଜଙ୍କୁ ଆଲୋକ ଦେଖାଉ ଏବଂ କୋହିନୁର ତା’ର ଅସଲ ସ୍ଥାନକୁ ଆସିଯାଉ, କାଳିଆର ମସ୍ତକରେ ଶୋଭା ପାଇ ଧନ୍ୟ ହୋଇଯାଉ, ଅନ୍ତତଃ କୋହିନୁରର ଅଶୁଭ ବଦନାମ ଦୂରେଇ ଯାଉ । ‘‘କୁସୁମ ପରଶେ ପଟ ନିସ୍ତରେ” ଆମ ବହିରେ ପରା ଅଛି । ଜୟ ଜଗନ୍ନାଥ ।

ଜୟନ୍ତ ପଟ୍ଟନାୟକ
କପିଳ ପ୍ରସାଦ, ଭୁବନେଶ୍ବର
ଦୂରଭାଷ:୯୦୯୦୧୯୦୦୬୯

Comments are closed.