ଶୃଙ୍ଖଳା, ସଂସ୍କାର ଓ ଶ୍ରୀମନ୍ଦିର
ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ଲଜ୍ଜା ବୋଧ କରେ ଓ ନିଜ ଲଜ୍ଜା ଢାଙ୍କିବା ପାଇଁ ପୋଷାକ ପରିଧାନ କରେ। ବକଳରୁ ଆରମ୍ଭ ହୋଇ ପୋଷାକ ବର୍ତ୍ତମାନ ଏତେ ପ୍ରକାରର ହେଲାଣି ଯେ ତାହା ବଖାଣି ବସିଲେ ରାତି ପାହି ଯିବ। ତେବେ ଆମେ ମଣିଷମାନେ, ଭଲ ଦିଶିବା ପାଇଁ ବେଶ୍ ଯତ୍ନବାନ୍ ହେଉ। ଯେଉଁଥିପାଇଁ ଆମ ପୋଷାକଟି ଆମକୁ ଖୁବ୍ ସାହାଯ୍ୟ କରେ। ଭଲ ପୋଷାକ ପିନ୍ଧି, ଭଲ ଦିଶିବା ସହିତ, ପ୍ରଶଂସା ସାଉଁଟିବାକୁ କିଏ ବା ଭଲ ନପାଏ! ସେଇଥିପାଇଁ ତ କଥାରେ ଅଛି, ‘ଆପ୍ ରୁଚି ଖାନା, ପର ରୁଚି ପେହେନନା।’ ଅର୍ଥାତ୍ ନିଜ ପସନ୍ଦରେ ଖାଇବ ହେଲେ ଅନ୍ୟକୁ ଭଲ ଦିଶିଲା ଭଳି ପିନ୍ଧିବ। କୁହାଯାଏ ଯେ, ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବାହାରିଲେ, ତାଙ୍କ ପିତା, କୌପୀନଧାରୀ ଶିବଙ୍କୁ ନ ଚାହିଁ, ପୀତବସନ ପରିଧାନ କରିଥିବା ନାରାୟଣଙ୍କୁ କନ୍ୟା ଦାନ କଲେ। ତେଣୁ ଆମେ ଋତୁ, ପର୍ବ ଓ କାର୍ଯ୍ୟ ଅନୁଯାୟୀ, ନିଜ ରଙ୍ଗ ତଥା ରୂପକୁ ଖାପ୍ ଖାଉଥିବା ପୋଷାକ ମନୋନୟନ କରୁ।
ଆମ ସମାଜରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପୋଷାକ ପିନ୍ଧିବାର ନିୟମ ରହିଛି। ପୁଲିସ ପାଇଁ ଯେପରି ପୋଷାକ, ଡାକ୍ତର ହୋଇଗଲେ ସେ ପୋଷାକଟି ବଦଳି ଯାଉଚି। ସେମିତି ଓକିଲଙ୍କ ପାଇଁ, କଏଦୀଙ୍କ ପାଇଁ, ସୈନିକଙ୍କ ପାଇଁ, ତଥା ଗୋଟିଏ ବିଦ୍ୟାଳୟର ପିଲାଙ୍କ ପାଇଁ ଗୋଟିଏ ନିର୍ଦିଷ୍ଟ ଧରଣର ପୋଷାକ ପିନ୍ଧିବା ପାଇଁ ନିର୍ଦେଶ ରହିଥାଏ। ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ଓ ଦେଶର ଅନେକ୍ ସମ୍ଭ୍ରାନ୍ତ କ୍ଲବରେ ଉପଯୁକ୍ତ ବେଶ ପିନ୍ଧି ନ ଆସିଲେ ଆପଣଙ୍କୁ ଭିତରେ ପ୍ରବେଶର ଅନୁମତି ମିଳେନାହିଁ। ଏପରି ରହିବାର କାରଣ ବିଷୟରେ ଯଦି ଆମେ ଦେଖିବା, ଏହା ଶୃଙ୍ଖଳା ଓ ଏକତା ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ।
ପୁଣି, କେବଳ ପୋଷାକର ପ୍ରକାର ନୁହେଁ ବରଂ ପୋଷାକର ରଙ୍ଗ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇଥାଉ। ଗୁରୁବାର ମାଣବସା ଦିନ ସଧବା ମହିଳାମାନେ ବି ଧଳା ବସ୍ତ୍ର ପରିଧାନ କରନ୍ତି। ଗୁରୁବାର ଦିନ ଧଳା ଶାଢ଼ି ପିନ୍ଧି, ନାଲି ସିନ୍ଦୂର ନାଇ, ଧୂପ ଓ ଝୁଣାର ଧୂଆଁ ଭିତରେ ପିଠାପଣା ପ୍ରସ୍ତୁତିରେ ଘୂରି ବୁଲୁଥିବା ଆମ ବୋଉଟି ଆମକୁ ସାକ୍ଷାତ୍ ଲକ୍ଷ୍ମୀ ଠାକୁରାଣୀ ପରି ମନେହୁଏ ନାହିଁ କି? ଆହୁରି ପୁଣି ନୂଆ ବୋହୂଟିଏ ନାଲି ରଙ୍ଗର ଶାଢ଼ି ପିନ୍ଧେ। ଏପରି କି ବାହା ହେବାର ଏକ ବର୍ଷ ପର୍ଯ୍ୟନ୍ତ ନୂଆ ବୋହୂକୁ କଳା ରଙ୍ଗ ପିନ୍ଧିବାରେ ବାରଣ ମଧ୍ୟ କରାଯାଏ। ସାଧୁ ମହାତ୍ମାମାନେ ଗେରୁଆ ବସ୍ତ୍ର ପରିଧାନ କରନ୍ତି। କାରଣ ଆମ ମନ ଉପରେ ଭିନ୍ନ ରଙ୍ଗମାନେ ଭିନ୍ନ ପ୍ରଭାବ ପକାନ୍ତି। ଲାଲ ରଙ୍ଗ ପ୍ରେମର ପ୍ରତୀକ ହୋଇଥିଲା ବେଳେ ଧଳା ରଙ୍ଗ ଶାନ୍ତିର, ସବୁଜ ବନ୍ଧୁତ୍ୱର ଓ ଗେରୁଆ ରଙ୍ଗ ଭରସା, ପବିତ୍ରତା ତଥା ସାହସର ପ୍ରତୀକ ହୋଇଥାଏ। ଆମ ପ୍ରିୟ ତ୍ରିରଙ୍ଗାରେ ଥିବା ରଙ୍ଗଗୁଡିକର ମହତ୍ତ୍ବ ବିଷୟରେ କିଏ ବା ନ ଜାଣେ!
ତେବେ ଯେତେବେଳେ ଆମେ ସଂସ୍କାର ଓ ଶୃଙ୍ଖଳା କଥାକୁ ଆସୁ ପ୍ରଥମେ, ମଣିଷର ଆଭରଣ, ଆଚରଣ ଓ ଉଚ୍ଚାରଣକୁ ଧ୍ୟାନ ଦେଉ। ତେଣୁ ବ୍ୟାବସାୟିକ ସଂସ୍ଥାମାନେ ତାଙ୍କ କର୍ମଚାରୀଙ୍କ ପୋଷାକ ଓ ଚାଲି ଚଳନକୁ ଖୁବ୍ ଗୁରୁତ୍ବ ଦେଇଥାନ୍ତି। କଥାରେ ଅଛି ପରା, ‘ଭେକ ଦେଖି ଭିକ।’ ସେଥିପାଇଁ ଭଲ ରୋଜଗାର କରୁଥିବା ଭିକାରିମାନେ, ବାହାରେ ବେଶ୍ ଚଇନିଫିଟ୍ ହୋଇ ବୁଲୁଥିଲେ ବି ଭିକ ମାଗିବାକୁ ଗଲାବେଳେ ଚିରାଫଟା ପିନ୍ଧି ନିଜ ଦେହ ମୁହଁରେ ମାଟି କାଦୁଅ ବୋଳି ହୋଇଥାନ୍ତି। ଆଉ କମ୍ପାନୀର ସେଲ୍ସମ୍ୟାନମାନେ ଭୋକିଲା ପେଟରେ ଥାଇ ବି ମନ ଜିଣା ହସଟିଏ ମୁହଁରେ ମାଖି ସୁଟ୍ ବୁଟ୍ ପିନ୍ଧି ତାଙ୍କ କମ୍ପାନୀର ଉତ୍ପାଦ ବିକ୍ରି ପାଇଁ ବାହାରି ପଡ଼ନ୍ତି।
ତେବେ ଆଜି ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ, ଭକ୍ତଙ୍କ ପୋଷାକ ଉପରେ କଟକଣା ଜାରି କରି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବା ଜରୁରୀ ବୋଲି କହିଛନ୍ତି, ଥୋକେ ଏହାକୁ ଅଯଥା କଥା କହି ନାକ ଟେକିଛନ୍ତି। ସେମାନଙ୍କ ମତରେ ଭାବ ହେଉଛି ମୂଳ କଥା, ପୋଷାକରେ କ’ଣ ଅଛି! ନିଶ୍ଚିତ ଭାବେ ଭାବ ହିଁ ପ୍ରଧାନ କଥା; କିନ୍ତୁ ଏ କଥା ମଧ୍ୟ ଭୁଲିଗଲେ ଚଳିବ ନାହିଁ ଯେ ଆମ ପରିପାଟୀ ଆମ ଭାବନା ସହିତ ଅନ୍ୟମାନଙ୍କ ଭାବନାକୁ ମଧ୍ୟ କରେ ପ୍ରଭାବିତ। ସେମାନେ ଆହୁରି ମଧ୍ୟ କହନ୍ତି, ଭକ୍ତଙ୍କ ପୋଷାକ କଥା ପଛକୁ ଥାଉ, ଶ୍ରୀମନ୍ଦିର ଭିତରେ ଆଗ ସଂସ୍କାର ଅଣାଯାଉ, ସେବକମାନେ ଭଦ୍ରୋଚିତ ବ୍ୟବହାର କରନ୍ତୁ, ମନ୍ଦିର ଭିତରେ ଆଗ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉ… ତେବେ ଏସବୁ ମଧ୍ୟ ଠିକ୍ କଥା; କିନ୍ତୁ ସୁଧୀଜନେ, ନିଜ ପ୍ରିୟ ମୁଣ୍ଡଟି ଉପରେ ହାତ ଦେଇ, କାଳିଆର ନାମ ନେଇ ଗୋଟିଏ କଥା ସତ କହିଲେ, ସ୍ବାଧୀନତା ଦିଆଯାଇଛି ବୋଲି ଆମେ ତାର ଅପବ୍ୟବହାର କରୁ ନାହେଁ କି? ଧୀରେ ଧୀରେ ଆମ ପିଲାଙ୍କ ପୋଷାକ ଆମ ମନକୁ ବିଚଳିତ କରୁନାହିଁ କି? ଆଧୁନିକତା ଆଳରେ ଆମ ପିଲାଙ୍କ ପୋଷାକ ଅତ୍ୟନ୍ତ ଦୃଷ୍ଟିକଟୁ ହେଉ ନାହିଁ କି? ମନ୍ଦିର ଭିତରେ ଯେଉଁ ଶୃଙ୍ଖଳିତ ଆଚରଣ ରକ୍ଷା କରାଯିବା କଥା, ଏପରି ପୋଷାକ ଯୋଗୁଁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉନାହିଁ କି?
ଟିଭି ଆମକୁ ଶିଖାଇ ଦେଇଥିଲା, ଯେତେ ଅଳ୍ପ ପୋଷାକ ସେତେ ଆଧୁନିକ। ମୋବାଇଲ ଆସି ସେ ନିଆଁରେ ଘିଅ ଢାଳି କହିଲା, ତୁମେ ଯେତେ ଲଙ୍ଗଳା ଯେତେ ଉଦ୍ଭଟ, ସେତେ ଲୋକପ୍ରିୟ। ଶରୀର ଜ୍ଞାନ ନଥିବା ସାଧୁ ସନ୍ଥଙ୍କ କଥା ଭିନ୍ନ; କିନ୍ତୁ ଆମ ପିଲା ପରା ଲଙ୍ଗଳା ମୁକୁଳା ହୋଇ ରାତାରାତି ଷ୍ଟାର୍ ପାଲଟିବା ପାଇଁ ବିକଳ। କଦର୍ଯ୍ୟ ପୋଷାକ ପିନ୍ଧି ମନ୍ଦିର ଆଗରେ ସେଲଫି ନେଇ ତାକୁ ଗଣମାଧ୍ୟମରେ ଛାଡି ହଇଚଇ ସୃଷ୍ଟି କରୁଥିବା ଏ ପିଲାଙ୍କୁ ଛାଟଟିଏ ନିହାତି ଦରକାର ଥିଲା ବୋଲି ଜଗନ୍ନାଥ ପ୍ରେମୀମାନେ ସ୍ବୀକାର କରିବେ ନିଶ୍ଚୟ। ପବ୍ ସଂସ୍କୃତି ଦ୍ବାରା ପ୍ରଭାବିତ ଆମ ପିଲାଏ ପବ୍ ଓ ମନ୍ଦିର ଭିତରେ ଥିବା ଆକାଶ ପାତାଳର ପ୍ରଭେଦଟି ଜାଣିବା ନିହାତି ଜରୁରୀ।
ସ୍କୁଲ କଲେଜରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରଥମେ ପିଲାଙ୍କ ପୋଷାକ ଉପରେ ଗୁରୁତ୍ବ ଦିଆଯାଏ, ଉପଯୁକ୍ତ ପୋଷାକ ନ ପିନ୍ଧିଲେ ଆପଣ ସ୍କୁଲ ହତା ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଆମ ମନ୍ଦିର ସବୁ କ’ଣ ବିଦ୍ୟାଳୟ ତୁଳନାରେ କମ୍ ମର୍ଯ୍ୟାଦାପୂର୍ଣ୍ଣ? ତେବେ କିଛି ଦିନ ତଳେ ଅଶାଳୀନ ପୋଷାକ ପରିଧାନ କରିଥିବା ଯୋଗୁଁ ଜଣେ ଅଭିନେତ୍ରୀଙ୍କୁ ଲୋକେ ଟିକା ଟିପ୍ପଣୀ କରିବାରୁ ସେ ଉତ୍ତର ଦେଇଥିଲେ ଯେ, ଶାଢ଼ିଠାରୁ ବଳି ଅଶ୍ଳୀଳ ପୋଷାକ ଆଉ କିଛି ନାହିଁ, ଏଥିରେ ତ ଦେହର ସବୁକିଛି ଦିଶେ ବାହାରକୁ। ତାଙ୍କ କଥା ଶୁଣି ମନେ ପଡିଥିଲା ଆମ ଜେଜେମା’ ଓ ଆଈମାନଙ୍କ କଥା, ଯେଉଁମାନେ ଶାଢ଼ି ସହିତ ବ୍ଲାଉଜ୍ ଓ ସାୟା ମଧ୍ୟ ପିନ୍ଧୁନଥିଲେ; କିନ୍ତୁ ସେମାନଙ୍କୁ ଦେଖିଦେଲେ ଯେଉଁ ପବିତ୍ରତା ଯେଉଁ ସମ୍ଭ୍ରମବୋଧ ମନ ଭିତରେ ଆସେ, ତାହାକୁ ବା କିଏ ଅସ୍ୱୀକାର କରିବ! ତେଣୁ ଜଣେ ଶାଢ଼ି ପିନ୍ଧି, ଉଗ୍ର ଉତ୍ତେଜନା ସୃଷ୍ଟି କରିପାରେ, ଜଣେ ସୃଷ୍ଟି କରି ପାରେ ନିଆଁକୁ ଲିଭାଇ ଦେଲା ପରି ଶୀତଳତା।
ଶ୍ରୀମନ୍ଦିର ହେଉଛି ଆମ ସଂସ୍କୃତିର ପ୍ରାଣକେନ୍ଦ୍ର, ତାର ମର୍ଯ୍ୟାଦା ରକ୍ଷା କରିବା କେବଳ ପ୍ରଶାସନ ନୁହେଁ, ବରଂ ଆମ ସମସ୍ତଙ୍କର ନୈତିକ ଦାୟିତ୍ବ। ହେଲେ, କେବଳ ପୋଷାକ ନୁହେଁ, ଜଗତ ନାଥଙ୍କୁ ନେଇ ରଚନା କରାଯାଉଥିବା କଦର୍ଯ୍ୟ ଗୀତ ପ୍ରତି ମଧ୍ୟ କଠୋର ହୁଅନ୍ତୁ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଭିତରେ ସ୍ବଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ, ସେବାୟତଙ୍କ କଦର୍ଯ୍ୟ ବ୍ୟବହାର ଉପରେ ହେଉ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ, ପ୍ରଭୁଙ୍କ ନୀତିକାନ୍ତିରେ ନ ହେଉ ଖିଲାପ, ଆଉ ସର୍ବୋପରି, ନିରୀହ ଭକ୍ତଟିଏ ନ ହେଉ ନିରାଶ। ଦର୍ଶନାଭିଳାଷୀ ଭିତରକୁ ଯାଇ ଫେରିଲା ବେଳକୁ ତାଙ୍କ ମୁଖମଣ୍ଡଳରେ ଝଟକୁ ଥାଉ ସନ୍ତୋଷର ଆଭା …।
ଛନ୍ଦା ମିଶ୍ର
chhandamishra74@gmail.com
Comments are closed.