ଜୈବିକ ଚାଷ-ଶତାବ୍ଦୀର ଆହ୍ୱାନ
ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି। ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡ଼େ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ; କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛେ, ସେକଥା ଜାଣି ନାହାନ୍ତି। ତେଣୁ ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି। କମ ଖର୍ଚ୍ଚ, ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ଏହି ଜୈବିକ କୃଷି। କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମକା ଅତୁଳନୀୟ। ଜୈବିକ କୃଷିର ସଂଜ୍ଞା ବହୁ ପୁରାତନ କାଳରୁ ଆମ ବାପା ଅଜାମାନେ ଦେଇସାରିଛନ୍ତି। ଯେବେ ଟ୍ରାକ୍ଟର, ସାର, ବିଷର ଦୁନିଆ ନଥିଲା, ସେବେଠାରୁ ଏ ଜୈବିକ କୃଷିର ସୃଷ୍ଟି। ଓଡ଼ିଶା କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ, ଚାଷୀକୁଳର ରାଜ୍ୟ। ଆମ ମାଟି ସବୁଜିମାର ଗାଥା ଗାଏ, ଆମ ମୃଦୁ ମଳୟରେ ଶ୍ୟାମଳର ଝଙ୍କାର ଝଙ୍କୃତ ହୁଏ। ଆମେ ଆଜି ବି ଆମ କ୍ଷେତକୁ ଗଲେ ଏକ ଅପୂର୍ବ ଉନ୍ମାଦନାରେ ଭରି ଉଠୁ। ଆପଣ ନିଜେ ବି ଅନୁଭବ କରିଥିବେ ଗାଁର ଚାଷ ଜମି ଡେଇଁ ଡେଇଁ ମାଟି କାଦୁଅରେ ଗୋଡ଼ ଦେଇ ଧାନ ବିଲରେ ନିଜକୁ ସବୁଜିମା ଭିତରେ ହଜାଇ ଦେବାର ଅନୁଭୂତି ଯେ କେତେ ନିଆରା! ଏ ଭିତରେ ଜୈବ କୃଷି ଓଡ଼ିଶାରେ ଏକ ଅହେତୁକ ଆକର୍ଷଣ ସୃଷ୍ଟି କରିଛି। ଘରେ ଘରେ ଆଜି ଜୈବ କୃଷିକୁ ନେଇ ଆଲୋଚନା। ସରକାରୀ ଅଫିସ ହେଉ କି ବ୍ୟାବସାୟିକ ପ୍ରତିଷ୍ଠାନ ଚାଷୀଙ୍କ ଭିତରେ ଜୈବ କୃଷି ପାଇଁ ସୃଷ୍ଟି କରାଯାଉଛି ନୂଆ ପ୍ରୟାସ। ଚାଷୀ ଆଜି ଜୈବି କୃଷି ଆଡ଼କୁ ମୁହାଁଇଲେଣି। ଓଡ଼ିଶାରେ ଆଜି ସୃଷ୍ଟି ହୋଇଛି ଜୈବ ବିପ୍ଳବ। ଏକ ସବୁଜିମାମାୟ ପରିବେଶ ଗଠନ ପାଇଁ ଏହି ବିପ୍ଳବର ଅୟମାରମ୍ଭ ହୋଇଛି।
ଥରେ ଭାବନ୍ତୁ ତ, ଯେବେ ଏ ସାର, ବିଷର ଦୁନିଆ ନଥିଲା, ସେବେ କ’ଣ ଚାଷ ହେଉନଥିଲା ?? ଉତ୍ତରେ ଆସିବ ହଁ ହେଉଥିଲା। ଆଉ ସେ ଚାଷରେ ଥିଲା ଏକ ସ୍ୱତନ୍ତ୍ର ଉତ୍ସାହ। ନିଜ ଘରୁ ପ୍ରସ୍ତୁତ ହେଉଥିଲା ଜୈବ ସାର। ଯାହା ଜମିରେ ଗୁଣବତ୍ତା ବଢ଼଼ାଇବା ସହ ଉତ୍ପାଦନ ବଢ଼଼ାଉଥିଲା। ନା ଥିଲା ସ୍ୱାସ୍ଥ୍ୟ ସମସ୍ୟା ନା ପରିବେଶ ପ୍ରଦୂଷଣର କଥା। ଜୈବ ବିବଧତାର ରକ୍ଷା ହେବା ସହ ଜୈବିକ କୃଷି ସମସ୍ତଙ୍କ ଜମିରେ ସୁନା ଫଳାଉଥିଲା। ପ୍ରକୃତି ସହ ବଞ୍ଚିବାର ବାର୍ତ୍ତା ଦିଏ ଜୈବ କୃଷି। ପ୍ରକୃତିର ନିନାଦିତ ଶବ୍ଦକୁ ବେଶ୍ ପାଖରୁ ଶୁଣିବାକୁ ମିଳୁଥିଲା। ଏକ ସ୍ୱଚ୍ଛ ପରିବେଶ ମଧ୍ୟରେ ଜୀବନ ଜିଇବାର ମୁହୂର୍ତ୍ତକୁ ରଙ୍ଗିନ ଭାବରେ ସମସ୍ତେ ଅନୁଭବ କରୁଥିଲେ। ଆପଣ କେବେ ଏକ ଜୈବ କୃଷିର ଅନୁଭବ ନିଅନ୍ତୁ ଦେଖିବେ ସେଥିର ମାଧୁର୍ଯ୍ୟକୁ। ସମୟ ଆସିଛି ପାରମ୍ପରିକ ଜ୍ଞାନ କୌଶଳକୁ ପୁଣି ଜମିରେ ଦୋହରାଇବାକୁ। ଜୈବ ଖାଦ୍ୟ ପାଇଁ ଏବେ ସଭିଙ୍କ ଭିତରେ ଉତ୍କଣ୍ଠା। ରାସାୟନିକ ବସ୍ତୁରୁ ମୁକ୍ତ ରହି ସୁସ୍ଥ ଖାଦ୍ୟ ନିଶାରେ ଏବେ ସଭିଏଁ ବ୍ୟସ୍ତ।
ଓଡ଼ିଶାରେ ଆଜି ଜୈବିକ କୃଷିର ନାରା ଆଉ ସୀମିତ ହୋଇରହିନାହିଁ। ଉପକୂଳବର୍ତ୍ତୀ ଜିଲାର ଅଧିକାଂଶ ସ୍ଥାନରୁ ଆରମ୍ଭ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷୀ ଏବେ ଜୈବିକ ଚାଷର ନିଶାରେ ମାତିଲେଣି। ଏକ ବହୁଳ କୃଷି ଉତ୍ପାଦ ରାଜ୍ୟ ଭାବରେ ଓଡ଼ିଶା ଜଣାଶୁଣା। ଓଡ଼ିଶାର ଚାଷୀଙ୍କ ଜୈବ ଉତ୍ପାଦ ଏବେ ଭାରତ ଓ ଭାରତ ବାହାରେ ଚମକିବାରେ ଲାଗିଛି। ଆପଣ ମାଣ୍ଡିଆରୁ ପ୍ରସ୍ତୁତ ଜୈବ ଉତ୍ପାଦ କଥା କୁହନ୍ତୁ ଅବା ପନିପରିବା ଓ ଶସ୍ୟ ସମାଗ୍ରୀ କୁହନ୍ତୁ ସବୁଠି ଏବେ ଓଡ଼ିଶା ଚାଷୀଙ୍କ ଜୈବ ବିପ୍ଳବ ବେଶ୍ ସହଜରେ ବାରି ହୋଇପଡ଼ୁଛି। ଓଡ଼ିଶା ସରକାର ମଧ୍ୟ ଜୈବିକ ଚାଷ ଦିଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ଗଜପତି, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କୋରାପୁଟ ପରି ଜିଲାମାନଙ୍କରେ ଚାଷୀମାନେ ଏବେ ଅନେକାଂଶରେ ଜୈବ କୃଷିକୁ ଆପଣେଇ ସାରିଛନ୍ତି। କେବଳ ଏତିକି ନୁହେଁ, ବରଂ ପ୍ରାୟ ସବୁ ଜିଲାର ଚାଷୀମାନେ ଅନେକ ପରିମାଣରେ ଜୈବ କୃଷି ଦିଗରେ ନିଜର ଚେଷ୍ଟା ଜାରି ରଖିଛନ୍ତି। ନିକଟରେ ଯାଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଯେବେ ବିଭିନ୍ନ ଚାଷୀମାନଙ୍କ ସହ ମିଶିବାର ସୁଯୋଗ ମିଳିଥିଲା, ସେବେ ଜାଣି ପାରିଥିଲି ଯେ ସତରେ ଓଡ଼ିଶାରେ ଏ ଦିଗରେ ବିପ୍ଳବ ଏକ ମାଇଲଖୁଣ୍ଟ ସାଜିବ। କାରଣ କେବଳ ଚାଷୀ ନୁହେଁ ବରଂ ଘରର ମା’ ମାନେ ନିଜ ପାକଶାଳା ବଗିଚାରେ ବି ଜୈବିକ ସାର ବ୍ୟବହାର କରିପାରିବେ। ଗାଁ ଗାଁରେ ଜମୁଛି ଭିଡ଼, ଜୈବ ଚାଷର ଭାରି ଆଦର। ଏ ଉକ୍ତିଟିର ପ୍ରତିଫଳନ ଓଡ଼ିଶାର ଅନେକ ଗାଁରେ ଦେଖିବାକୁ ମିଳୁଛି। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ ଆଉ କାହାକୁ ବୁଝାଇବାର ଆବଶ୍ୟକତା ନାହିଁ। ମାଟିର ମାନ ସହ ସ୍ୱାସ୍ଥ୍ୟ ହାନି ଯେ ରାସାୟନିକ ଚାଷର ଲକ୍ଷ୍ୟ ସଭିଏଁ ବୁଝିସାରିଛନ୍ତି। ସମୟ ଆସିବ ଏ ବିପ୍ଳବ ଯେବେ ଶେଷ ହେବ, ସେବେ ସମ୍ପୂର୍ଣ୍ଣ ଓଡ଼ିଶା ଜୈବ ପ୍ରଦେଶ ଭାବରେ ପରିଗଣିତ ହୋଇସାରିଥିବ। ଏଫଆଇବିଏଲର ସର୍ଭେ ଅନୁସାରେ ସାରା ଭାରତ ପୃଥିବୀର ୧୮୭ଟି ଦେଶ ମଧ୍ୟରେ ଜୈବ କୃଷି ଉତ୍ପାଦନ ଦିଗରେ ଏକ ସଫଳ ଭୂମିକା ନିଭାଇଛି। ସାରା ବିଶ୍ୱର ଜୈବ ଉତ୍ପାଦର ଭାରତର ୩୦ ପ୍ରତିଶତ ଭାଗିଦାରୀ ରହିଛି। ପାଖାପାଖି ୩୦ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜୈବିକ କୃଷି କରାଯିବାର ନଜିର ରହିଛି। ତେବେ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାରର ବ୍ୟବହାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼଼ିଛି। ୨୦୧୫-୧୬ରେ ଭାରତରେ ରାସାୟନିକ ସାରର ବ୍ୟବହାର ୫୧୦ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୦-୨୧ ରେ ଏହା ୫୯୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ହାରାହାରି ଭାରତରେ ଗତ ୧୦ ବର୍ଷ ମଧ୍ୟରେ ୫୦୦ଲକ୍ଷ ମେଟ୍ରିକ ଟନ ସାର ବ୍ୟବହୃତ ହୋଇସାରିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆର ବ୍ୟବହାର ଜମିରେ ଗୁଣାତ୍ମକ ମାନ କମାଇବା ସହ ମାଟିର ପୋଷକ ତତ୍ତ୍ୱ ନଷ୍ଟ କରାଉଛି। ୨୦୧୬-୧୭ରୁ ୨୦୨୦-୨୧ ଭିତରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି। ଏପରି କି ଭାରତର ପଞ୍ଜାବ, ତେଲେଙ୍ଗାନା, ହରିୟାଣା, ବିହାର ଓ ପଣ୍ଡିଚେରୀରେ ଆଶାତୀତ ଭାବରେ ରାସାୟନିକ ସାରର ବ୍ୟବହାର କରାଯାଉଛି। ୨୦୧୫-୨୧ ମଧ୍ୟରେ ରାସାୟନିକ କୀଟନାଶକର ବ୍ୟବହାର ୮-୯% ବୃଦ୍ଧି ପାଇଛି। ତେବେ ଏହି କୀଟନାଶକ ବ୍ୟବହାର ବଢ଼଼ି ବଢ଼଼ି ୬୧, ୭୦୨ ମେଟ୍ରିକ ଟନରେ ପହଞ୍ଚିଛି। ଭାରତରେ ଏମିତି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଉତ୍ପାଦନ ବଢ଼଼ାଇଛି ସତ; କିନ୍ତୁ ପରୋକ୍ଷରେ ଆଶାତୀତ କ୍ଷତି କରୁଛି, ଏ କଥା କାହାକୁ ଅଛପା ନାହିଁ।
ଏହାରି ଭିତରେ ଓଡ଼ିଶାରେ ବି ଆରମ୍ଭ ହୋଇଛି ଜୈବ ବିପ୍ଳବ। ଆଜି ଚାଷୀ ନିମାସ୍ତ୍ର ହେଉ ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ବେଶ୍ ଭଲ ଭାବରେ ଜାଣି ଜମିରେ ପ୍ରୟୋଗ ବି କରୁଛନ୍ତି। ଅନ୍ୟ ଚାଷୀମାନଙ୍କୁ ଏ ବିଷୟରେ ସଚେତନ ବି କରାଉଛନ୍ତି। ବିହନ ବିଶୋଧନଠୁ ଆରମ୍ଭ କରି ରୋଗ ପୋକ ଦମନ ଯାଏ ସବୁଠି ଜୈବ କୃଷିର ସ୍ୱତନ୍ତ୍ରତା ରହିଛି। ଏପରି କି ରାଜ୍ୟ ସରକାରଙ୍କ ତରଫରୁ ଜୈବ କୃଷିକୁ ପ୍ରମାଣୀକରଣ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ଚାଷୀମାନେ ନିଜ ଜୈବ କୃଷି ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରମାଣୀକରଣ କରିପାରିବେ। ଓଡ଼ିଶାରେ ଜୈବ ବିପ୍ଳବର ମୂଳଦୁଆ ପଡ଼ିସାରିଛି। ଅନେକ ସ୍ଥାନରେ ଚାଷୀ ନିଜେ ବୁଝିବା ସହ ଅନ୍ୟମାନଙ୍କୁ ବୁଝାଇ ସେମାନଙ୍କୁ ଜୈବିକ କୃଷି ଦିଗରେ ପ୍ରବର୍ତ୍ତାଇଲେଣି। ଏବେ ଯେଉଁ ଗାଁକୁ ଗଲେ ଜୈବ କୃଷି ଓ ଜୈବ ଚାଷୀଙ୍କୁ ଆପଣ ଦେଖିବାକୁ ପାଇବେ। ସେମାନଙ୍କ ମୁହଁରୁ ଏ ଜୈବ ବିପ୍ଳବର ଉପକାରିତା ଶୁଣିପାରିବେ। ସାର ବିଷରୁ ମୁହଁ ଦୂରେଇ ଚାଷୀ ଏବେ ବିଭିନ୍ନ ଜୈବିକ ଉପାଦାନ ନିଜ ଘରେ ପ୍ରସ୍ତୁତ କରି ଜମିରେ ପ୍ରୟୋଗ କରୁଛନ୍ତି। ଧାନ ଚାଷଠୁ ଆରମ୍ଭ କରି ପନିପରିବା ଚାଷ ସବୁଥିରେ ଜୈବ କୀଟନାଶକ ଓ ଜୈବିକ ସାରକୁ ଉପଯୋଗ କରି ଚାଷ କରୁଛନ୍ତି।
ଚାଷ ଜମିରେ ଆରମ୍ଭ ହୋଇଥିବା ଏହି ଜୈବ ବିପ୍ଳବ ଆଉ କିଛି ବର୍ଷ ଭିତରେ ଏକ ରୂପାନ୍ତରଣ ଆଣିବ, ଏହା ସୁନିଶ୍ଚିତ। ଜୈବ କୃଷିର ବାଣୀ କେବଳ ସ୍ଲୋଗାନ ନୁହେଁ ବରଂ ସଫଳତାର ସହ ଫର୍ଦ ପରେ ଫର୍ଦ ଯୋଡ଼ି ଚାଲିଛି। ଏକ ସୁସ୍ଥ, ଶ୍ୟାମଳ ଓ ସବୁଜିମାମୟ ପରିବେଶ ଗଠନରେ ଜୈବ କୃଷିର ବିପ୍ଳବ ପ୍ରଶଂସନୀୟ।
ଡି. ଶୁଭମ୍
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ଦୂରଭାଷ: ୯୪୩୮୪୬୭୦୭୯
Comments are closed.