ଗୋପବନ୍ଧୁ ଦୀନବନ୍ଧୁ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ। ସମାଜ ସେବା କ୍ଷେତ୍ରରେ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ। ତୁଳସୀ ଦୁଇ ପତ୍ରରୁ ବାସିବା ପରି ଗୋପବନ୍ଧୁଙ୍କ ସେବା ମନୋବୃତ୍ତିର ପରିପ୍ରକାଶ ପିଲାଟି ଦିନରୁ ଘଟିଥିଲା। ଗୋପବନ୍ଧୁ ଥିଲେ ରୂପାଦେଈପୁର ଭର୍ଣ୍ଣାକୁଲାର ସ୍କୁଲର ଛାତ୍ର। ଏକଦା ସ୍କୁଲ ପଣ୍ଡିତଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପାଇଁ ଲେମ୍ବୁଟିଏ ଯୋଗାଡ଼ କରିବାକୁ ଗୋପବନ୍ଧୁ ଭାର୍ଗବୀ ନଦୀର ଖଇଫୁଟା ବାଲି ଉପରେ ଚାଲିଥିଲେ। ପଣ୍ଡିତଙ୍କୁ ଲେମ୍ବୁ ପାଣି ପିଆଇବା ପରେ ପଣ୍ଡିତ ସେଦିନ କହିଥିଲେ ‘ଗୋପ ଦିନେ ଭାରି ବଡ଼ ଲୋକ ହେବ। ଦୀନ, ଦୁଃଖୀ, ଦରିଦ୍ରଙ୍କ ସେବାରେ ଜୀବନ ଉତ୍ସର୍ଗ କରିବ।’ ପଣ୍ଡିତଙ୍କ କଥା ସତ ହେଲା। ଦୀନ, ଦୁଃଖୀଙ୍କ ସେବାରେ ଗୋପବନ୍ଧୁ ସଳିତା ଭଳି ଆଜୀବନ ଜଳିଥିଲେ ଏବଂ ପାଲଟିଯାଇଥିଲେ ସମଗ୍ର ଉତ୍କଳର ତ୍ରାଣକର୍ତ୍ତା। ଗୋପବନ୍ଧୁ କେବଳ ଜନସେବକ ନଥିଲେ; ଏକାଧାରରେ ସେ ଦେଶପ୍ରେମୀ, ସଂଗଠକ, ସଂସ୍କାରକ, ସାହିତ୍ୟିକ ଓ ବାଗ୍ମୀ ଥିଲେ। ୧୯୦୯ରେ ପ୍ରତିଷ୍ଠା କରିଥିଲେ ସାକ୍ଷିଗୋପାଳ ବନ ବିଦ୍ୟାଳୟ। ଏହାଥିଲା ଆଦର୍ଶ ମାନବ ନିର୍ମାଣ କାରଖାନା। ୧୯୨୧ରେ ମହାତ୍ମା ଗାନ୍ଧୀ ପ୍ରଥମ ଥର ଓଡ଼ିଶା ଆସିଥିବାବେଳେ ବନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ସେ ୟଙ୍ଗ ଇଣ୍ଡିଆରେ ଲେଖିଥିଲେ ଏଭଳି ନିଷ୍ଠାପର ଶିକ୍ଷକ ଓ ଛାତ୍ର ଯଦି ଦେଶରେ ସୃଷ୍ଟି ହୁଅନ୍ତେ, ତେବେ ବର୍ଷକ ମଧ୍ୟରେ ସ୍ୱରାଜ୍ୟ ଲାଭ କରିବା କିଛି ବିସ୍ମୟକର କଥା ନୁହେଁ ବୋଲି ମୋର ବିଶ୍ୱାସ। ଗୋପବନ୍ଧୁ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି। ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି ଦେଇଥିଲେ। ଗୋପବନ୍ଧୁଙ୍କ ପ୍ରସିଦ୍ଧ ସାରସ୍ୱତ ସୃଷ୍ଟି ମଧ୍ୟରୁ ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’, ‘କାରା କବିତା’, ‘ଗୋ-ମାହାତ୍ମ୍ୟ’, ‘ନଚିକେତା ଉପାଖ୍ୟାନ’, ‘ଅବକାଶ ଚିନ୍ତା’ ଅନ୍ୟତମ। ୧୮୭୭, ଅକ୍ଟୋବର ୯ ତାରିଖ ଦିନରେ ସାକ୍ଷିଗୋପାଳ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଜନ୍ମ ହୋଇଥିଲେ ଓଡ଼ିଶାର ମଉଡମଣି ଗୋପବନ୍ଧୁ ଦାସ।
ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଥିଲା ଉତ୍କଳ ପ୍ରାଣ ଗୋପବନ୍ଧୁଙ୍କ କର୍ମ ଓ ତ୍ୟାଗର କ୍ଷେତ୍ର। ଓଡ଼ିଆ ଭାଷା ଆଜି ଏଠାରେ ଦ୍ୱିତୀୟ ରାଜ୍ୟ ଭାଷାର ମର୍ଯ୍ୟାଦା ପାଇଛି। ଉତ୍କଳମଣିଙ୍କ ପ୍ରଧାନ ଓ ପ୍ରଥମ କର୍ମଭୂମି ଥିଲା ସିଂହଭୂମ। କଟକ, ପୁରୀ, ବାଲେଶ୍ୱର ଅଞ୍ଚଳରେ ୧୯୨୦ ପର୍ଯ୍ୟନ୍ତ ସେ ଥିଲେ ଜଣେ ସମାଜସେବୀ। ଗାଁ ଗାଁ ବୁଲି ବଢ଼ି, ମରୁଡ଼ି ସମୟରେ ସ୍ୱେଚ୍ଛାସେବୀମାନଙ୍କୁ ଧରି ଚୁଡ଼ା, ଚାଉଳ ବାଣ୍ଟୁଥିଲେ। ସିଂହଭୂମର ଚକ୍ରଧରପୁର ଠାରେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା କହିଲେ ଭୁଲ ହେବନାହିଁ। ଏଠାରେ ହୋଇଥିବା ଉତ୍କଳ ସମ୍ମିଳନୀ ଅଧିବେଶନରେ ସେ ସମୟର ରାଜନେତା ମାନଙ୍କୁ ବିରୋଧ ଏଇ ସିଂହଭୂମ ମାଟିରୁ କରିଥିଲେ। କଂଗ୍ରେସ ଦଳର ବାର୍ତ୍ତାକୁ ପ୍ରଚାର ପ୍ରସାର କରି ସେ ସମୟର ନେତାମାନଙ୍କ ମଧ୍ୟରେ ହୋଇପାରିଥିଲେ ଅଗ୍ରଣୀ। ଗୋପବନ୍ଧୁଙ୍କ ଅତି ଆଦରର କର୍ମପୀଠ ସିଂହଭୂମ ଓଡ଼ିଆ ଜାତି ପାଇଁ ଏକ ତୀର୍ଥ ଭୂମିଠୁଁ କମ୍‌ ନଥିଲା। ୧୯୨୩ ବେଳର କଥା। ସେ ସମୟରେ ଜମିଦାର ମାନଙ୍କର ସେପରି ଥାଟବାଟ ନଥାଏ। ନାମ ଓ ସଂଜ୍ଞା ସାର ହୋଇ ରହିଯାଇଥିଲେ ରାଜ ପରିବାର, କର୍ପୂର ଉଡିଯାଇ କନା ପଡ଼ି ରହିଥିବା ପରି କଥା। ନା ଥିଲା ଅର୍ଥର ପ୍ରାବଲ୍ୟ ନା କ୍ଷମତା, ପ୍ରତିପତ୍ତି। ଇଂରେଜ ମାନଙ୍କ କଡ଼ା ଶାସନ ଫଳରେ ଜମିଦାର ମାନଙ୍କର ଗୌରବ, ଗାଥା ସବୁ ଅସ୍ତମିତ ହୋଇ ଆସିଥିଲା। ୧୯୧୨ ମସିହାରେ ବିହାର ସହିତ ଏ ଅଞ୍ଚଳକୁ ମିଶେଇ ଦେବା ଫଳରେ ଓଡ଼ିଆ ଭାଷା, କଳା, ସଂସ୍କୃତି ସବୁ ଲୋପ ପାଇବା ଉପରେ ଥିଲା। ଗୋପବନ୍ଧୁ ଦେଖିଲେ ବିହାରୀମାନେ ଓଡ଼ିଆ ଭାଷାର କଣ୍ଠରୋଧ କରିବା ପାଇଁ ଯେଉଁ ପ୍ରପଞ୍ଚ ଚଳେଇଛନ୍ତି ଜମିଦାର ଠାକୁର ଲକ୍ଷ୍ମୀ ନାରାୟଣଙ୍କଠୁ ଶୁଣି ସେ ସ୍ତବ୍ଧ ହୋଇଯାଇଥିଲେ। ଓଡ଼ିଆ ମାରଣ ନୀତି ତାଙ୍କ ମନ ମଗଜକୁ ଦଗ୍ଧ କରିଦେଇଥିଲା। ସିଂହଭୂମର ବିସ୍ତୃତି ଅଞ୍ଚଳ ଭ୍ରମଣ କରି, ଚାଇଁବସା, ଚକ୍ରଧରପୁର, ପୋଡାହାଟ, ଷଢ଼େଇକଳା, ଖରସୁଅାଁ ଓ ବହଳାଗୋଡ଼ାର ପଞ୍ଚରୁଳିଆ, ଚୟନପୁର, ଆନନ୍ଦପୁର, ଧଳଭୂମ ଆଦି ଅଞ୍ଚଳକୁ ଆସି ସେଠାକାର ବିଶିଷ୍ଠ ଓଡ଼ିଆ ମାନଙ୍କ ସହିତ ସମନ୍ୱୟ ରକ୍ଷା କରି କିପରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ହୋଇପାରିବ ତା’ର ସରଜମିନ ତଥ୍ୟ ଗ୍ରହଣ କରି ଉପରିସ୍ଥ ବ୍ରିଟିଶ ଶାସକ ମାନଙ୍କୁ ବୁଝାଇ ଥିବାର କଥା ନଜରକୁ ଆସେ।
ୟୁରୋପରେ ବିଶ୍ୱଯୁଦ୍ଧ ଲାଗି ରହିଥିଲାବେଳେ ସେ ଏଠାରେ ପଇସିକିଆ ଫଣ୍ଡର ଅବଧାରଣା ଆରମ୍ଭ କରିଥିଲେ। କାରଣ ତାଙ୍କ ଦ୍ୱାରା ସ୍ଥାପିତ ଓଡ଼ିଆ ବିଦ୍ୟାଳୟ ସବୁ ଅର୍ଥ ଅଭାବରୁ ବନ୍ଦ ହୋଇନଯାଉ। ୧୭ ନଭେମ୍ବର ୧୯୨୭ ‘ସମାଜ’ରେ ସେ ଲେଖିଥିଲେ ଅର୍ଥ ଅଭାବରୁ ସିଂହଭୂମ, ଫୁଲଝର ପ୍ରଭୃତି ସ୍ଥାନରେ କରାଯାଇଥିବା ଓଡ଼ିଆ ସ୍କୁଲ ଗୁଡ଼ିକ ଏତେ ବେଳକୁ ଭାଙ୍ଗିଗଲାଣି। ମୁଁ ସେଥିରେ ମର୍ମାହତ। ୧୯୨୨ ପରେ ଗୋପବନ୍ଧୁ ସିଂହଭୂମ ଆଡ଼କୁ ଆଉ ପ୍ରାୟ ଆସି ନାହାନ୍ତି। ତଥାପି କଟକ, ପୁରୀ ଆଦି ଅଞ୍ଚଳରେ ରହି ମଧ୍ୟ ସେ ସିଂହଭୂମ ଓଡ଼ିଆ ଆନ୍ଦୋଳନ ପ୍ରତି ଆନ୍ତରିକ ଦୃଷ୍ଟି ରଖିଥିଲେ। ଏ ବିଷୟରେ ୨୨ ନଭେମ୍ବର ୧୯୨୭ ସଂଖ୍ୟା ‘ସମାଜ’ରେ ପ୍ରକାଶିତ।
ସିଂହଭୂମର ବିଶିଷ୍ଟ କବି ଦିଲୀପ ଷଡ଼ଙ୍ଗୀ, ଦେବାନନ୍ଦ ବଟ କବିତାରେ ଗୋପବନ୍ଧୁଙ୍କ ବିଷୟରେ ଲେଖିଥିଲେ, କଟକଠୁ ଶହ ଶହ ମାଇଲ ଏ ପାରେ, ଏଇ ସିଂହଭୂମରେ ଯେବେ ଥାପେ ତୁମ ଘଟ, ପୂଜା ପାଇଁ ତୁମରି କଳସ, ଜଣେ ମତେ ପ୍ରଶ୍ନ କଲେ କିଏ ଥିଲେ ଗୋପବନ୍ଧୁ ଦାସ? ଜଣେ ସାମ୍ବାଦିକ ଗୋପବନ୍ଧୁ ଶତ ବାର୍ଷିକ ପାଳନ ଅବସରରେ ପଚାରିଥିବା ପ୍ରଶ୍ନ ଗୋପବନ୍ଧୁ କିଏ ଥିଲେ? ଉତ୍ତରରେ କବି ଦିଲୀପ ଷଡ଼ଙ୍ଗୀ ଏକଥା ଲେଖିଥିଲେ। ଆଜି ପ୍ରବାସର ଏହି ସୁଦୂର ଝାଡ଼ଖଣ୍ଡର ଟାଟାନଗରରେ ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ଗୋପବନ୍ଧୁଙ୍କ ଜୟନ୍ତୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହେଉଛି।

ବାଦଲ ଭୂୟାଁ,

ପ୍ରତିଷ୍ଠାତା ସମ୍ପାଦକ ‘ସିଂହଭୂମ’, ଜାମସେଦପୁର
ଦୂରଭାଷ: ୭୪୮୮୯୯୮୫୩୨

Comments are closed.