ବାର୍ଦ୍ଧକ୍ୟରେ ପଶ୍ଚାତ୍ତାପ
ବାର୍ଦ୍ଧକ୍ୟକୁ ଏକ ବର୍ଗ ଜୀବନର ଶେଷ ଅଧ୍ୟାୟ ବିବେଚ଼ନା କରୁଥିବା ସ୍ଥଳେ ଅନ୍ୟ ଏକ ବର୍ଗ ଜୀବନର ଅଂଶବିଶେଷ ଭାବେ ଗ୍ରହଣ କରିଥାନ୍ତି । ଅର୍ଥାତ୍, କେତେକ ବାର୍ଦ୍ଧକ୍ୟ ଜୀବନ ପ୍ରତି ଉଦାସୀନ ମନୋଭାବ ପୋଷଣ କରିବା ବେଳେ ଅନ୍ୟ କେତେକ ଜୀବନର ଅବଶିଷ୍ଟାଂଶକୁ ସରଳ, ସୁଖପ୍ରଦ ଓ ତାତ୍ପର୍ଯ୍ୟପୂର୍ଣ୍ଣ କରି ଗଢ଼ି ତୋଳିବା ନିମନ୍ତେ ଯତ୍ନବାନ ହୋଇଥାନ୍ତି । ପରିବର୍ତ୍ତିତ ପରିବେଶରେ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧି ପାଇ ୬୦ ବର୍ଷୋତ୍ତର ଜୀବନ ଦଶରୁ ଚାଳିଶି ବର୍ଷ ଯାଏ ପରିବ୍ୟାପ୍ତ ହେଉଥିବା ଅବସରରେ ପାରମ୍ପରିକ ବାର୍ଦ୍ଧକ୍ୟ ଜୀବନଯାତ୍ରା ନୂତନ ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ । ସାମାଜିକ ସ୍ତରରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନ ଚର୍ଚ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାରେ ଲାଗିଛି ।
ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବିଭିନ୍ନ ପ୍ରଭାବଶାଳୀ ଭାବାବେଗ ମଧ୍ୟରେ ପଶ୍ଚାତ୍ତାପ ଅନ୍ୟତମ । ଜୀବନବ୍ୟାପୀ ପଶ୍ଚାତ୍ତାପ ବା ଅନୁତାପ, ଅନୁଶୋଚ଼ନା ଅନୁଭୂତ ହେଲେ ହେଁ ବାର୍ଦ୍ଧକ୍ୟରେ ପଶ୍ଚାତ୍ତାପର ଜ୍ୱାଳା ତୀବ୍ର ଅନୁଭବ ହେଉଥିବା ସାଧାରଣରେ ବିଶ୍ୱାସ । ବାର୍ଦ୍ଧକ୍ୟରେ ଜୀବନର ହିସାବ ନିକାଶ ନିମନ୍ତେ ଅବକାଶ ସୃଷ୍ଟି ହେଉଥିବା ସ୍ଥଳେ ଜୀବନକୈନ୍ଦ୍ରିକ ଭୁଲଭଟକା ସଜାଡ଼ିବା ସମୟ ଅତିକ୍ରାନ୍ତ ହୋଇଯାଇଥିବା ବୋଧ ହୋଇଥାଏ । ଉଦାହରଣରେ କୌଣସି ବ୍ୟକ୍ତି ପାଇଁ ଉପକାର ପରବର୍ତ୍ତୀ କାଳରେ ସେ ସଂପୂର୍ଣ୍ଣ ପାଶୋରି ଦେଇଥିବା ଅଭିନୟ କରିବା କିମ୍ୱା ଓଲଟି କ୍ଷତି ପହୁଞ୍ଚାଇବା ନିମନ୍ତେ ଉଦ୍ୟମରତ ହେବା ମନରେ ଗଭୀର କ୍ଷତ ସୃଷ୍ଟି କରିଥାଏ; କିନ୍ତୁ ପୂର୍ବ ସହାୟତାକୁ ଫେରାଇନେବା କିମ୍ୱା ସଂପୃକ୍ତ ବ୍ୟକ୍ତିଙ୍କ ସହ ଜୀବନର ଶେଷାଂଶରେ ବିଶେଷ କିଛି କାରବାରରେ ଲିପ୍ତହେବା ସୁଯୋଗ ନଥାଏ।
ଚଳନ୍ତି ସାମାଜିକ ପ୍ରବାହ(ଟ୍ରେଣ୍ଡ)ରେ ପଶ୍ଚାତ୍ତାପକୁ ଏକ ନକାରାତ୍ମକ ଭାବାବେଗ ରୂପେ ଚ଼ିତ୍ରଣ କରାଯାଏ। ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ମାର୍କିନ ପ୍ରେରଣାଦାୟୀ ସଂସ୍କୃତି ପ୍ରସାରରେ ପଶ୍ଚାତ୍ତାପ-ବିହୀନ (ନୋ-ରିଗ୍ରେଟସ) ଜୀବନଯାତ୍ରାକୁ ଉତ୍ସାହିତ କରାଯାଇ ଆସିଛି । ପାଶ୍ଚାତ୍ୟ ସଂସ୍କୃତି ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଚାଲିଥିବା ହେତୁ ଆଧୁନିକ ଜନଜୀବନରେ ପାଶ୍ଚାତ୍ତାପକୁ ଏଡ଼ାଇନେବା ମନୋବୃତ୍ତି ପରିଲକ୍ଷିତ । ଅବଶ୍ୟ ଉତ୍ତର-ଆଧୁନିକ ପରିବେଶରେ ଗବେଷଣାଲବ୍ଧ ତଥ୍ୟ ଆଧାରରେ ପଶ୍ଚାତ୍ତାପର ମାନବୀୟ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଥିବା ଏକ ନବୀନ ଉପଲବ୍ଧି ।
ଯୁକ୍ତରାଷ୍ଟ୍ର ଆମେରିକାର ଡ଼ାନିୟାଲ ପିଙ୍କ ନାମକ ଜଣେ ଚ଼ିନ୍ତକ ଓ ଲେଖକ ‘କୋଭିଡ଼-୧୯’ ମହାମାରୀ କାଳରେ ୨୦୨୦-୨୧ ଦୁଇବର୍ଷ ଧରି ବିଶ୍ୱ ପଶ୍ଚାତ୍ତାପ ସର୍ବେକ୍ଷଣ (ୱାର୍ଲ୍ଡ ରିଗ୍ରେଟ ସର୍ଭେ) ଆୟୋଜନ କରିଥିଲେ । ଏହି ଅବସରରେ ୧୦୫ ଗୋଟି ରାଷ୍ଟ୍ରର ପ୍ରାୟ ୧୬ ହଜାର ବ୍ୟକ୍ତିଙ୍କ ଜୀବନରେ ପଶ୍ଚାତ୍ତାପ ଅନୁଭୂତି ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥିଲା । ପିଙ୍କ ଗବେଷଣାଲବ୍ଧ ଜ୍ଞାନ ‘ଦି ପାୱାର ଅଫ ରିଗ୍ରେଟ’ ନାମକ ପୁସ୍ତକରେ ବର୍ଣ୍ଣନା କରି ୨୦୨୨ ଫେବୃୟାରୀରେ ପ୍ରକାଶ କରିଥିଲେ। ପିଙ୍କ ଜଣେ ଲୋକପ୍ରିୟ ଲେଖକ ଏବଂ ତାଙ୍କ ଦ୍ୱାରା ରଚିତ ସାତଗୋଟି ପୁସ୍ତକ ମଧ୍ୟରୁ ପାଞ୍ଚଗୋଟି ‘ଦି ନିଉୟର୍କ ଟାଇମ୍ସ ବେଷ୍ଟସେଲର’ ତାଲିକାରେ ସ୍ଥାନିତ ।
ପିଙ୍କ କହନ୍ତି ଯେ ସମସାମୟିକ ଜନଜୀବନରେ ପଶ୍ଚାତ୍ତାପକୁ ଗୁରୁତ୍ୱ ଦିଆନଯାଉଥିବା ବିଶ୍ୱାସ କରାଯାଏ; କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ୮୨ ପ୍ରତିଶତ ବ୍ୟକ୍ତି ଅତୀତ ଜୀବନରେ ଅନ୍ତତଃପକ୍ଷେ ଥରେ ପଶ୍ଚାତ୍ତାପ କରିଥିବା ଏବଂ ୨୧ ପ୍ରତିଶତ ଧାରାବାହିକଭାବେ ପଶ୍ଚାତ୍ତାପର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଥାନ୍ତି । କେବଳ ଏକ ପ୍ରତିଶତ କହନ୍ତି ଯେ ସେମାନେ ଜୀବନରେ କେବେ ପଶ୍ଚାତ୍ତାପ କରିନାହାନ୍ତି; ଅର୍ଥାତ୍, ବହୁ ସଂଖ୍ୟକଙ୍କ ଜୀବନଯାତ୍ରାରେ ପଶ୍ଚାତ୍ତାପ ସ୍ଥାନ ପାଉଥିବାସ୍ଥଳେ ଏକ ପଞ୍ଚମାଂଶ ଯାଏ ମାତ୍ରାଧିକ ସ୍ତରରେ ପ୍ରଭାବିତ। ତଥାକଥିତ ‘ନୋ-ରିଗ୍ରେଟସ’ ଏକ ମିଡ଼ିଆ ସ୍ଲୋଗାନ।
ପିଙ୍କ ନିଜ ପୁସ୍ତକରେ ପଶ୍ଚାତ୍ତାପକୁ ଚାରି ଶ୍ରେଣୀରେ ବିଭକ୍ତ କରିଛନ୍ତି: ବିଚାରଭିତ୍ତିକ, ଅବହେଳାଭିତ୍ତିକ, ସଂପର୍କଭିତ୍ତିକ ଓ ନୈତିକତାଭିତ୍ତିକ। ପ୍ରଥମ ଶ୍ରେଣୀରେ ନିଜେ ଗ୍ରହଣ କରିଥିବା କେତେକ ନିଷ୍ପତ୍ତି ପରବର୍ତ୍ତୀ ଜୀବନରେ ସମସ୍ୟା ସୃଷ୍ଟି କରିଥିବାରୁ ପଶ୍ଚାତ୍ତାପ ଉଦ୍ରେକ ହୋଇଥାଏ । ଅପରପକ୍ଷେ ଦ୍ୱିତୀୟ ଶ୍ରେଣୀରେ ଉପଲବ୍ଧ ସୁଯୋଗସୁବିଧା ଗ୍ରହଣ ନକରିଥିବା କାରଣରୁ ପଶ୍ଚାତ୍ତାପର ସମ୍ମୁଖୀନ ହେବାକୁ ପଡ଼େ । ତୃତୀୟ ଶ୍ରେଣୀରେ ପରିବାର ଓ ପରିବେଶ ସହ ସଂପର୍କ ସ୍ଥାପନରେ ତ୍ରୁଟିବିଚ୍ୟୁତି ଜନିତ ଏବଂ ଚ଼ତୁର୍ଥ ଶ୍ରେଣୀରେ ନୀତିନିୟମ ବହିର୍ଭୂତ କାର୍ଯ୍ୟକଳାପ ଜନିତ ପଶ୍ଚାତ୍ତାପରେ ଜନସାଧାରଣ ଆକ୍ରାନ୍ତ ହୋଇଥାନ୍ତି । ବ୍ୟକ୍ତିବିଶେଷ ଏକ ବା ଏକାଧିକ ଶ୍ରେଣୀର ପଶ୍ଚାତ୍ତାପ ଅନୁଭବ କରୁଥିବା ଦେଖାଯାଏ ।
ପଶ୍ଚାତ୍ତାପକୁ ଦୁଃଖର କାରଣ ବିବେଚ଼ନା କରିବା ଅନୁଚ଼ିତ । ପଶ୍ଚାତ୍ତାପ ନିଜର ନିଷ୍ପତ୍ତି, ଆଚ଼ରଣ ବା କାର୍ଯ୍ୟଧାରା ଦ୍ୱାରା ସୃଷ୍ଟ ନକାରାତ୍ମକ ପରିବେଶକୁ ଅନୁଶୀଳନ କରି ସକାରାତ୍ମକ ଦିଗରେ ଅଗ୍ରସର ହେବା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିଥାଏ । ଅବଶ୍ୟ ମାତ୍ରାଧିକ ପଶ୍ଚାତ୍ତାପ ମନୁଷ୍ୟର ‘ହରମୋନ’ ଓ ରୋଗ ପ୍ରତିଷେଧକ ଶକ୍ତିକୁ ପ୍ରଭାବିତ କରିବା ତଥା ଉଦବିଗ୍ନତା ଓ ଉଦାସୀନତାର ସମ୍ମୁଖୀନ ହେବା ଭୟ ରହିଥାଏ । ଏହା ସାଧାରଣ ସ୍ୱାସ୍ଥ୍ୟାବସ୍ଥାରେ ପ୍ରତିକୂଳ ପ୍ରଭାବ ପକାଇପାରେ; କିନ୍ତୁ ପଶ୍ଚାତ୍ତାପକୁ କେନ୍ଦ୍ରକରି ନିଜକୁ ସଜାଡ଼ିବାକୁ ଚେଷ୍ଟାକଲେ ଉଭୟ ସ୍ୱାସ୍ଥ୍ୟାବସ୍ଥା ଓ ଜୀବନଯାତ୍ରାରେ ସଫଳତା ମିଳିପାରେ । ପଶ୍ଚାତ୍ତାପ ଅଭାବରେ ଭୁଲଗୁଡ଼ିକ ବାରମ୍ୱାର କରିବା ଭୟ ରହିଥାଏ ଏବଂ ଏହି ପରିବେଶ ହିତକର ନୁହେଁ ।
ସ୍ଥଳବିଶେଷରେ ବ୍ୟକ୍ତିବିଶେଷ ବାରମ୍ୱାର ପଶ୍ଚାତ୍ତାପ ଅନୁଭବ କରିଥାନ୍ତି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଏକ କାଗଜରେ ପଶ୍ଚାତ୍ତାପଗୁଡ଼ିକୁ ଲେଖି ପ୍ରତ୍ୟେକଟିର କାରଣ ଓ ନିରାକରଣ ଉଲ୍ଲେଖ କରିବା ନିମନ୍ତେ ପିଙ୍କ ପରାମର୍ଶ ଦେଇଛନ୍ତି। ଏହା ଫଳରେ ପଶ୍ଚାତ୍ତାପର ଘନତ୍ୱ ପରିମାପ କରି ସେଥିରୁ ନିବୃତ୍ତ ହେବା ନିମନ୍ତେ ବ୍ୟକ୍ତିଗତ ସ୍ତରରେ ରଣନୀତି ସ୍ଥିର କରିହୁଏ। ଏହି ଦିଗରେ ପରାମର୍ଶ ମଧ୍ୟ ସହାୟତା କରିପାରେ। ମନୁଷ୍ୟ ପଶ୍ଚାତ୍ତାପ କାଳରେ ନିଜକୁ ନିଜ ଅତୀତ କାର୍ଯ୍ୟକଳାପ ନିମନ୍ତେ କ୍ଷମାଶୀଳ ହେଲେ ସହଜରେ ଉପଶମ ଲାଭ କରିବା ସମ୍ଭବ ।
ପଶ୍ଚାତ୍ତାପ ଏକ ମାନବୀୟ ଭାବାବେଗ ଏବଂ ମନୁଷ୍ୟ ଜୀବନରେ ସୁରକ୍ଷା ସମ୍ପଦ (ସରଭାଇଭଲ ଟୁଲ) ଭାବେ କାର୍ଯ୍ୟ କରିଥାଏ । ଏହା ପ୍ରାକୃତିକ, ବାସ୍ତବ ଏବଂ ଏହାକୁ ଏଡ଼ାଇଯିବା ପ୍ରବୃତ୍ତି ଭ୍ରମାତ୍ମକ । ତତ୍ସଙ୍ଗେ ମନୁଷ୍ୟ ନିଜ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ପଶ୍ଚାତ୍ତାପଜନିତ ସୁଫଳ ଆଶା କରିପାରେ । ଡ଼ାନିୟଲ ପିଙ୍କ ଚ଼ୀନ ଦେଶର ଏକ ପୁରାତନ ଉକ୍ତି ଉଦ୍ଧାର କରି ଦର୍ଶାଇଥିଲେ ଯେ ଗୋଟିଏ ଚାରାରୋପଣର ସର୍ବାପେକ୍ଷା ପ୍ରକୃଷ୍ଟ ସମୟ କୋଡ଼ିଏ ବର୍ଷ ପୂର୍ବକୁ ନିର୍ଦ୍ଧାରଣ କରାଯାଏ । ତେବେ ଯଦି କୌଣସି କାରଣବଶତଃ ଚାରା ରୋପିତ ହୋଇପାରି ନାହିଁ, ତେବେ ବର୍ତ୍ତମାନ ଦ୍ୱିତୀୟ ସୁଯୋଗ ବିବେଚିତ । ଅତଏବ ବାର୍ଦ୍ଧକ୍ୟାବସ୍ଥାରେ ମଧ୍ୟ ପଶ୍ଚାତ୍ତାପର ସୁଫଳ ଆଶା କରାଯାଇପାରେ ।
ପ୍ରଦୀପ ମହାପାତ୍ର
ଭୀମାରାଓ ପେଟା, ଭାପୁର ବଜାର, ବ୍ରହ୍ମପୁର
ଦୂରଭାଷ: ୯୪୩୭୦୯୬୯୪୪
Comments are closed.