mission shakti banner

ଓଡ଼ିଶାର ପ୍ରାକୃତିକ ଐତିହ୍ୟର ସୁରକ୍ଷା

BSKY banner  750×100

ପୃଥିବୀ ପୃଷ୍ଠରେ ବାୟୁ, ଜଳ, ମୃତ୍ତିକା, ଖଣିଜ ପଦାର୍ଥ, ପାହାଡ଼ ପର୍ବତ, ଜଙ୍ଗଲ, ଜୈବବିବିଧତା ଇତ୍ୟାଦିର ସମାହାରରେ ସୃଷ୍ଟ ବିବିଧ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ କେବଳ ମାନବ ସମାଜର ହିତ ସାଧନ ନିମନ୍ତେ ନୁହେଁ, ବରଂ ସମଗ୍ର ଜୀବଜଗତର ସାମ୍ପ୍ରତିକ ଅବଶ୍ୟକତାର ପରିପୂରଣ ସହ ଭବିଷ୍ୟତ ନିରନ୍ତରତାକୁ ସୁଦୃଢ଼ କରିବା ନିମନ୍ତେ ପ୍ରୟୋଜନ। ପ୍ରାକୃତିକ ପରିସଂସ୍ଥାଗୁଡ଼ିକର ସୌନ୍ଦର୍ଯ୍ୟ ବୋଧକ, ଐତିହାସିକ, ବୈଜ୍ଞାନିକ, ସାମାଜିକ, ସାଂସ୍କୃତିକ କିମ୍ବା ବ୍ୟାବହାରିକ ମହତ୍ତ୍ୱ ବିଶ୍ୱ ସମ୍ପ୍ରଦାୟ ନିମନ୍ତେ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବାରୁ ସେସବୁକୁ ପ୍ରାକୃତିକ ଐତିହ୍ୟସ୍ଥଳୀ ରୂପେ ସଂରକ୍ଷିତ ରଖାଯିବା ଏକାନ୍ତ ଅପରିହାର୍ଯ୍ୟ। ପ୍ରାକୃତିକ ଐତିହ୍ୟର ସଂଜ୍ଞା ପ୍ରଦାନ କରି ଜାତିସଂଘର ୟୁନେସ୍କୋ ପରିସଂଖ୍ୟାନ ପ୍ରତିଷ୍ଠାନ ବ୍ୟକ୍ତ କରିଛି ଯେ ଏହା ପ୍ରାକୃତିକ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ, ଭୂତାତ୍ତ୍ୱିକ ଏବଂ ଭୌତିକ ଭୂଗୋଳ ଦୃଷ୍ଟିରୁ ସ୍ୱତନ୍ତ୍ର ଗଠନ ବିଶିଷ୍ଟ ଏକ ନିର୍ଦ୍ଧାରିତ କ୍ଷେତ୍ରାଞ୍ଚଳକୁ ବୁଝାଏ, ଯାହା ବିଜ୍ଞାନ, ସଂରକ୍ଷଣ କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ମୂଲ୍ୟ ବହନକାରୀ ବିପଦପୂର୍ଣ୍ଣ ପ୍ରଜାତିର ପ୍ରାଣୀ, ଉଦ୍ଭିଦ ଏବଂ ପ୍ରାକୃତିକ ସ୍ଥାନମାନଙ୍କୁ ଅନ୍ତର୍ଭୁକ୍ତ କରେ। ଏଥିରେ ବେସରକାରୀ ତଥା ସର୍ବସାଧାରଣ ଭାବରେ ସଂରକ୍ଷିତ ପ୍ରାକୃତିକ ଅଞ୍ଚଳ, ପ୍ରାଣୀ ଉଦ୍ୟାନ, ଆକ୍ୱାରିଆ (ଜୀବପୂର୍ଣ୍ଣ ଜଳାଶୟ), ଉଦ୍ଭିଦ ଉଦ୍ୟାନ, ପ୍ରାକୃତିକ ବାସସ୍ଥଳୀ, ସାମୁଦ୍ରିକ ପରିସଂସ୍ଥା, ଅଭୟାରଣ୍ୟ, ଜଳଭଣ୍ଡାର ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ପ୍ରାକୃତିକ ବିଶ୍ୱ ଐତିହ୍ୟ ରୂପେ ପରିଗଣିତ କ୍ଷେତ୍ରଗୁଡିକ ମାନବଜାତି ନିମନ୍ତେ ପ୍ରକୃତିର ଶ୍ରେଷ୍ଠ ବହୁମୂଲ୍ୟ ଉପହାର ରୂପେ ବିଚାର୍ଯ୍ୟ ହୁଏ। ଏସବୁର ସ୍ୱତନ୍ତ୍ର ଜୀବଜାତି, ବିରଳ ପରିବେଶ ପ୍ରକ୍ରିୟା ଏବଂ ଚମତ୍କାର ଭୂଦୃଶ୍ୟକୁ ପରବର୍ତ୍ତୀ ପିଢ଼ି ନିମନ୍ତେ ସୁରକ୍ଷିତ ରଖିବା ଆମର ନୈତିକ କର୍ତ୍ତବ୍ୟ ବୋଲି ସମସ୍ତଙ୍କର ହୃଦ୍‌ବୋଧ ହେବା ବାଞ୍ଛନୀୟ।
ୟୁନେସ୍କୋ ଦ୍ୱାରା ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ଉଦ୍ଦେଶ୍ୟରେ ୧୯୭୨ରେ ଆୟୋଜିତ ବିଶ୍ୱ ଐତିହ୍ୟ ସମ୍ମିଳନୀ ହେଉଛି ପୃଥିବୀର ସର୍ବଶ୍ରେଷ୍ଠ, ଅନନ୍ୟ ପ୍ରାକୃତିକ ସ୍ଥଳୀଗୁଡିକର ସୁରକ୍ଷା ଦିଗରେ ଅନ୍ୟତମ ସଫଳ ଅନ୍ତର୍ଜାତୀୟ ପ୍ରୟାସ। ଜନସମାଜର ପ୍ରକୃତି ସହ ସମ୍ପର୍କିତ ପ୍ରକ୍ରିୟାସବୁକୁ ଏବଂ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ମୌଳିକ ଆବଶ୍ୟକତାକୁ ଏହି ସମ୍ମିଳନୀ ସ୍ୱୀକୃତି ପ୍ରଦାନ କରେ । ଏହି ଚୁକ୍ତିରେ ସ୍ବାକ୍ଷରକାରୀ ପ୍ରତ୍ୟେକ ରାଷ୍ଟ୍ର କେବଳ ନିଜ ଅଞ୍ଚଳରେ ଅବସ୍ଥିତ ବିଶ୍ୱ ଐତିହ୍ୟ ସ୍ଥଳୀଗୁଡିକର ସଂରକ୍ଷଣ ନିମନ୍ତେ ନୁହେଁ, ବରଂ ଏହାର ଜାତୀୟ ଐତିହ୍ୟସବୁର ସୁରକ୍ଷା ନିମନ୍ତେ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଏହି ସମ୍ମିଳନୀ ୧୦୦ଟିରୁ ଅଧିକ ରାଷ୍ଟ୍ରରେ ଭାରତର ଭୌଗୋଳିକ ଆକାରରୁ ବୃହତ୍ ଅଞ୍ଚଳରେ ଅବସ୍ଥିତ ୨୫୦ରୁ ଅଧିକ ସ୍ଥଳଭାଗ ଏବଂ ସାମୁଦ୍ରିକ ଐତିହ୍ୟ ସ୍ଥଳୀଗୁଡିକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନକୁ ୟୁନେସ୍କୋ ୨୦୦୯ରେ ବିଶ୍ୱ ଐତିହ୍ୟସ୍ଥଳୀର ଆଖ୍ୟା ପ୍ରଦାନ ପୂର୍ବକ ଏହାର ଜୈବମଣ୍ଡଳ ସୂଚୀରେ ଅନ୍ତର୍ଭୁକ୍ତ କରିଛି।
ଓଡ଼ିଶା ରାଜ୍ୟ ପ୍ରାକୃତିକ ବିଭବରେ ଋଦ୍ଧିମନ୍ତ ଏବଂ ଜୈବବିବିଧତାର ଅପାର ସମ୍ଭାରରେ ଆଶୀର୍ବାଦପ୍ରାପ୍ତ ଏକ ରାଜ୍ୟ, ଯେଉଁଠି ସ୍ଥଳଭାଗର ୩୩ ଶତାଂଶ ଜଙ୍ଗଲାଞ୍ଚଳରେ ଆଚ୍ଛାଦିତ ଏବଂ ବହୁ ନଦନଦୀ, ହ୍ରଦ ତଥା ୪୮୦ କିମି ସୁଦୀର୍ଘ ସମୁଦ୍ର ଉପକୂଳ ଉପଲବ୍ଧ ଅଛି। ଏସବୁ ଭଙ୍ଗୁର ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଲକ୍ଷ୍ୟରେ ସମ୍ପ୍ରତି ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ ସ୍ୱରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏବଂ ବିବିଧ ଉଦ୍ଭିଦ ଓ ପ୍ରାଣୀ ଜାତିରେ ସମୃଦ୍ଧ କେତେକ ଅଞ୍ଚଳକୁ ଓଡିଶା ଜୈବ ବିବିଧତା ନିୟମ ୨୦୧୨ର ବ୍ୟବସ୍ଥା ଅନୁଯାୟୀ ’ପ୍ରାକୃତିକ ଐତିହ୍ୟସ୍ଥଳୀ’ର ମାନ୍ୟତା ପ୍ରଦାନ କରିଛନ୍ତି। ଅନନ୍ୟ ମହତ୍ତ୍ୱ ଏବଂ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ଗଜପତି ଜିଲାର ମହେନ୍ଦ୍ରଗିରି, ବରଗଡ଼-ବଲାଙ୍ଗିର ଜିଲାର ଗନ୍ଧମାର୍ଦ୍ଦନ ଏବଂ କନ୍ଧମାଳ ଜିଲାର ମଣ୍ଡାସାରୁ, ଏହି ତିନିଟି ପାହାଡ଼ପର୍ବତ ଘେରା ଜଙ୍ଗଲ ପରିସଂସ୍ଥାକୁ ପ୍ରଥମ ପର୍ଯ୍ୟାୟରେ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଆୟୁର୍ବେଦୀୟ ଔଷଧୀୟ ବୃକ୍ଷମାନଙ୍କର ଭୂସ୍ୱର୍ଗ ହେଉଛି ଗନ୍ଧମାର୍ଦ୍ଦନ, ଯେଉଁଠି ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ବହନକାରୀ ନୃସିଂହନାଥ ଏବଂ ହରିଶଙ୍କର ମନ୍ଦିର ଐତିହାସିକ ସ୍ମାରକୀ ରୂପେ ବିଦ୍ୟମାନ। ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ମହେନ୍ଦ୍ରଗିରି ଜଙ୍ଗଲାଞ୍ଚଳର ଅନେକ ଔଷଧୀୟ ଉଦ୍ଭିଦ ଏବଂ ଅନ୍ୟାନ୍ୟ ପ୍ରଜାତି ଯୋଗୁଁ ଜୈବବିବିଧତାର ସମୃଦ୍ଧ ସ୍ଥଳୀ ତଥା ପୌରାଣିକ ପୃଷ୍ଠଭୂମିର କୁନ୍ତୀ ଓ ପାଣ୍ଡବମାନଙ୍କ ମନ୍ଦିର ଏବଂ ପର୍ଶୁରାମଙ୍କର ତପସ୍ୟା ସ୍ଥାନ ରୂପେ ପ୍ରସିଦ୍ଧି ରହିଛି । ସେହିପରି, ଭାରତର ପ୍ରାଚୁର୍ଯ୍ୟଭରା ପ୍ରକୃତିର ଏକ ଗୁପ୍ତସ୍ଥଳୀ ରୂପେ ପରିଗଣିତ ତଥା ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ମଣ୍ଡାସାରୁ ପାହାଡ଼ାଞ୍ଚଳ ହେଉଛି ମନୋରମ ଦୃଶ୍ୟ ଏବଂ ଜୈବବିବିଧତାର ଅନ୍ୟ ଏକ ଅନନ୍ୟ ଭଣ୍ଡାର। ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ବ୍ୟତିରେକ ଜୈବବିବିଧତା ପରିପୂର୍ଣ୍ଣ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀୟ ଏବଂ ଜଳୀୟ ପ୍ରାକୃତିକ ପରିସଂସ୍ଥାକୁ ଏହାର ପରିସରକୁ ନେଇ ରାଜ୍ୟରେ ଅଧିକ ୨୫ଟି ପ୍ରାକୃତିକ ଐତିହ୍ୟସ୍ଥଳୀ ସ୍ଥାପନର ମାଷ୍ଟର ପ୍ଲାନ୍ ଏବେ ପ୍ରସ୍ତୁତ ହେଉଛି, ଯାହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବାର ଯୋଜନା ରହିଛି।
ଏହି ଉଦ୍ଦେଶ୍ୟରେ ସମୃଦ୍ଧ ପାହାଡିଆ ପରିବେଶ ପାଇଁ କଳାହାଣ୍ଡି ଜିଲାର କର୍ଲାପାଟ ଅଭୟାରଣ୍ୟ ନିକଟସ୍ଥ କ୍ରିଷ୍ଣାମାଳି ଓ ଖଣ୍ଡୁଆଳମାଳି ଅଞ୍ଚଳ, ଜୈବବିବିଧତାରେ ପରିପୂର୍ଣ୍ଣ ସ୍ଥାନ ଭାବେ ରାୟଗଡା ଜିଲାର ବାଫଲାମାଳି, ଡ଼ଙ୍ଗରିଆମାନଙ୍କ ପବିତ୍ର ପୂଜାସ୍ଥଳୀ ନିୟମଗିରି ପାହାଡ଼ ଏବଂ କୋରାପୁଟର ଦେଓମାଳୀ ଓ ଗୁପ୍ତେଶ୍ବର ଜଙ୍ଗଲାଞ୍ଚଳକୁ ଚିହ୍ନଟ କରାଯାଇଛି। ସେହିପରି, ବିଲୁପ୍ତପ୍ରାୟ ନାଗେଶ୍ୱର ଗଛ, ସ୍ୱତନ୍ତ୍ର ଜାତିର ଅର୍କିଡ଼ ଏବଂ ବହୁ ଔଷଧୀୟ ଉଦ୍ଭିଦ ନିମନ୍ତେ ପାଲଲହଡ଼ା ବ୍ଲକ ଅନ୍ତର୍ଗତ ମଳୟଗିରି ଜଙ୍ଗଲ ଏବଂ ମଗର କୁମ୍ଭୀର ଓ ସ୍ୱତନ୍ତ୍ର ଆର୍ଦ୍ରଭୂମି ପରିବେଶ ପାଇଁ ଗଞ୍ଜାମର ଘୋଡ଼ାହାଡ଼ ଜଳଭଣ୍ଡାର ଏହି ସୂଚୀରେ ସ୍ଥାନିତ ହୋଇଛି। ବନ୍ୟ ଅର୍କିଡ଼ ପାଇଁ ମାଲକାନାଗିରିର ଗୋବିନ୍ଦପାଲି ଘାଟ ଏବଂ ବଣ୍ଡା ସମ୍ପ୍ରଦାୟର ବାସସ୍ଥଳୀ ବଣ୍ଡା ହିଲ୍, ବିଲୁପ୍ତପ୍ରାୟ ବୃକ୍ଷଲତା ପାଇଁ ଗଞ୍ଜାମର ବୁଦ୍ଧଖୋଲ, ଅହିରାଜ ସାପ ନିମନ୍ତେ ନାରାୟଣୀ ମନ୍ଦିର ଓ ଏହା ନିକଟସ୍ଥ ଅଞ୍ଚଳ, ଅଲିଭ୍ ରିଡ଼ଲେ ସମୁଦ୍ର କଇଁଛଙ୍କ ସୁରକ୍ଷା ପାଇଁ ଋଷିକୁଲ୍ୟା ବେଳାଭୂମି ଏବଂ ହେନ୍ତାଳ ବନ ନିମନ୍ତେ ଅସ୍ତରଙ୍ଗର ଦେବୀ ନଦୀ ମୁହାଣ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ପୌରାଣିକ ଓ ଐତିହାସିକ ଗୁରୁତ୍ୱ ବହନକାରୀ ଯାଜପୁରର ମହାବିନାୟକ ମନ୍ଦିରାଞ୍ଚଳ, ଅରଗୁଣା ପାଇଁ ନୟାଗଡ଼ର ରୁଖି ବଳରାମ ଓ ଗମେଇ ପାହାଡ଼, ଲୋକଙ୍କ ଦ୍ୱାରା ପ୍ରସ୍ତୁତ କୃଷି ପରିସଂସ୍ଥାକୁ ଗୁରୁତ୍ୱ ଦେଉଥିବା ଗଞ୍ଜାମର ଦିଗପହଣ୍ଡି ଓ ଟିକିରି ଅଞ୍ଚଳ, କନ୍ଧମାଳର କଳିଙ୍ଗ ମେଗା ନର୍ସରୀ, ଖୋର୍ଦ୍ଧାର ଧୂଆଁନଳୀ ଓ ବରବରା ଜଙ୍ଗଲ, କଟକର ଛତିଶାପାଟ ହ୍ରଦ ଏବଂ ଜଗତସିଂହପୁରର ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
ସେହିପରି, ପ୍ରକୃତିପ୍ରେମୀଙ୍କ ଆକର୍ଷଣ, ଜୈବବିବିଧତା ପରିପୂର୍ଣ୍ଣ ମୟୂରଭଞ୍ଜସ୍ଥ ଶିମିଳିପାଳ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ, କେନ୍ଦ୍ରାପଡ଼ାର ଭିତରକନିକା ହେନ୍ତାଳ ବନ ଓ ଅଲିଭ୍ ରିଡ଼ଲେ ସମୁଦ୍ର କଇଁଛଙ୍କ ଭୂସ୍ବର୍ଗ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ନୀଳାମ୍ବୁ ଚିଲିକା ଏବଂ ପକ୍ଷୀମାନଙ୍କ କଳରବରେ ଗୁଞ୍ଜରିତ ହେଉଥିବା ଏହା ମଧ୍ୟସ୍ଥ ନଳବନ ପକ୍ଷୀ ଅଭୟାରଣ୍ୟ, ନିରବିତ ସୌନ୍ଦର୍ଯ୍ୟର ଭଣ୍ଡାର ମହାନଦୀସ୍ଥ ସାତକୋଶିଆ ଗଣ୍ଡ ଓ ତତ୍ ସଂଲଗ୍ନ ଜଙ୍ଗଲ, ତୁଷାରପାତ କାରଣରୁ ଓଡିଶାର କାଶ୍ମୀର ରୂପେ ପରିଚିତ ଦାରିଙ୍ଗିବାଡି, କୃଷ୍ଣସାର ମୃଗମାନଙ୍କର ଆବାସସ୍ଥଳୀ ଭେଟ୍‌ନଇ, କୁଲଡ଼ିହାର ବନ୍ୟପ୍ରାଣୀ ଭରା ବିସ୍ତୀର୍ଣ୍ଣ ଜଙ୍ଗଲ, ବିପଦାପନ୍ନ ଇରାୱାଡି ଡଲଫିନମାନଙ୍କର କ୍ରୀଡାଭୂମି ସାତପଡାର ଜଳରାଶି ଏବଂ ଜୈବବିବିଧତାରେ ସମୃଦ୍ଧ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛନ୍ତି ବିଶେଷ ଆକର୍ଷଣର ଅନ୍ୟ କେତୋଟି ଦୃଷ୍ଟାନ୍ତ ମାତ୍ର। ରାଜ୍ୟ ଜୈବ ବିବିଧତା ବୋର୍ଡ଼ ଏପରି ଜୈବ ବିବିଧତା ପରିପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସଙ୍କଟାପନ୍ନ ଭୂଭାଗର ପରିସଂସ୍ଥାସବୁକୁ ବିସ୍ତୃତ ଅଧ୍ୟୟନ ମାଧ୍ୟମରେ ଚିହ୍ନଟ କରି ଐତିହ୍ୟସ୍ଥଳୀ ଘୋଷଣା ଉପଲକ୍ଷେ ରାଜ୍ୟ ସରକାରଙ୍କର ବିଚାର ଏବଂ ଅନୁମୋଦନ ନିମନ୍ତେ ଉପସ୍ଥାପନ କରନ୍ତି। ଏହି ପ୍ରକ୍ରିୟାରେ ସେଠାରେ ଉପଲବ୍ଧ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ବିଭିନ୍ନ ଶ୍ରେଣୀ, ଜାତି, ସଂଖ୍ୟା, ଗୁରୁତ୍ୱ, ସ୍ଥାନୀୟ ଉପଲବ୍ଧତା ଏବଂ ବିପଦାପନ୍ନତା ଇତ୍ୟାଦି ନିର୍ଣ୍ଣୟ କରାଯାଏ। ଏପରି ମାନ୍ୟତା ପ୍ରଦାନର ମୌଳିକ ଉଦ୍ଦେଶ୍ୟ ହେଉଛି ଜୈବିକ, ପରିବେଶୀୟ ଏବଂ ସାମାଜିକ-ଅର୍ଥନୈତିକ ଗୁରୁତ୍ୱ ବହନକାରୀ ପ୍ରାକୃତିକ ପରିସଂସ୍ଥାମାନଙ୍କର ସୁରକ୍ଷା, ସଂରକ୍ଷଣ ଏବଂ ପରିଚାଳନା ନିମନ୍ତେ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା। ଏହା ଉଲ୍ଲେଖନୀୟ ଯେ ଏହି ପରିସଂସ୍ଥାସବୁର ବହୁ ଉଦ୍ଭିଦ ଏବଂ ପ୍ରାଣୀ ଜାତି ସଂଖ୍ୟାରେ ହ୍ରାସ ପାଇ ଆଇୟୁସିଏନର ‘ସଙ୍କଟାପନ୍ନ ଜାତି’ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି।
ପ୍ରକୃତି ପର୍ଯ୍ୟଟନ ବା ଇକୋଟୋରିଜିମ୍ ନିମନ୍ତେ ଓଡ଼ିଶା ହେଉଛି ବାସ୍ତବରେ ବିମୋହନକାରୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅସରନ୍ତି ଭଣ୍ଡାର। ଅତଏବ, ରାଜ୍ୟର ଏହି ମନୋରମ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପରିସଂସ୍ଥାମାନଙ୍କୁ ଐତିହ୍ୟସ୍ଥଳୀ ଅଥବା ସଂରକ୍ଷିତ ଅଞ୍ଚଳର ମାନ୍ୟତା ପ୍ରଦାନ ପୂର୍ବକ ସୁରକ୍ଷିତ ରଖିବାର ଉଦ୍ୟମ ଜାରିରହିବା ଏକାନ୍ତ ପ୍ରୟୋଜନ। ୟୁନେସ୍କୋ ଭାଷାରେ ପ୍ରାକୃତିକ ଐତିହ୍ୟ ସଂରକ୍ଷଣର ଅର୍ଥ ହେଉଛି ପ୍ରାକୃତିକ ପରିସଂସ୍ଥା, ପ୍ରାଣୀମାନଙ୍କର ବାସସ୍ଥଳୀ, ବନ୍ୟଜୀବଙ୍କର ବିବିଧ ଜାତି ଏବଂ ସେମାନଙ୍କର ସଂଖ୍ୟା, ପ୍ରାକୃତିକ ପରିବେଶ ମଧ୍ୟରେ କିମ୍ବା ବାହାରେ, ସେମାନଙ୍କର ସଂରକ୍ଷଣ, ତତ୍ତ୍ୱାବଧାନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବା। ସେମାନଙ୍କ ଉପରୁ ମାନବୀୟ ଚାପ ଓ କ୍ଷତିକାରକ ପ୍ରଭାବର ହ୍ରାସ ଏବଂ ଦୀର୍ଘସ୍ଥାୟୀ ସ୍ଥିରତା ପ୍ରଦାନ ନିମନ୍ତେ ପ୍ରାକୃତିକ ସ୍ଥିତିକୁ ସୁରକ୍ଷିତ ରଖିବା ହେଉଛି ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ।

ଜୟକୃଷ୍ଣ ପାଣିଗ୍ରାହୀ
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ବର ଦୂରଭାଷ: ୯୪୩୭୦୭୬୧୦୦

Comments are closed.