ଦ୍ବିବିଧ ଚାତୁରୀ
ସବ୍ସିଡି, ଛାଡ଼, ରିଆତି ଦେଇ ସରକାର ଏ ଜାତିକି ଭିକାରି ବନେଇବା ଅପେକ୍ଷା, ଫସଲର ଉଚିତ ମୂଲ୍ୟାୟନ, ଆଶୁ ବିକ୍ରି, ଉନ୍ନତ ବିହନ ବ୍ୟବସ୍ଥା କରନ୍ତୁ
ସାର ଓ ସ୍ପଷ୍ଟ କଥାର ଅବତାରଣାରେ, ‘ଗୌର ଚନ୍ଦ୍ରିକା’ ସମ୍ଭେଇ ନଥାଏ। ତେଣୁ ଏମିତି କଥା ବା ଅବତାରଣାଗୁଡ଼ା ଧାରୁଆ ବା କଟୁ ହୋଇଥାଏ। ତା’ଠି କିଛି କଲେଇ ହୋଇଗଲେ, ତା’ ଗ୍ରହଣୀୟ ହୋଇଯାଏ। ସେମିତି ସଂସାରର ଯାବତୀୟ କାର୍ଯ୍ୟ ଓ କଥା। ଠୋ ଠା ଫୋ ଫା କଥାଗୁଡ଼ା ଗୁଳିଭଳିଆ ଭେଦିଥାଏ, ଦେହରେ, ମନରେ। ତେଣୁ ଗ୍ରହଣୀୟତା ପାଇଁ କିଛି ନୀତି ନିୟମ ସେଥିକୁ ଯୋଖି ଦିଆଯାଇଥାଏ। ଚତୁରପଣିଆ ଚାତୁରୀ ତ ଅଳ୍ପ ବହୁତେ ସମସ୍ତଙ୍କଠି ଥାଏ। ‘ଚାତୁରୀ’ ସବୁବେଳେ ଦ୍ବିଧା ଭାବର। ଠାକୁର ଦେଖା, କଦଳୀବିକା ମାନସିକତାର ଏମାନେ। ଚତୁରତା ବିଷୟରେ କୁହାଗଲା, ‘ଯା ଲୋକଦ୍ବୟ ସାଧିନୀ, ତନଭୃତାଂ ସା ଚାତୁରୀ ଚାତୁରୀ’ ଅର୍ଥାତ୍ ଯେଉଁ ଚତୁରତା ବା ବୁଦ୍ଧି ଦ୍ବି-ଲୋକ (ଇହଲୋକ, ପରଲୋକ) ସ୍ବାର୍ଥ ସାଧନ କରୁଥାଏ, ସେ ଚାତୁରୀ ହିଁ ପ୍ରକୃତ ଚାତୁରୀ। ଏବେ ଲୋକପ୍ରିୟ କେନ୍ଦ୍ର ସରକାରଙ୍କ ଏକ ଘୋଷଣା ସେଇ ଚାତୁରୀ ପ୍ରସୂତ ଭଳି ମନେ ହେଲା। ରାସାୟନିକ ସାର, କେତେ ସାର କମ୍ପାନୀ ଉତ୍ପାଦନ କରୁଛନ୍ତି ଓ ବିକ୍ରି କରୁଛନ୍ତି। ଆଜିକାଲି ତ ଏ ରାସାୟନିକ ସାରର ବହୁଳ ପ୍ରୟୋଗ ଓ ପ୍ରଚାର ହେଉଛି। ଆଗ ଭଳି ଗୋବର ଖତ, ପିଡ଼ିଆ ଆଦିର ବ୍ୟବହାର ନାହିଁ। ଗଛ ଡାଳ ପତ୍ରକୁ ଶୁେଖଇ ସେଥିରୁ ତିଆରି ସାରର ବଂଶ ବୁଡ଼ିଗଲାଣି। ରାସାୟନିକ ସାର ଉଦ୍ଭିଦ ତଥା ଜୀବଜଗତ ପାଇଁ ବିଷମୟ ପରିଣତି ସୃଷ୍ଟିକରେ ତା’ ପ୍ରମାଣିତ। ଗାଈଠାରେ ଅଧିକ ଦୁଧ ପାଇଁ ଦିଆଯାଉଥିବା ଇଞ୍ଜେକ୍ସନ ଫଳରେ, ଏ ମୃତ ଗାଈର ମାଂସ ବିଷମୟ ହୋଇଯାଉଛି ବୋଲି ବୈଜ୍ଞାନିକେ ଚିଲେଇଲେ। ପୁଣି କହିଲେ ନା’ କ’ଣ ଯେ ଶାଗୁଣା, ଚିଲ ଆଦିଙ୍କ ବଂଶ ଲୋପ ଏପରି ଗାଈଙ୍କ ମାଂସ ଖାଇବାର ପରିଣତି। ସରକାର ବି ଜୈବିକ, ପ୍ରାକୃତିକ ସାର ପ୍ରୟୋଗ କଥା କହୁଛନ୍ତି। ମାତ୍ର ଆଜିର ଘୋଷଣାରେ ସେ ୧.୦୮ ଲକ୍ଷ କୋଟି ଟଙ୍କାର ରିଆତି ଏହି ରାସାୟନିକ ସାର ପ୍ରୟୋଗ ପାଇଁ ଘୋଷଣା କରିଛନ୍ତି। ଅବଶ୍ୟ ଏତଦ୍ଦ୍ବାରା ଚାଷୀ ଓ ଚାଷୀକୁଳ ଢ଼େର ଉପକାର ପାଇବେ। କୁହା ତ ଯାଇଛି, ‘ଚଷାଠାରୁ ନାହିଁ ବଢ଼ିଆ ଜାତି, ତାଙ୍କ ଲାଗି ସର୍ବେ ଫୁଲାନ୍ତି ଛାତି, ଜ୍ଞାନ ମଞ୍ଜି ଯେବେ ନ ଦେଲା ଚଷା, ସବୁ ଜାତିଙ୍କର ଉଡ଼ିଲା ହଂସା’। ତା’ ପରେ ଭୋଟ ରାଜନୀତିରେ ଏଙ୍କୁ ଉଠେଇ କଥା ନକହିଲେ, ସେପଟେ ଭୋଟ ଘର ଶୂନ୍ ହୋଇଯିବ। ଏଇ ଦେଖୁନ ଚାଷୀଙ୍କ ପାଇଁ ପିଏମ୍-କିଶାନ, କାଳିଆ, ବଳିଆ ଭଳି କେତେ ଟଙ୍କାଦିଆ ଯୋଜନା ଚାଲିଛି। ସତରେ ଫସଲ ଉତ୍ପାଦନ ପାଇଁ ଚାଷୀର ଶାରୀରିକ ଓ ମାନସିକ ସଂପୃକ୍ତି ଅନ୍ୟମାନଙ୍କଠୁ ଢେର ଅଧିକ। ରାସାୟନିକ ସାର ପାଇଁ ଏ ଆକାଶଫଟା ରିଆତି ଘୋଷଣାବେଳେ ଜୈବିକସାର କଥା କୁଆଡ଼େ ଗଲା? ଏ ନେତାମାନେ କହନ୍ତି ପ୍ରକାରେ, କରନ୍ତି ପ୍ରକାରେ, ଭାବନ୍ତି ବି ପ୍ରକାରେ। ଏମିତି ରିଆତି ସରକାର ସବୁ କ୍ଷେତ୍ରରେ ପ୍ରଦାନ କରି ସାରା ଜାତିଟାକୁ, ଦେଶଟାକୁ ଅନ୍ୟ ଉପରେ ନିର୍ଭରଶୀଳ କରି ଦେଲେଣି। ଗୋସେଇଁମାନଙ୍କ ବ୍ରତଘର ବା ଉପନୟନ ବେଳେ ତରୁଣ ବୟସର ଏ ‘ବ୍ରହ୍ମଚାରୀ’ଙ୍କ ହାତରେ ଥାଳି ଧରେଇ ଦିଆଯାଏ। ତାଙ୍କ ପଛରେ ତାଙ୍କୁ ଧରି ଠିଆ ହୋଇଥିବା ‘ମାମୁ’ ତାଙ୍କୁ କେଞ୍ଚନ୍ତି, ‘କହନ୍ତି ଭବାନ୍ ଭିକ୍ଷାଂ ଦେହି’। ‘ଆପଣେ ମତେ ଭିକ ଦିଅନ୍ତୁ’। ଗୋସେଇଁଗୁଡ଼ା ସେଇଥିପାଇଁ ଅଳ୍ପ ବହୁତେ ‘ମାଗେନ୍ତା’ର ଆକ୍ଷେପୋକ୍ତି ଶୁଣନ୍ତି। ଯଦିଓ ଏ ମାଗଣର ଅନ୍ତର୍ଗତ ଭାବ ଓ ଜ୍ଞାନ ଭିନ୍ନ। ଛାଡ଼ନ୍ତୁ ସେ ଭିନ୍ନ ଏକ ପ୍ରସଙ୍ଗ। ସାରା ଜନତା ଓ ଦେଶ ପାଇଁ ଖାଦ୍ୟ ଶସ୍ୟ ରୋଜଗାର କରୁଥିବା ଚାଷୀଙ୍କ ଅବସ୍ଥା ଏବେ କ’ଣ? ସେ ଅତି ବଡ଼ରେ ଗୋଟେ ଦିନ ମଜୁରିଆଟେ ଜାଣ। କାଇଁ ତା’ ଶ୍ରମର, ତା’ ଉତ୍ପାଦର ମୂଲ୍ୟ? ମାଙ୍କେଡ଼ା ପଥର ବା ବିଡ଼ି ବେପାରୀ, ବାଲି ବେପାରୀଠୁ ବି ଆମ ଚାଷୀ ଓ ଚଷା କେତେ ନିଊନ। ବର୍ଷଯାକ ଖରା ବର୍ଷାରେ ଭିଜି କ୍ଷେତରେ ଫସଲ ଭରିଦେଲା। କାଲି ସକାଳୁ ଫସଲ ଅମଳ ହେବ, କି ଖୁସି ମ ତା’ର! ସକାଳୁ ଦେଖିଲା ବେଳକୁ ହାତୀ ପଶି ସାରା ଫସଲ ଉଜାଡ଼ି ଦେଇଛି ଇତ୍ୟାଦି ଇତ୍ୟାଦି। ସେଇଥିପାଇଁ କୁହାଯାଇଛି – ଜୀର୍ଣମନ୍ନଂ ପ୍ରଶଂସିୟାତ୍, ଭାର୍ଯ୍ୟାଂ ଚ ଗତଯୌବନାଂ, ରଣାତ୍ ପ୍ରତ୍ୟାଗତଂ ସୁରଂ, ଶସ୍ୟଂ ଚ ଗୃହମାଗତମ୍’ ଅର୍ଥାତ୍ ସୁସ୍ବାଦୁ ଖାଦ୍ୟ ଦେଖି ତାହା ଭଲ ଖାଦ୍ୟ ବୋଲି କୁହାଯାଇ ପାରିବନି, ଜୀର୍ଣ୍ଣ ନ ହେଲାଯାଏ। ସୁନ୍ଦରୀ ସ୍ତ୍ରୀର ଯୌବନ ଅନ୍ତର୍ହିତ ନ ହେଲାଯାଏ ତାକୁ ସତୀ ବା ସ୍ବାମୀପ୍ରାଣା କୁହାଯାଇ ପାରିବନି। ଯୁଦ୍ଧ ପାଇଁ ସୈନିକ ବେଶ ଦେଖି ତାକୁ ଢେର ବୀର ବୋଲି, ସେ ଯୁଦ୍ଧ ପଡ଼ିଆରୁ ନ ଫେରିଲାଯାଏ କୁହାଯାଇ ପାରିବନି। କାରଣ ଯୁଦ୍ଧ ପଡ଼ିଆରୁ ଛତ୍ରଭଙ୍ଗ ଦେଉଥିବା ଅନେକ ସୈନିକ ଅଛନ୍ତି। ସେମିତି କ୍ଷେତରେ ଫସଲ ଦେଖି ଏ ସନ ଭଲ ଫସଲ ଅମଳ ହେବା କୁହାଯାଇପାରିବନି। ଅମାରରେ ତା’ ପଡ଼ିବା ପରେ ହିଁ କେବଳ ଭଲମନ୍ଦ କୁହାଯାଇ ପାରିବ। ଚାଷୀର ଏ ଅନିଶ୍ଚିତ ଅବସ୍ଥା ପ୍ରାୟ ଲାଗି ରହିଥାଏ। ସତରେ ସରକାର ସବ୍ସିଡି ଦେଇ ଆତୁରିଆ ଚାଷୀର ଢେର ଫସଲ ଉପୁଜେଇ ଦେଲେ। ବିଲ ମୁଣ୍ଡରେ ଦଲାଲମାନେ ତାକୁ ନ କିଣିଲେ, ସେ ଏକୁ ସମ୍ପାଦିବ କୋଉଠି? ଭାରତ ସରକାରଙ୍କ ଏ ରିଆତି ଘୋଷଣା ଉତ୍ସାହଜନକ। ମାତ୍ର ଟିକିଏ ଗଭୀର ଅନୁଶୀଳନ କଲେ, ଇୟେ ଗୋଟେ ‘ଦ୍ବି-ଲୋକ ସାଧିନୀ’ ଚାତୁରୀ। ଭୋଟରେ ଖୁସି, ଫସଲ ଉତ୍ପାଦନ ବୃଦ୍ଧି ଗୋଟେପଟେ ଓ ଚାଷୀଙ୍କ ଭୋଟ ଏକ ବାକ୍ସରେ କୁଢ଼େଇ ହୋଇ ପଡ଼ିବାର ଏକ ସୂତ୍ର। ତେବେ ‘ଅତିବେଶୀ’ ତ ଗର୍ହିତଂ, ଅତି ଦାନେ ବଳିର୍ବଧ ସର୍ବ ମତ୍ୟନ୍ତଂ ଗର୍ହିତଂ’। ତ୍ରେତା ଯୁଗରେ ତ ବଳିରାଜା ଆପଣେ ଦାନ ଦେବା ଅହଂକାରରେ ଯୋଉ ନାମ ନେଲେ, ତା’ ପୁରାଣର ଅଲିଭା ପୃଷ୍ଠା ହୋଇଗଲା। ସବ୍ସିଡି, ଛାଡ଼, ରିଆତି ଦେଇ ସରକାର ଏ ଜାତିକି ଭିକାରି ବନେଇବା ଅପେକ୍ଷା, ତା’ ଫସଲର ଉଚିତ ମୂଲ୍ୟାୟନ, ଆଶୁ ବିକ୍ରି, ଉନ୍ନତ ବିହନ ଯୋଗାଣର ବ୍ୟବସ୍ଥା ନ କରି, ଖାଲି ଦାନ କରି ଚାଲିଲେ ଗୋଟେ ‘ଦାନୁଆ’ ଗୋଷ୍ଠୀ ସିନା ସୃଷ୍ଟି କରି ଦେଇଛନ୍ତି, ଜାତୀୟ ଚରିତ୍ର ଓ ଅଧ୍ୟବସାୟର ଭାବକୁ ଦୂରନ୍ତ କରିଦେଉ ନାହାନ୍ତି ତ? ସରକାରଙ୍କ ଏ ପ୍ରଶଂସନୀୟ ଦାନ, ରିଆତିର ପ୍ରଶଂସା କଲାବେଳେ, ମନକୁ ଆସେ ଗାଁ ଗହଳିର ଢ଼ଗ। ‘ଛନ୍ଦ ଜାଣେକି ମଇତିରୀ, ଜାଉ ଖାଇବାକୁ ପତର ଦେଉଛି, ତଳୁ ଦେଇଥିବ କଣା କରି’।
Comments are closed.